ନାହିଁ ଇକୋ ମେସିନ୍, ବିନା ଆଇସିୟୁରେ ଚାଲିଛି ଟ୍ରମା ୟୁନିଟ୍ । ଏମିତି ଚାଲିଛି ବାଲେଶ୍ୱର ବଡ ଡାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥା
ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ବରିତ ଏବଂ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ଲାଗି ପ୍ରତି ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଟ୍ରମା କେୟାର ୟୁନିଟ୍ ଖୋଲିବାକୁ ସରକାର ଘୋଷଣା କରିଥିଲେ। ଏହି କ୍ରମରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ (ଏଫ୍ଏମ୍ ମେଡିକାଲ କଲେଜ) ୨୦୧୫ ମସିହାରୁ ଖୋଲିଛି ଟ୍ରମା କେୟାର ୟୁନିଟ୍। ହେଲେ ପରିତାପର ବିଷୟ ହେଉଛି, ଏହି ଟ୍ରମା କେୟାର ୟୁନିଟ୍ ମେଡିକାଲ କଲେଜର ଅସ୍ଥିଶଲ୍ୟ (ଅର୍ଥୋପେଡିକ୍) ବିଭାଗ ଭାବେ ବ୍ୟବହାର ହେଉଛି। ଆବଶ୍ୟକ ଭିତ୍ତିଭୂମି ନଥିବାରୁ ରୋଗୀଙ୍କୁ ଏଠାରେ କଲବଲ ହେବାକୁ ପଡ଼ୁଛି। ଉପଯୁକ୍ତ ଚିକିତ୍ସା ସୁବିଧା ନଥିବାରୁ ମୁମୂର୍ଷୁ ରୋଗୀଙ୍କୁ କଟକ, ଭୁବନେଶ୍ବର ସ୍ଥାନାନ୍ତର କରାଯାଉଛି। ବହୁ ସମୟରେ ଅଧା ବାଟରେ ରୋଗୀଙ୍କର ଜୀବନ ବି ଚାଲିଯାଉଛି।
Kanak News is now on WhatsApp
Join and get latest news updates delivered to you via WhatsApp
ବାଲେଶ୍ୱର ବଡ଼ ଡାକ୍ତରଖାନାରେ ଥିବା ଏହି ଟ୍ରମା ୟୁନିଟ୍କୁ ଲେବୁଲ-୨ ଟ୍ରମା ସେଣ୍ଟର ଭାବେ ପରିଣତ କରାଯାଇଛି। ନିୟମ ଅନୁସାରେ, ଟ୍ରମା ୟୁନିଟ୍ରେ ଜଣେ ସ୍ନାୟୁଶଲ୍ୟ ବିଶେଷଜ୍ଞ (ନ୍ୟୁରୋସର୍ଜନ), ଦୁଇ ଜଣ ରଂଜନରଶ୍ମି ବିଶେଷଜ୍ଞ (ରେଡିଓଲୋଜିଷ୍ଟ), ଦୁଇ ଜଣ ପ୍ଲାଷ୍ଟିକ୍ ସର୍ଜନ୍, ୮ ଜଣ କାଜୁଆଲ୍ଟି ମେଡିକାଲ ଅଫିସର, ୪୦ ଜଣ ନର୍ସିଂ ଷ୍ଟାଫ୍, ୧୬ ଜଣ ନର୍ସିଂ ଆଟେଣ୍ଡାଣ୍ଟ, ୫ ଜଣ ଓଟି ଟେକ୍ନିସିଆନ୍, ୪ ଜଣ ରେଡିଓଗ୍ରାଫ୍ର, ଦୁଇ ଜଣ ଲାବ୍ ଟେକ୍ନିସିଆନ୍, ୧୫ ଜଣ ମଲ୍ଟି ୱାର୍କର ରହିବା କଥା। ହେଲେ ଅନୁମୋଦିତ ଡାକ୍ତର ଓ କର୍ମଚାରୀଙ୍କ ଅଧା ବି ନାହାନ୍ତି ଏହି ଟ୍ରମା ୟୁନିଟ୍ରେ। ନର୍ସିଂ ଷ୍ଟାଫ୍ ୪୦ ଜଣଙ୍କ ସ୍ଥାନରେ ଅଛନ୍ତି ମାତ୍ର ୨୦ ଜଣ। ସେମିତି ନର୍ସିଂ ଆଟେଣ୍ଡାଣ୍ଟ ୪ ଜଣ, ଓଟି ଟେକ୍ନିସିଆନ୍ ଓ ରେଡିଓଗ୍ରାଫ୍ର ଜଣେ ଲେଖାଏଁ ରହିଛନ୍ତି। ମୋଟାମୋଟି ଅସ୍ଥିଶଲ୍ୟ ବିଭାଗର ଡାକ୍ତର ହିଁ ସବୁ କିଛି ସମ୍ଭାଳୁଛନ୍ତି। ଟ୍ରମା ୟୁନିଟ୍ରେ ଆବଶ୍ୟକ ଡାକ୍ତରୀ ଉପକରଣ ବି ନାହିଁ। ଅଲଟ୍ରାସାଉଣ୍ଡ, ପୋର୍ଟେବଲ୍ ଏକ୍ସ-ରେ ମେସିନ୍, ଟ୍ରାନ୍ସପୋର୍ଟ ଭେଣ୍ଟିଲେଟର୍, ଇକୋ ମେସିନ୍ ଏଠାରେ ଆଦୌ ନାହିଁ। ଭେଣ୍ଟିଲେଟର ୧୦ଟି ଆବଶ୍ୟକ ଥିବାବେଳେ ଅଛି ମାତ୍ର ୫ଟି। ଟ୍ରମା ୟୁନିଟ୍ରେ ୩୦ଟି ଶଯ୍ୟା ରହିଥିବା ବେଳେ ୫ଟି ଆଇସିୟୁର ସୁବିଧା ରହିଛି। ହେଲେ ଦୁର୍ଭାଗ୍ୟ, କର୍ମଚାରୀ ଅଭାବରୁ ଆଜିଯାଏ ଆଇସିୟୁ କାର୍ଯ୍ୟକ୍ଷମ ହୋଇ ପାରିନାହିଁ।
ବଡ଼ ଡାକ୍ତରଖାନା ମେଡିକାଲ କଲେଜ ଓ ହସ୍ପିଟାଲ ହେବା ପରେ ପୂର୍ବ ଅପେକ୍ଷା ରୋଗୀ ସଂଖ୍ୟା ଢ଼େର ବୃଦ୍ଧି ପାଇଛି। ପ୍ରତି ମାସରେ ୮ ଶହରୁ ଅଧିକ ଗୁରୁତର ରୋଗୀ ଏହି ଯୁନିଟ୍କୁ ଆସୁଛନ୍ତି। ଏଥିରୁ ମାସକୁ ପାଖାପାଖି ଶହେ ରୋଗୀଙ୍କର ଅସ୍ତ୍ରୋପଚାର କରାଯାଉଛି। ହୃଦ୍ରୋଗ ବିଶେଷଜ୍ଞ (କାର୍ଡିଓଲୋଜିଷ୍ଟ), ସ୍ନାୟୁଶଲ୍ୟ ବିଶେଷଜ୍ଞ (ନ୍ୟୁରୋସର୍ଜରୀ) କିମ୍ବା ଟ୍ରମା ସର୍ଜନ୍ ନଥିବାରୁ ପ୍ରାୟ ପ୍ରତିଦିନ ୧୦ରୁ ୧୫ ଗୁରୁତର ରୋଗୀଙ୍କୁ କଟକ, ଭୁବନେଶ୍ବର ସ୍ଥାନାନ୍ତର କରାଯାଉଛି। ସେହିପରି ଇକୋ ମେସିନ୍ ନଥିବାରୁ ରୋଗୀ ବାହାରେ ପରୀକ୍ଷା କରୁଛନ୍ତି। ମେଡିକାଲ କଲେଜ ହେବା ପରେ ଚିକିତ୍ସା କ୍ଷେତ୍ରରେ ଏଠାରେ ଯେଉଁସବୁ ବ୍ୟବସ୍ଥା ରହିବା କଥା ତାହା କେବଳ କାଗଜକଲମରେ ସୀମିତ ରହିଛି।