ଛୋଟ ନିର୍ବାଚନ ବଡ ରଣନୀତି । ଉପନିର୍ବାଚନକୁ ନେଇ ଚାଲିଛି ଅଙ୍କକଷା । କିଏ ହେବ କେଉଁ ଦଳର ଚେହେରା ?

304
କନକ ବ୍ୟୁରୋ : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବଚନ ପାଇଁ ତାରିଖ ଘୋଷଣା ସରିଛି । ହେଲେ ଏବେ ଟିକେଟ ପାଇଁ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଚାଲିଛି ଛକାପଞ୍ଝା । ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉଷୁମ ହେଉଛି ଉପ-ନିର୍ବାଚନ ରାଜନୀତି । ଟିକେଟ ପାଇଁ ଦଳ ମଧ୍ୟରେ ଚାଲିଛି ବିବାଦ । ହେଲେ ଟିକେଟ କାହାକୁ ମିଳିବ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ତିର୍ତ୍ତୋଲରେ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହେଉଛି । ହେଲ ଟିକେଟ ପାଇଁ ବିଜେଡିରେ ବିବାଦ ଦେଖିବାକୁ ମିଳିଛି । ଏଠାରେ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବି ହେଉଥିବା ବେଳେ ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସମର୍ଥମାନେ ଅସୁବିଧା ସୃଷ୍ଟି କରିପାରନ୍ତି ବୋଲି କୁହାଯାଉଛି । ପୂର୍ବରୁ ରାଜଶ୍ରୀ ମଲ୍ଲିକ ଓ ବିଷ୍ଣୁ ଦାସଙ୍କ ମଧ୍ୟରେ ବିବାଦ ସମସ୍ତଙ୍କୁ ଜଣାଅଛି ।
ସେପଟେ ବିଜେପିରେ ମଧ୍ୟ ସମାନ ସ୍ଥିତି ରହିଛି । ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇଙ୍କ ବ୍ୟତୀତ ଆଉ କାହାକୁ ଟିକେଟ ନଦେବାକୁ ରମାକାନ୍ତଙ୍କୁ ସମର୍ଥକ ଦାବି କରିଛନ୍ତି । ଅନ୍ୟପକ୍ଷରେ ତିର୍ତ୍ତୋଲରେ କଂଗ୍ରେସ ନୂଆ ଚେହେରାକୁ ମୈଦାନକୁ ଓହ୍ଲାଇବ ବୋଲି ଚର୍ଚ୍ଚା ଜୋର ଧରିଛି । ଦେବୀ ପ୍ରସାଦଙ୍କ ବଦଳରେ କଂଗ୍ରେସ ଯୁବ ନେତାଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି ।
ସେହିପରି ବାଲେଶ୍ୱର ସଦର ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହେଉଛି । ତେବେ ବିଜେଡି ହାତରୁ ଖସିଯାଇଥିବା ଏହି ଆସନକୁ ଅକ୍ତିଆର କରିବା ପାଇଁ ଏବେ ବିଜେଡି ଫୁଲ ଦମରେ ଲାଗିବ । ହେଲେ ଏଠି ମଧ୍ୟ ପ୍ରାର୍ଥୀ ଚୟନ ନେଇ ହରଡ ଘଣାରେ ପଡିଛି ବିଜେଡି । ଏଠାରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଜେନା ଓ ପୂର୍ବତନ ସାଂସଦ ରବିନ୍ଦ୍ରୀ ଜେନାଙ୍କ ଗୋଷ୍ଠୀ ମଧ୍ୟରେ ଟିକେଟ ପାଇଁ ଛକାପଞ୍ଝା ଚାଲିଥିବା ବେଳେ ରବୀନ୍ଦ୍ର ଜେନା ନିର୍ବାଚନ ଲଢିବେ ନାହିଁ ବୋଲି କହିଦେଇଛନ୍ତି ।
ସେହିପରି ବିଜେପି ମଧ୍ୟ ବାଲେଶ୍ୱର ସଦର ପାଇଁ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଦ୍ୱନ୍ଦ୍ୱରେ ରହିଛି । ଯଦି ଦଳ ଆଉ କାହାକୁ ଟିକେଟ ଦିଏ ତେବେ ହାରିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଦଳ ଏହି ସିଟ୍ ପାଇଁ ରିସ୍କ ନେବା ପାଇଁ ଚାହିଁବ ନାହିଁ । ସେଥିପାଇଁ ବିଜେପି ବାଲେଶ୍ୱର ସଦରରୁ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅକୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି କଂଗ୍ରେସରେ ମଧ୍ୟ ପ୍ରାର୍ଥୀ ଚୟନ ନେଇ ଜୋରଦାର କସରତ ଚାଲିଛି ।
ଗୋଟିଏ ସିଟରେ ବିଜେଡିର ଅକ୍ତିଆର ଆଉ ଗୋଟିଏରେ ବିଜେଡିର । ହେଲେ ଏଥର ଏଠାରେ କିଏ ବାଜି ମାରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨ଟି ଯାକ ସିଟରେ ବିଜେଡି କବଜା କରିବ ବୋଲି ରଣନୀତି ପ୍ରସ୍ତୁତ କରୁଛି । ସେହିପରି ବିଜେପି ମଧ୍ୟ ବାଲେଶ୍ୱର ସଦର ସିଟରେ ନିଜ ଦବଦବା ଜାହିର କରିବା ପାଇଁ ରଣନୀତି କରୁଛି । ହେଲେ ତିର୍ତ୍ତୋଲ ପାଇଁ ବିଜେପି ରଣନୀତି କରୁଥିଲେ ମଧ୍ୟ ଏଠାରେ ଜିତିବା ଅସମ୍ଭବ ମନେ ହେଉଛି ।
ଅନ୍ୟପକ୍ଷରେ ଦୁଇଟି ସଟରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ମଧ୍ୟ ପୁଣି ଲୟକୁ ଫେରିବାକୁ ଚେଷ୍ଟା ଚଲାଇଛି । ତେବେ ଏଠାରେ କେୁଁ ଦଳ ବାଜି ମାରିବ କେଉଁ ଦଳର କିଏ ହେବ ଚେହେରା ତା ଉପରେ ରହିଛି ସମସ୍ତଙ୍କ ନଜର ।