ଦୁର୍ଘଟଣାଗ୍ରସ୍ତ ଟ୍ରେନର ବଗି ଭିତରୁ ମୃତକ ଓ ଆହତଙ୍କୁ ଠାବ କରୁଛି ଡଗ ସ୍କ୍ୱାର୍ଡ, ନେତୃତ୍ୱ ନେଉଛି ଏନଡିଆରଏଫ୍ ଟିମ୍

1,931

କନକ ବ୍ୟୁରୋ : ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ବଗି ଗୁଡିକରୁ ମୃତ ଓ ଆହତଙ୍କୁ ଠାବ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ଏନଡିଆରଏଫର ଏହି ଡଗ୍ ସ୍ୱାର୍ଡ । ଯେଉଁସବୁ ବଗି ଭିତରେ, ଉଦ୍ଧାରକାରୀ ଦଳ ପଶିବା କଷ୍ଟକର ହୋଇଥିଲା, ସେଠି କେହି ଯାତ୍ରୀ ଫସି ରହିଛନ୍ତି କି ନାହିଁ, ଠାବ କରିବାରେ ସହଯୋଗ କରିଥିଲେ ।

ସୂଚନା ଅନୁସାରେ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫର ୬ଟି ଡଗ୍ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରେ କାଇଜର ଓ ବନି । ଦୁର୍ଘଟଣାଗ୍ରସ୍ତ ବଗିରେ ଯେତେବେଳେ ଉଦ୍ଧାର ଚାଲିଥିଲା, ସେତେବେଳେ ଏମାନେ ଯାତ୍ରୀଙ୍କୁ ଖୋଜିବାରେ ସହଯୋଗ କରିଥିଲେ । କୁକୁରଙ୍କର ଘ୍ରାଣ ଶକ୍ତି ଅଧିକ ହୋଇଥିବାରୁ ଡଗ ସ୍କାର୍ଡ ଦ୍ୱାରା ତନ ତନ କରି ଯାଂଚ କରିଥିଲେ ଏନଡିଆରଏଫ ଟିମ୍ । ଶୁଙ୍ଘି ଶୁଙ୍ଘି ଜୀବନ୍ତ ଲୋକଙ୍କ ପାଖରେ ପହଁଚି ଯାଇଥିଲେ । ଭଂଗା ବଗି ତଳେ ଫଶି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ସହଜ ହୋଇଥିଲା । ଆଉ ବଂଚି ଯାଇଥିଲା ଅନେକଙ୍କ ଜୀବନ ।
ମଣିଷ ହୋଇଥିଲେ ବୋଧହୁଏ, ଏମାନଙ୍କ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଥାନ୍ତା । ଏମାନଙ୍କ କାର୍ଯ୍ୟ ପାଇଁ ଫ୍ୟାନ୍ କ୍ଲବ ମାନଙ୍କ ପକ୍ଷରୁ ପ୍ରଶଂସା କରାଯାଉଥାନ୍ତା । କିନ୍ତୁ ସେମିତି ନହେଲେ ବି , ଏହି ଡଗ୍ ସ୍କାର୍ଡଙ୍କ ନିସ୍ୱାର୍ଥପର ସେବା ସବୁଦିନ ପାଇଁ ମନେ ରହିବ ।