କନକ ବ୍ୟୁରୋ : କୂଳଖାଇ ଗାଁ ମୁହାଁ ସୁବର୍ଣ୍ଣରେଖା ନଦୀ । ସ୍ଥାୟୀ ପଥରବନ୍ଧ ନଥିବାରୁ ବନ୍ଧ ଭାଙ୍ଗି ଯିବାର ଆଶଙ୍କା କରି ଭୟଭୀତ ନଦୀକୂଳିଆ ଗ୍ରାମବାସୀ । ପ୍ରତିବର୍ଷ ବର୍ଷା ଦିନେ ଉତ୍ତର ବାଲେଶ୍ୱରର ୪ଟି ବ୍ଲକର ଲୋକଙ୍କ ନିଦ ହଜାଇ ଯାଉଛି । ଜଳେଶ୍ୱର ରାଇବଣିଆ ଠାରୁ ବାଲିଆପାଳର ଚଉମୁଖ ପର୍ଯ୍ୟନ୍ତ ସୁବର୍ଣ୍ଣରେଖା ନଦୀର ଉଭୟ ପାଶ୍ୱର୍ରେ ବନ୍ଧ କି ପଥରବନ୍ଧ ନଥିବାରୁ ଅନେକ ଗାଁ ଏବଂ ଚାଷଜମି ନଦୀଗର୍ଭରେ ଲୀନ ହେବାର ଆଶଙ୍କା ବଢିଯାଇଛି । ନଦୀର ଏଭଳି ରୂପ ଦେଖି ଭୟ ଓ ଆଶଙ୍କାରେ ଦିନ କାଟୁଛନ୍ତି ନଦିକୁଳିଆ ବାସିନ୍ଦା ।

Advertisment

ସୁବର୍ଣ୍ଣରେଖା ନଦୀ ଜଳେଶ୍ୱର ବ୍ଲକର ରାଇବଣିଆ ଏବଂ ପଶ୍ଚିମବଙ୍ଗ ସୀମାନ୍ତ ବିଳାଶପୁର ଠାରେ ଓଡିଶାରେ ପ୍ରବେଶ କରି ଭୋଗରାଇର କର୍ତନୀଆ ଠାରେ ବଙ୍ଗୋପସାଗରରେ ମିଶିଛି । ବିଳାସପୁର ଠାରୁ ଲକ୍ଷ୍ମଣନାଥ ପର୍ଯ୍ୟନ୍ତ ନଦୀର ଗୋଟିଏ ପଟେ ପଶ୍ଚିମବଙ୍ଗ ଓ ଅନ୍ୟପଟେ ଜଳେଶ୍ୱର ବ୍ଲକ ରହିଛି । ସେହିପରି ଲକ୍ଷ୍ମଣନାଥ ଠାରୁ କିର୍ତ୍ତନିଆ ପର୍ଯ୍ୟନ୍ତ ସୁବର୍ଣ୍ଣରେଖାର ଉଭୟ ପଟେ ଜଳେଶ୍ୱର, ବସ୍ତା, ବାଲିଆପାଳ ଏବଂ ଭୋଗରାଇ ବ୍ଲକ ଅଛି । ତେବେ ନଦୀର ଉଭୟ ପାଶ୍ୱର୍ରେ ବିଭିନ୍ନ ସ୍ଥାନରେ ଆଦୌ ବନ୍ଧ ନଥିବା ବେଳେ ଆଉ ଯେଉଁଠି ଅଛି ତାହା ସୁରକ୍ଷିତ ନୁହେଁ! ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ବହୁ ଦାବି ପରେ କିଛି କିଛି ସ୍ଥାନରେ ପଥର ପ୍ୟାକିଂ କରାଯାଇଥିଲେ ମଧ୍ୟ ତାହା ଅତିନିମ୍ନ ମାନର ହୋଇ ଥିବା ଅଭିଯୋଗ ହୋଇଛି ।

ନଦୀ ଏବେ ଗାଁର ନିକଟତର ହୋଇ ସାରିଲାଣି । ୨-୪ ବର୍ଷ ଭିତରେ ଶହଶହ ଏକର ଚାଷଜମି ନଦୀ ଗର୍ଭରେ ଲୀନ ହୋଇ ସାରିଲାଣି । ଚାଷଜମି ସମେତ ବାସଗୃହର ସୁରକ୍ଷା ପାଇଁ ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ! ଯଦି ବନ୍ଧ ସୁରକ୍ଷା ପାଇଁ ନୂଆ ସରକାର କିଛି ପଦକ୍ଷେପ ନନିଅନ୍ତି, ତେବେ କିଛି ବର୍ଷ ମଧ୍ୟରେ ଅନେକ ଗାଁ ନଦୀଗର୍ଭରେ ଲୀନ ହେବା ସହ ଅନେକ ଧନଜୀବନ କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା କରୁଛନ୍ତି ଗ୍ରାମବାସୀ ।