କରମଣ୍ଡଳର କରୁଣ ଚିତ୍ର: କୁଢ଼ କୁଢ଼ ଶବକୁ ଲେଉଟାଇ, ପୁଅକୁ ଖୋଜୁଛି ବୁଢ଼ାବାପା ।

3,333

କନକ ବ୍ୟୁରୋ: ସାରା ଦେଶକୁ କନ୍ଦାଉଛି କରମଣ୍ଡଳ ଦୁର୍ଘଟଣାର କରୁଣ ଚିତ୍ର । ଆଉ ଏତିକି ବେଳେ ଭଦ୍ରକର ଜଣେ ବୁଢ଼ା ବାପା, ଶବର ପାହାଡ଼ ଭିତରୁ ପୁଅକୁ ଖୋଜିବାର ଦୃଶ୍ୟ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । କରମଣ୍ଡଳରେ ଆସୁଥିବା ନିଜ ପୁଅକୁ ଖୋଜିବାରେ ଲାଗିପଡ଼ିଛି ବୁଢ଼ା ବାପା । ଶବ ସମୁଦ୍ରରୁ ପୁଅର ଶବକୁ ଖୋଜି ଖୋଜି ଥକି ଯାଉଯାଛି ବାପା । ଆଖିକୁ ଠିକ୍ ସେ ଦେଖାଯାଉନଥିଲେ ବି, ଗୋଟା ଗୋଟା ଶବକୁ ଲେଉଟାଇ ପୁଅ ପୁଅ କହି ଚିତ୍କାର କରୁଛି ବୁଢ଼ା ବାପା ।

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରର କରୁଣ କାହାଣୀ ଯେତେ ଭୟଙ୍କର ସେତେ ହୃଦୟବିଦାରକ । କୁଢ଼ କୁଢ଼ ଶବ ଭିତରୁ କିଏ ପୁଅକୁ ଖୋଜୁଛି ତ କିଏ ବାପାକୁ । ଆଉ କିଏ ଦୁଇଖଣ୍ଡ ହୋଇଯାଇଥିବା ବଗି ଭିତରୁ ପ୍ରିୟ ପରିଜନଙ୍କୁ ଖୋଜିବାକୁ ପାଇଁ ନେହୁରା ହୋଇପଡୁଛି ।

ଓଃ କି ହୃଦୟ ବିଦାରକ ଏ ଦୃଶ୍ୟ । ମାଳ ମାଳ ଶବ ଭିତରୁ ମୋ ପୁଅ କୁଆଡେ ଗଲୁ କହୁଥିବା ବୁଢ଼ା ବାପା ଆଖିରୁ ଧାର ଧାର ଲୁହ ବହିଯାଉଛି । ଦେଶକୁ ଦୋହଲାଇ ଦେଉଥିବା ଏ ଦୁର୍ଘଟଣା କାହାଣୀ ଭିତରେ, କାନ୍ଦି କାନ୍ଦି ମୁର୍ଦ୍ଦାର ଗଦାରୁ ପୁଅକୁ ଯେତେବେଳେ ବାପା ଖୋଜୁଥିବାର ଚିତ୍ର ସାମ୍ନାକୁ ଆସେ, ସେତେବେଳେ ମୃତ୍ୟୁ କେତେ ଭୟଙ୍କର ହୋଇପାରେ ତାହା ଅନୁଭବ କରିବା ବି ମୁସ୍କିଲ । ବୁଢ଼ା ବାପା ଜଣକୁ ପ୍ରଶ୍ନ କରିବାରୁ ଲୁହ ଝରାଇ କହୁଛନ୍ତି, କରମଣ୍ଡଳ ଏକ୍ସପ୍ରେସରେ ବସି ମୋ ପୁଅ ଆସୁଥିଲା । ବାଟରେ ଟ୍ରେନ୍ ଦୁର୍ଘଟଣା ହେଲା, ମୁଁ ଟିଭିରୁ ଜାଣିଲି ବାବୁ, ମୋ ପୁଅ ମିଳୁନି କାହାକୁ କହିଦିଅ ମୋ ଧନକୁ ଖୋଜିଦେବେ । ମୁଁ ବେଶି ପାଠ ପଢିନି , ମୋ ପୁଅର ଖବର ପାଇଲେ ଜଣାଇବ ।

ସତରେ କରମଣ୍ଡଳ ଯେ, କାହା ପାଇଁ କାଳ ହୋଇଯିବ ତାହା କେହି କେବେ କଳ୍ପାନ ବି କରିନଥିଲେ । ବାହନଗାଠାରେ ଘଟିଥିବା ଶତାବ୍ଦୀର ବଡ଼ ଦୁର୍ଘଟଣା ଦେଶକୁ ଦୋହଲାଇ ଦେଇଥିବା ବେଳେ ଗୋଟେ ପରେ ଗୋଟେ ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସୁଛି । କ୍ୟାମେରା ଲେନ୍ସରେ କଏଦ ହେଉଛି କରୁଣ କାହାଣୀ । ଏପଟେ ଉଦ୍ଧାରକାର୍ଯ୍ୟ ଶେଷ ହୋଇଥିଲେ ବି ଶବକୁ ଚିହ୍ନିବାକୁ ପ୍ରିୟ ପରିଜନଙ୍କ ପାଖରେ ଆଉ ସେ ସାହସ କି ଧର୍ଯ୍ୟ ନାହିଁ । ସ୍ଥାନୀୟ ଲୋକେ, ଜିଲ୍ଲା ପ୍ରଶାସନ ଏବଂ ଏନଡିଆରଏଫ୍ ଆଉ ସେନାର ମିଳିତ ଉଦ୍ୟମରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ରକ୍ତଦାନ ହେଉ କିମ୍ବା ଆହାର ପ୍ରଦାନ, ପାଣି ହେଉ ଅବା ଯେ କୌଣସି ସହାଯ୍ୟ । ଏଭଳି ଦୁର୍ଘଟଣା ସମୟରେ ସଭିଏଁ ଏକାଠି ହୋଇ ମାନବିକତାର ପରିଚୟ ଦେଉଛନ୍ତି । କାଳିଆ ପାଖରେ ଏତିିକି ପ୍ରାର୍ଥନା କରିବା ଯେ, ମୃତକଙ୍କ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ, ଆହତଙ୍କୁ ଶୀଘ୍ର ସୁସ୍ଥ କରି ସ୍ଥିତିକୁ ସୁଧାରି ଦିଅନ୍ତି ହେ ମହାପ୍ରଭୁ…