ଚୋରୀ ଅଭିଯୋଗରେ ନାବାଳକକୁ ମରଣାନ୍ତକ ଆକ୍ରମଣ : ୧୩ବର୍ଷର ନାବାଳକକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ପଡୋଶୀ

82

କନକ ବ୍ୟୁରୋ : ଚୋରୀ ଅଭିଯୋଗରେ ନାବାଳକକୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ଶିଶୁକୁ ହସ୍ପିଟାଲରେ ଭର୍ତି କଲେ ପରିବାର ଲୋକ । ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ପଶ୍ଚିମବାଡ ଗାଁର ଏହି ୧୩ ବର୍ଷର ଶିଶୁକୁ ଚୋରୀ କରିଥିବା ଅଭିଯୋଗରେ ଗଛରେ ବାନ୍ଧି ନିସ୍ତୁକ ପିଟିଛନ୍ତି ପଡୋଶୀ ।

ଥାନାରେ ସେକ ଅବଦୁଲ, ଲାଦ ଓ ମିନା ବିବିଙ୍କ ନାଁରେ ଏତଲା ଦିଆଯାଇଛି । ଏହି ତିନିଜଣ ମିଶି ପିଲାଟିକୁ ଗାଁ ମଧ୍ୟଭାଗରେ ଥିବା ଏକ ଗଛରେ ବାନ୍ଧି ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି । ବିଧା, ଗୋଇଠା ମାରି ଗୁରୁତର କରିପକାଇବା ପରେ ତାର ମୁଣ୍ଡରୁ ଚୁଟି କାଟି ଅଧା ନଣ୍ଡା କରିପକାଇଛନ୍ତି । ପିଲାଟିର ମାଆ ଘରେ ରୋଷେଇ କରୁଥିବା ବେଳେ ପାଟିତୁଣ୍ଡ ଶୁଣି ଦୌଡି ଆସିଥିଲେ । ଆଉ ଗାଁ ଲୋକଙ୍କ ସହୟାତରେ ପୁଅକୁ ଉଦ୍ଧାର କରି ପ୍ରଥମେ ପଶ୍ଚିମବାଡ ଡାକ୍ତରଖାନାରେ ଭର୍ତି କରିଥିଲେ ।

ସେଠାରେ ଅବସ୍ଥା ଗୁରୁତର ହୋଇପଡିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜଳେଶ୍ୱର ଆଣି ଜିକେ ଭଟର ହସ୍ପିଟାଲରେ ପିଲାଟିର ଚିକିତ୍ସା କରାଯାଉଛି । ନାବାଳକର ମାଆ ଏନେଇ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ପିଲାଟି ଚୋରୀ କରିଥିଲେ ମଧ୍ୟ, ତାକୁ ପୋଲିସରେ ନଦେଇ ଏଭଳି ସଜା ଦେବାର ଅଧିକାର ଏମାନଙ୍କୁ ଦେଲା କିଏ?