ବାଲେଶ୍ୱରକୁ ଡେଇଁଲା କରୋନା । ୫୮ ବର୍ଷୀୟ ବ୍ୟକ୍ତିଙ୍କ ନମୂନା ପଜିଟିଭ୍ ଆସିବା ପରେ ୬୧ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା, ବାଲେଶ୍ୱର ନିଳିଆ ବାଗ ଅଂଚଳକୁ ଅବରୋଧ କଲା ଜିଲ୍ଲା ପ୍ରଶାସନ ।

953

କନକ ବ୍ୟୁରୋ: ବାଲେଶ୍ୱରରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ସଜାଗ । ବାଲେଶ୍ୱର ନିଳିଆ ବାଗ ଅଂଚଳକୁ ଅବରୋଧ କଲା ଜିଲ୍ଲା ପ୍ରଶାସନ । ନିଳିଆବାଗ ଅଂଚଳକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ବା ନିଷେଧ ଅଞ୍ଚଳ ଭାବେ ଅବରୋଧ କରିଛି । ଅର୍ଥାତ ଏହି ଅଂଚଳକୁ କେହି ଯାଇପାରିବେ ନାହିଁ କିମ୍ବା ବାହାରକୁ କେହି ଆସିପାରିବେ ନାହିଁ ।

ସେପଟେ ୯୬ ଘଂଟା ପରେ ଆଜି ରାଜ୍ୟରେ ଆଉ ଜଣେ କରୋନା ବା ବାଲେଶ୍ୱରରୁ ପ୍ରଥମ ପଜିଟିଭ୍ ସନ୍ଧ୍ୟାରେ ଚିହ୍ନଟ ହୋଇଥିଲେ । ଉକ୍ତ ଆକ୍ରାନ୍ତଙ୍କୁ ନେଇ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଁଚିଛି । ଆକ୍ରାନ୍ତ ଜଣଙ୍କ ବାଲେଶ୍ୱରର ଓ ସେ ୫୮ ବର୍ଷିୟ ପୁରୁଷ ବୋଲି ସୂଚନା ଦିଆଯାଇଛି ।

ଅନ୍ୟପଟେ ଆଜି ଆଉ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତିନି ଜଣଙ୍କୁ ମିଶାଇ ମୋଟରେ ୨୪ ଜଣ ସୁସ୍ଥ ହୋଇଛନ୍ତି । ଏବଂ ଜଣଙ୍କର ମୃତ୍ୟୁ ହୋଇଛି । ଅର୍ଥାତ ରାଜ୍ୟରେ ବର୍ତମାନ ୩୬ ଜଣ କରୋନା ଆକ୍ରାନ୍ତ ସକ୍ରିୟ ଥିବାବେଳେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ପରୀକ୍ଷା କରାଯାଇଥିବା ମୋଟ ୮ ହଜାର ୬୧୯ଟି ସାମ୍ପୁଲ ମଧ୍ୟରୁ ୬୧ ଜଣଙ୍କର ନମୁନାରୁ ପଜିଟିଭ୍ ଚିହ୍ନଟ ହୋଇଛି । ଯାହାକି ମୋଟ ସାମ୍ପୁଲର ଶୂନ ଦଶମିକ ସାତ ପ୍ରତିଶତ ।