କନକ ବ୍ୟୁରୋ : ଚାକିରି ନାଁରେ ଠକେଇ କରୁଥିବା ପୁଣି ଏକ ଗ୍ୟାଙ୍ଗ ପୋଲିସ ହାତରେ ଲାଗିଛି । ବିଭିନ୍ନ ସରକାରୀ ସଂସ୍ଥା ଓ ଶିଳ୍ପ ସଂସ୍ଥାରେ ନିଯୁକ୍ତି ଦେବାର ଲୋଭ ଦେଖାଇ ରାଜ୍ୟର ଦେଢଶହରୁ ଅଧିକ ଶିକ୍ଷତ ଯୁବକ ଯୁବତୀଙ୍କୁ ଏମାନେ ଠକେଇ କରିଛନ୍ତି । ୨ କୋଟିରୁ ଅଧିକ ଟଙ୍କା ଠକିନେଇଥିବା ଏକ ବଡ ରାକେଟକୁ ଧରିଛି ବାଲେଶ୍ୱର ସହଦେବଖୁଂଟା ପୋଲିସ ।

Advertisment

ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଫେରାର ଥିବାବେଳେ ୨ ଜଣ ମହିଳା ଓ ୩ ଜଣ ପୁରୁଷ ଦଲାଲଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ପାଖରୁ ନଗଦ ୩ ଲକ୍ଷ ୯ ହଜାର ଟଙ୍କା, ୧୦ ଲକ୍ଷ ୫୦ ହଜାର ଟଙ୍କାର ସୁନା ଗହଣା, ଶହଶହ ମିଛ ଆବେଦନପତ୍ର ଓ ନିଯୁକ୍ତପତ୍ର ଜବତ ହୋଥିବା ସୂଚନା ଦେଇଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ । ରାକେଟର ମାଷ୍ଟରମାଇଣ୍ଡ ବାଲେଶ୍ୱର ସଦର ଥାନା ସୁନ୍ଦରୀ ଅଂଚଳର ସଂଜୀବ ପଣ୍ଡା ବୋଲି ଜଣାପଡିଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଚାଲିଥିବା ପୋଷଣ ଅଭିଯାନରେ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ, ଜିଲ୍ଲା ସଂଯୋଜକ, ପଞ୍ଚାୟତ ଏକଜିକ୍ୟୁଟିଭ ଅଫିସର, ଜୁନିଅର ଆସିଷ୍ଟାଂଟ, ଟାଟା ଷ୍ଟିଲ, ରେଳବାଇ, ବନ ବିଭାଗରେ କମ୍ୟୁନିଟି ଅର୍ଗାନାଇଜର ଭଳି ବିଭିନ୍ନ ପଦ ପଦବୀରେ ନିଯୁକ୍ତି ପାଇଁ ଫେସବୁକ, ହ୍ୱାଟ୍ସଆପ, ଇନଷ୍ଟାଗ୍ରାମରେ ନିଜର ଫୋନ ନମ୍ବର ଓ ଇ-ମେଲ ଆଦି ଭାଇରାଲ କରୁଥିଲେ । ଏଠାରୁ ସୂଚନା ପାଇ ଚାକିରି ଖଣ୍ଡିଏ ପାଇଁ ଯୋଗାଯୋଗ କରୁଥିବା ଯୁବକ ଯୁବତୀଙ୍କୁ ଏହି ଠକ ଦଲାଲମାନେ ବିଭିନ୍ନ ପ୍ରମାଣପତ୍ର ସଂଗ୍ରହ କରି ଆବେଦନପତ୍ର ପୂରଣ କରୁଥିଲେ ଓ ଚାକିରି ପୂର୍ବରୁ ପ୍ରତି ଆଶାୟୀ ପିଛା ୮୦ ହଜାରରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିବା ଜଣାପଡିଛି ।

ଟଙ୍କା ଦେଉଥିବା ପ୍ରାର୍ଥୀଙ୍କୁ ଭୁବନେଶ୍ୱର ଡକାଇ ସେଠାରେ ମିଛ ଇଣ୍ଟରଭ୍ୟୁ କରିବା ପରେ ଅତି ଚାଲାକିର ସହ ବିଭିନ୍ନ ସରକାରୀ ସଂସ୍ଥା ଓ କମ୍ପାନିରେ କର୍ମଚାରୀମାନେ କିଭଳି କାମ କରୁଛନ୍ତି ଦେଖାଉଥିଲେ । ପରେ ଓଡିଶା ସରକାରଙ୍କ ଜାଲ ଲୋଗୋ ଲଗାଇ ନିଯୁକ୍ତିପତ୍ର ବନାଇବା ପରେ ଆହୁରି କିଛି ଟଙ୍କା ଆଦାୟ କରି ପ୍ରାର୍ଥୀଙ୍କୁ ଦେଉଥିଲେ । କିନ୍ତୁ ଟଙ୍କା ପାଇଯିବା ପରେ ଏହି ଦଲାଲମାନେ ଆଉ ଧରାଛୁଆଁ ଦେଉନଥିଲେ ।