ନକଲି ଚାବି ନେଇ ତେଜୁଛି ବିବାଦ ! ବାହାର୍ଦା ନାଳ ସ୍ୱିସ ଗେଟର ନକଲି ଚାବିକୁ ଜନଅସନ୍ତୋଷ

40

କନକ ବ୍ୟୁରୋ: ବାହାର୍ଦା ନାଳ ସ୍ୱିସ ଗେଟ୍ ନକଲି ଚାବି ବିବାଦ ତେଜିବାରେ ଲାଗିଛି । ନକଲି ଚାବିରେ ଗେଟ୍ ଖୋଲିବା ଓ ବନ୍ଦ କରିବା ଫଳରେ ଗେଟ୍ ପ୍ରତି ବିପଦ ସୃଷ୍ଟି ହୋଇଛି । ଫଳରେ ଚାଷ ପାଇଁ ଉଦ୍ଦିଷ୍ଟ ଥିବା ଏହି ପ୍ରକଳ୍ପ ଫେଲ ମାରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏହି ଏକ କୋଟି ୨୬ ଲକ୍ଷ ଟଙ୍କାର ପ୍ରକଳ୍ପ ବିଫଳ ହେଲେ ପ୍ରାୟ ୬୦୦ ଏକର ଚାଷ ଜମି ନଷ୍ଟ ହେବ ବୋଲି କୁହାଯାଉଛି । ଏନେଇ ଗୋପିନାଥପୁର ଅଂଚଳର ଲୋକେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନକଲି ଚାବି ବ୍ୟବହାର ଫଳରେ ତିନୋଟି ଗେଟ୍ ମଧ୍ୟରୁ ଗୋଟିଏ ଗେଟ୍ ଖରାପ ହୋଇଯାଇଥିବା ଲୋକେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଏହି ସ୍ୱିସ ଗେଟ୍ ପାଇଁ ସୃଷ୍ଟି ହୋଇଥିବା ବିବାଦ ନେଇ ଦାୟିତ୍ୱରେ ଥିବା ବିଡିଓ କିଛି ଜାଣିନଥିବା କହିଛନ୍ତି । ତେବେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି । ଏହି ନାଳରେ ମାଛ ଚାଷ ପାଇଁ ଲିଜ୍ ଦେଇଛି ପଂଚାୟତ । ଏହି ଲିଜଧାରୀ ନକଲି ଚାବିରେ ଗେଟ୍ ନିୟନ୍ତ୍ରଣ କରୁଥିବା ସ୍ୱୀକାର କରିଛନ୍ତି ।

ଏହା ସରପଂଚଙ୍କ ଜାଣତରେ ହେଉଥିବା ସେ କହିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଗୋପିନାଥପୁର ସରପଂଚ । ବୁଢାବଳଙ୍ଗ ନଈର ପାଣି ଏହି ବାହାର୍ଦା ନାଳଦେଇ ସମୁଦ୍ର ଭିତରକୁ ଯାଇଥାଏ । ଏବେ ଗୋଟିଏ ଗେଟ୍ ପଡିଥିବାରୁ ଅନେକ ଗାଁ, ରାସ୍ତା ଓ ଚାଷଜମି ଜଳଘେରରେ ରହିଛି ।