ଛାତ୍ରୀର ଗଳାକାଟି ଦେଲେ ଟ୍ୟୁସନ ସାର୍ । ଜଳେଶ୍ୱରରେ ଘଟିଛି ଅଭାବନୀୟ କାଣ୍ଡ : ଗୁରୁତର ଅବସ୍ଥାରେ ଯୁକ୍ତ ୨ ଛାତ୍ରୀ ବାଲେଶ୍ୱର ମେଡିକାଲରେ ଭର୍ତି

1,588

କନକ ବ୍ୟୁରୋ : ଛାତ୍ରୀଙ୍କୁ ଟ୍ୟୁସନ ମାଷ୍ଟରଙ୍କ ମରଣାନ୍ତକ ଆକ୍ରମଣ । ଯୁକ୍ତ ଦୁଇ ପଡୁଥିବା ଛାତ୍ରୀଙ୍କୁ ହଠାତ୍ ଆକ୍ରମଣ କରିଥିଲା ତାଙ୍କର ଟ୍ୟୁସନ ମାଷ୍ଟର । ଗୋଟିଏ ଧାରୁଆ ଅସ୍ତ୍ରରେ ତାଙ୍କର ବେକକୁ କାଟି ଦେଇଥିଲା ଯୁବକ ଜଣକ । ଆକ୍ରମଣ କରିବା ପରେ ଯୁବକ ଜଣକ ଫେରାର ହୋଇଯାଇଥିବା ବେଳେ ସଂକଟାପନ୍ନ ଅବସ୍ଥାରେ ଛାତ୍ରୀ ଜଣକଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏନେଇ ଛାତ୍ରୀଙ୍କ ପରିବାର ଲୋକେ ଭୋଗରାଇ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି  । ମିଳିଥିବା ସୂଚନା ଅନୁସାରେ ଦେହୁର୍ଦ୍ଦା ଗାଁର ରତନ ନାଥଙ୍କ ପୁଅ ବିଶ୍ୱଜିତ୍ ନାଥ ଦୀର୍ଘ ୪ ବର୍ଷ ଧରି ସେହି ଗାଁର ଜଣକଙ୍କ ଘରେ ଟ୍ୟୁସନ କରୁଥିଲେ ।

ଗତକାଲି ରାତି ପ୍ରାୟ ୯ଟାରେ ଟ୍ୟୁସନ ସରିବା ପରେ ଛାତ୍ରୀଙ୍କ ସହ ବିଶ୍ୱଜିତ୍ କଥା ହେଉଥିଲା ଏବଂ ହଠାତ୍ ଆକ୍ରମଣ କରିବା ପରେ ସେ ଫେରାର ହୋଇଯାଇଛି । ଛାତ୍ରୀଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କୁ ପ୍ରଥମେ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟ ସଂକଟାପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହା ଏକତରଫା ପ୍ରେମର ପରିଣାମ ବୋଲି ଚର୍ଚ୍ଚା ହେଉଛି । ପୋଲିସ ବିଶ୍ୱଜିତଙ୍କର ମଟର ସାଇକେଲକୁ ଜବତ କରିଛି ।