କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ଫଳ ଏକତରଫା ହୋଇଛି, ଶାସକ ବିଜେଡି ତାର ରାଜନୈତିକ ଇତିହାସରେ ସବୁଠାରୁ ବଡ ସଫଳତା ପାଇଛି । ହେଲେ କିଛି ଆସନ ଏବଂ କିଛି ଜିଲ୍ଲା ଏମିତି ରହିଛି, ଯେଉଁଠି ନେତାଙ୍କ ପ୍ରଦର୍ଶନ ଆଶାନୁରୂପକ ହୋଇନାହିଁ । ଖାଲି ବିଜେଡି ନୁହେଁ, ପଂଚାୟତ ନିର୍ବାଚନ ଫଳର ସମୀକ୍ଷା ଏବଂ ସମସ୍ତ ନେତାଙ୍କ ପ୍ରଦର୍ଶନ ଜିଲ୍ଲା ସ୍ତରରେ କିଭଳି ହୋଇଛି, ତାର ସମୀକ୍ଷା କରିବାର ଆବଶ୍ୟକତା ରହିଛି । କାରଣ, ନେତାଙ୍କ ଭବିଷ୍ୟତ ପଂଚାୟତ ପ୍ରଦର୍ଶନ ଉପରେ ନିର୍ଭର କରୁଥିବାର ଏକ ବାର୍ତା ଦଳୀୟ ସ୍ତରରେ ପୂର୍ବରୁ ଦିଆଯାଇ ସାରିଥିଲା । ରାଜନୈତିକ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ଜିଲ୍ଲା ବାଲେଶ୍ୱର ଉପରେ ସମୀକ୍ଷା କରିବା ବେଳେ ଏହାର କିଛି ରୋଚକ ଦିଗ ସାମ୍ନାକୁ ଆସିଛି ।

Advertisment

ବାଲେଶ୍ୱରରୁ ଏକମାତ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି ଜ୍ୟୋତି ପାଣିଗ୍ରାହୀ । ଆଉ ଚଳିତ ପଞ୍ଚାୟତ ନିର୍ବାଚନର ଫଳାଫଳରେ ତାଙ୍କୁ ବଡ ଝଟକା ଲାଗିଛି । କାରଣ ସିମୁଳିଆରେ ୨ଟି ଜିଲ୍ଲା ପରିଷଦ ଜୋନରେ ପଦ୍ମ ଫୁଟିଛି । ସିମୁଳିଆ ବିଧାୟକ ଭାବେ ନିଜ ନିର୍ବାଚନମଣ୍ଡଳୀରେ ନିର୍ବାଚନର ମଙ୍ଗ ଧରିଥିଲେ ଜ୍ୟୋତି । କିନ୍ତୁ ଜ୍ୟୋତିଙ୍କ ନିର୍ବାଚନ ରଣନୀତି କୌଶଳକୁ ମାତ୍ ଦେବାରେ ସଫଳ ହୋଇଥିଲା ବିଜେପି । ସିମୁଳିଆର ୪୦ ନମ୍ବର ଜୋନ ଓ ଖଇରାର ୨ ନମ୍ବର ଜୋନରେ ମାତ୍ ଖାଇଛି ବିଜେଡି । ଆଉ ଯେଉଁ ଜୋନରେ ବି ବିଜେଡି ବିଜୟୀ ହୋଇଛି ସେଠାରେ ଭୋଟ ବ୍ୟବଧାନ ମଧ୍ୟ ଯଥେଷ୍ଟ କମ ରହିଛି । ଆଉ ଏଭଳି ଫଳାଫଳ ଜ୍ୟୋତିଙ୍କ ସାଙ୍ଗଠନିକ ବିଫଳତାକୁ ପଦାରେ ପକାଇଥିବା ଦଳୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ କରିଛି । ଯେହେତୁ ପଞ୍ଚାୟତ ଫଳାଫଳ ସାଧାରଣ ନିର୍ବାଚନକୁ ବାଟ କଢାଇଥାଏ, ତେଣୁ ଜ୍ୟୋତି ପାଣିଗ୍ରାହୀଙ୍କ ଉପରେ ବିଜେଡିର ଶୀର୍ଷ ନେତୃତ୍ୱ ଭରସା କରିବେ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନବାଚୀ । ଅତୀତରେ ନିଜ ଗସ୍ତକୁ ନେଇ ବିବାଦୀୟ ହୋଇଥିବା ଏହି ନେତାଙ୍କ ପଂଚାୟତ ଫଳ ଉପରେ ବହୁତ କିଛି ନିର୍ଭର କରୁଥିଲା । କୁହାଯାଉଛି, ଆଗାମୀ ମନ୍ତ୍ରୀମଣ୍ଡଳ ଅଦଳବଦଳରେ ହୁଏତ ଜ୍ୟୋତି ପାଣିଗ୍ରାହୀ ସବୁଠାରୁ ବଡ ଆହ୍ୱାନର ସାମ୍ନା କରିପାରନ୍ତି ।

ସେହିଭଳି ଶାସକ ଦଳର ଆଉ ଜଣେ ବଡ ନେତା ଅନନ୍ତ ଦାସଙ୍କୁ ମଧ୍ୟ ଚଳିତ ପଂଚାୟତ ନିର୍ବାଚନ ବଡ ଚିନ୍ତା ନେଇ ଆସିଛି । ନିଜ ପୁଅକୁ ରାଜନୈତିକ ରାସ୍ତାରେ ବାଟ କଢାଇବା ପାଇଁ ସେ କରିଥିବା ଉଦ୍ୟମ ବିଫଳ ମଧ୍ୟ ହୋଇଛି । ସମିତି ସଭ୍ୟ ପ୍ରାର୍ଥୀ ଭାବେ ପୁଅ ବିଶ୍ୱଜିତ୍ ଦାସ ପଞ୍ଚାୟତ ପରୀକ୍ଷାରେ ଫେଲ ହୋଇଛନ୍ତି । କେବଳ ଏତିକି ନୁହେଁ ଭୋଗରାଇରେ କଂଗ୍ରେସ ଗୋଟିଏ ଜିଲ୍ଲା ପରିଷଦ ଆସନ ହାତେଇବା, ଅନନ୍ତଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ୨୦୧୭ରେ ବିଜେଡି ଏଠାରେ କ୍ଲିନ୍ ସୁଇପ୍ କରିଥିବା ବେଳେ ୨୦୨୨ରେ କଂଗ୍ରେସ ଏଠାରେ ହାତ ଟେକିବା ଅନନ୍ତଙ୍କ ସାଙ୍ଗଠନିକ ଦକ୍ଷତା ଉପରେ କେବଳ ଯେ ପ୍ରଶ୍ନ ଉଠାଇଛି ତାହା ନୁହେଁ ବରଂ ବିଜେଡି ପାଇଁ ସତର୍କଘଣ୍ଟି ବଜାଇଛି । ତେଣୁ ଆଗାମୀ ନିର୍ବାଚନରେ ଅନନ୍ତଙ୍କ ଉପରେ ଦଳ ଭରସା କରିବ କି ନାହିଁ ତାହା ଏବେ ବି ସସପେନ୍ସରେ । ନିକଟରେ ସାମ୍ବାଦିକ ଗୈାତମବୁଦ୍ଧ ଦାସ ବିଜେଡିରେ ସାମିଲ ହୋଇଥିଲେ । ରାଜନୈତିକ ପରିବାରରୁ ଆସିଥିବା ଗୈାତମବୁଦ୍ଧଙ୍କ ନଜର ଏହି ଆସନ ଉପରେ ରହିଛି । ତେଣୁ ୨୦୨୪ ବେଳକୁ ଏଠି ଅଙ୍କ ଗୋଳମାଳିଆ ହେବାର ଅନୁମାନ କରାଯାଉଛି ।

ମଦନମୋହନ ଦତ୍ତଙ୍କ ମୃତ୍ୟୁ ପରେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ପାଇଁ ହୋଇଥିବା ଉପ-ନିର୍ବାଚନ ଯଥେଷ୍ଟ ଚର୍ଚ୍ଚାରେ ରହିଥିଲା । ଯଦିଓ ବିଜେପିର ସଂଗଠନ ଏଠି ମଜଭୁତ ରହିଛି, ତଥାପି ଶାସକ ଦଳ ପଂଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରି ଦେଖାଇଛି । ଏଠି ବିଜେପି ଗୋଟିଏ ଜୋନ ଅକ୍ତିଆର କରିଛି । ଗତ ୨୦୧୭ ନିର୍ବାଚନରେ ବିଜେପି ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ୪ଟି ଆସନରେ ବାଜି ମାରିଥିବା ବେଳେ ଏଥର ଏବେ ସୁଦ୍ଧା ମାତ୍ର ୧ ଗୋଟିଏ ଆସନରେ ସୀମିତ ରହିଛି । ତେଣୁ ବିଜେଡି ଏଠାରେ ଅଧିକ ସଙ୍ଗଠିତ ହୋଇଥିବା ସଂକେତ ମିଳିଛି ।

ବିରୋଧୀ ବିଜେପି ଶିବିରରେ କିନ୍ତୁ ଏହି ଫଳ ନୈରାଶ୍ୟ ଖେଳାଇ ଦେଇଛି । ପ୍ରତାପଙ୍କ ଭଳି ହେଭିୱେଟ ନେତା ଥାଉ ଥାଉ ନୀଳଗିରି ବ୍ଲକର ୩ରୁ ୩ ଜିଲ୍ଲା ପରିଷଦ ଜୋନ ହାତେଇଛି ବିଜେଡି । ୨୦୧୯ରେ ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ପରାସ୍ତ ହୋଇଥିଲେ ରବୀନ୍ଦ୍ର ଜେନା । ଆଉ ପଂଚାୟତ ନିର୍ବାଚନରେ ଜିଲ୍ଲା ସଭାପତି ଭାବେ ନୀଳଗିରିରେ ପ୍ରତାପଙ୍କୁ ଚେକ୍ ଦେବାରେ ସଫଳ ହୋଇଛନ୍ତି । ଖାଲି ଏହି ଗୋଟିଏ ନିର୍ବାଚନ ମଣ୍ଡଳୀ ନୁହେଁ ବରଂ ପୁରା ଜିଲ୍ଲାରେ ବିଜେଡି ଦବଦବା ଜାହିର କରିବାରେ ସମର୍ଥ ହୋଇଛି । ଶ୍ରେୟ ରାଜନୀତିରେ ଏଥିପାଇଁ କାହାକୁ ବିଜେଡି ମୁଖିଆ ଗୁରୁତ୍ୱ ଦେଉଛି, ତାଉପରେ ରାଜନୈତିକ ମହଲର ନଜର ରହିବ, କାରଣ ଆଗକୁ ୩ଟି ରାଜ୍ୟସଭା ଆସନ ଖାଲି ହେଉଛି । ସେଦୃଷ୍ଟିରୁ ପଂଚାୟତ ବିଜୟର ନାୟକ ସାଜିଥିବା ଚେହେରାଙ୍କୁ ନବୀନ ଭରସା କରିବେ ନା ଆଉ କିଛି ମାଷ୍ଟରଷ୍ଟ୍ରୋକ ଛାଡିବେ, ତାକୁ ଅପେକ୍ଷା ।