ସରଗରମ ବାଲେଶ୍ୱର ରାଜନୀତି । ତାରିଖ ଘୋଷଣା ପୂର୍ବରୁ ବଢ଼ୁଛି ଉପନିର୍ବାଚନ ତାତି । ପ୍ରାର୍ଥୀ ଦୌଡ଼ରେ ନଥିବା କହିଲେ ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ।

748

କନକ ବ୍ୟୁରୋ : ବାଲେଶ୍ୱର ସଦର ଉପନିର୍ବାଚନରେ କାହାକୁ ପ୍ରାର୍ଥୀ କରିବ ବିଜେଡି ? ଦ୍ୱଦ୍ୱ ଭିତରେ ରହିଛି ଦଳର ପ୍ରାର୍ଥୀ ଚୟନ । ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଓ ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ଦୁଇ ଗୋଷ୍ଠୀ ମଧ୍ୟରେ ବୁଝାମଣା ପାଇଁ ବାଲେଶ୍ୱରରେ ତିନି ଦିନ ହେଲା ଡେରା ପକାଇଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା । ଏହାରି ଭିତରେ ରବିନ୍ଦ୍ର ଜେନା କହିଛନ୍ତି, ସେ ନିର୍ବାଚନ ଲଢିବେ ନାହିଁ ଏବଂ ଦଳ ଯାହାକୁ ପ୍ରାର୍ଥୀ କରିବ, ତାପାଇଁ ପ୍ରଚାର କରିବେ ।

ପ୍ରାର୍ଥୀ ଚୟନକୁ ନେଇ ବିଜେଡିରେ ଦ୍ୱନ୍ଦ୍ୱ । ବାଲେଶ୍ୱର ସଦର ଆସନରୁ ଲଢିବ କିଏ ? ବାଲେଶ୍ୱର ସଦର ଆସନକୁ ବିଜେପି ହାତରୁ ଛଡାଇ ଆଣିବାକୁ ବିଜେଡିରେ ଜୋରଦାର କସରତ ଚାଲିଥିବା ବେଳେ ଦଳ ଏବେ ଦ୍ୱନ୍ଦ୍ୱର ଅଡୁଆ ସୂତାରେ ପଡିଛି । ବିଜେଡି ପାଇଁ ଅଡୁଆ ହୋଇଛି ପ୍ରାର୍ଥୀ ଚୟନ । ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବନାମ ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ରବିନ୍ଦ୍ର ଜେନା । ଅନ୍ୟପଟେ ଅଭିନେତା ଅରିନ୍ଦମଙ୍କ କଥା ବି ଶୁଣାଯାଉଛି । କୁହାଯାଉଛି, ଦଳ ଭିତରେ ସବୁକିଛି ଠିକଠାକ କରିବା ପାଇଁ ତିନି ଦିନ ହେଲା ମନ୍ତ୍ରୀ ପ୍ରତାପ ଜେନା ବିଭିନ୍ନ ଗୋଷ୍ଠୀ ସହ କଥା ହେଉଛନ୍ତି ।

ରବିନ୍ଦ୍ର ଜେନାଙ୍କ ଆଭିମୁଖ୍ୟ ଦଳକୁ କିଛି ସମୟ ପାଇଁ ଆଶ୍ୱସ୍ତି ଦେଇଛି । କହୁଛନ୍ତି, ସେ ନିର୍ବାଚନ ଲଢିବେ ନାହିଁ, ଦଳ ଯାହାକୁ ପ୍ରାର୍ଥୀ କରିବ, ତାପାଇଁ ପ୍ରଚାର କରିବେ । ହେଲେ ଜିଲ୍ଲା ପ୍ରଭାରୀ ଦାୟିତ୍ୱରେ ଥିବା ପ୍ରତାପ ଜେନା ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର ସଦର ଆସନକୁ ଦୁଇ ଭାଗରେ ବିଭକ୍ତ କରାଯାଇ ୮ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି । ୪ ଜଣଙ୍କୁ ଗ୍ରାମାଂଚଳ ଏବଂ ଆଉ ୪ ଜଣ ସହରାଂଚଳ କଥା ବୁଝିବେ । ଆଉ, ବାଲେଶ୍ୱରର ପୂର୍ବତନ ଜିଲ୍ଲା ସଭାପତି ତଥା ଭୋଗରାଇ ବିଧାୟକ ତଥା ପୁରୁଖା ନେତା ଅନନ୍ତ ଦାସ ନିର୍ବାଚନ ମୋର୍ଚ୍ଚା ସମ୍ଭାଳିବେ ।

୨୦୧୯ ନିର୍ବାଚନରେ ବାଲେଶ୍ୱର ସାଂସଦ ପାଇଁ ଲଢି ବିଜେପିର ପ୍ରତାପ ଷଡଙ୍ଗୀଙ୍କ ଠାରୁ ମାତ୍ର ୧୩ ହଜାର ଭୋଟରେ ହାରିଯାଇଥିଲେ ରବିନ୍ଦ୍ର ଜେନା । ସେପଟେ ବାଲେଶ୍ୱର ସଦର ସିଟ୍ ପାଇଁ ଲଢି ଜୀବନ ପ୍ରଦୀପ ଦାସ ବିଜେପିର ମଦନ ମୋହନ ଦତଙ୍କ ଠାରୁ ସେହି ପ୍ରାୟ ୧୩ ହଜାର ଭୋଟରେ ହାରିଥିଲେ । ବିଜେପି ଦିବଙ୍ଗତ ବିଧାୟକ ମଦନ ମୋହନ ଦତଙ୍କ ପୁଅଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସରେ ମଧ୍ୟ ପ୍ରାର୍ଥୀ ଚୟନ ନେଇ ଲବି ଆରମ୍ଭ ହୋଇଯାଇଛି ।