କନକ ବ୍ୟୁରୋ : କାଳିଆର କେତେ ରୂପ। ସେ ଭାବବିନୋଦିଆ, ଭାବର ଠାକୁର। ତାକୁ ଭାବରେ ଯିଏ ଯେଉଁଠି ଡାକିଛି, ସିଏ ସେଇଠି ରହିଛି। ରଥଯାତ୍ରାରେ ମାନବୀୟ ଲିଳାଖେଳା ଜାରି ରଖିଛନ୍ତି ମହାପ୍ରଭୁ। ବାଲେଶ୍ୱର ରେମୁଣାର କୁଟ ପୋଖରୀ କୂଳରେ ପୂଜା ପାଉଥିବା ଚତୁର୍ଦ୍ଧା ବିଗ୍ରହଙ୍କ ରଥଯାତ୍ରା ହୁଏ ନାହିଁ। ନବକଳେବର ବି ହୁଏ ନାହିଁ। ୧୩ ବର୍ଷ ହେବ ଗାଁ କମିଟି ଛୋଟ ବିଗ୍ରହଙ୍କୁ ନେଇ ରଥଯାତ୍ରା ପାଳନ କରି ଆସୁଛନ୍ତି। ଗୋଡ ହାତ ଥିବା ବଡ଼ଠାକୁର ବଳଭଦ୍ର, ଜଗତର ନାଥ ଜଗନ୍ନାଥ, ହଳଦୀମୁଖି ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ନଯାଇ ସେହି ମନ୍ଦିରରେ ପୂଜା ପାଇଥାନ୍ତି ।

Advertisment

ସ୍ଥାନୀୟ ଲୋକକଥା କୁହେ, ସନ୍ୟାସୀ ବାବା ହରିଗୁଲାମ ଦାସ, ସ୍ୱପ୍ନାଦେଶ ପାଇ ୧୨୩ ବର୍ଷ ତଳେ ଏକ ମଠ ସ୍ଥାପନ କରି ଅଷ୍ଟଦଶଭୁଜା କନକ ଦୁର୍ଗା ଓ ଗୋଡ଼ ହାତ ଥିବା ୬ଫୁଟ ଉଚ୍ଚର ଚତୁର୍ଦ୍ଧା ମୂର୍ତ୍ତି ବିଗ୍ରହଙ୍କୁ ମାଟି ଘରେ ପୂଜାର୍ଚନା କରୁଥିଲେ। ସମୟକ୍ରମେ ବାବାଙ୍କ ଦେହାନ୍ତ ପରେ ଭକ୍ତଙ୍କ ଅନୁଦାନରେ ଦୁଇଟି ମନ୍ଦିର ନିର୍ମାଣ କରାଯାଇଛି। ଦେବୀ କନକଦୁର୍ଗା ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ଜାରି ରହିଛି।

ପର୍ୟ୍ୟଟନ ସ୍ଥଳୀର ମାନ୍ୟତା ନପାଇ ମଧ୍ୟ ପ୍ରତ୍ୟେକ ଦିନ ଜିଲ୍ଲା ତଥା ରାଜ୍ୟ ବାହାରୁ ଭକ୍ତମାନେ ଏଠାକୁ ଆସିଥାନ୍ତି। ଭକ୍ତଙ୍କ ଅନୁଦାନରେ ମନ୍ଦିର ପରିଚାଳନା କରାଯାଉଛି । ମହାପ୍ରଭୁଙ୍କ ନିତ୍ୟନୈମିତ୍ୟ ପୂଜାର୍ଚନା ସହିତ ୧୨ମାସରେ ୧୩ପର୍ବ ପାଳନ ହେଉଛି, ହେଲେ ରଥଯାତ୍ରା ହେଉନାହିଁ। ଏହି ନିଆରା ତୀର୍ଥଭୂମିକୁ ତୁରନ୍ତ ପର୍ୟ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଦାବି ହେଉଛି।