ବାଲେଶ୍ୱରରେ ବାଜି ମାରିବ କିଏ ? ନିର୍ବାଚନ କୁରୁକ୍ଷେତ୍ରରେ ତିନି ଦକ୍ଷ ପ୍ରାର୍ଥୀ; କାହାକୁ ଭରଷିବେ ଜନତା

ବିଜେଡିରୁ ବର୍ତ୍ତମାନର ସାଂସଦ ରବୀନ୍ଦ୍ର କୁମାର ଜେନା, କଂଗ୍ରେସରୁ ଯୁବନେତା ନବଜ୍ୟୋତି ପଟ୍ଟନାୟକ ଏବଂ ବିଜେପିରୁ ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିର୍ବାଚନ ମୈଦାନରେ ଓହ୍ଲାଇଛନ୍ତି

683

କନକ ବ୍ୟୁରୋ: ରାଜ୍ୟର ଏକ ମର୍ଯ୍ୟାଦାପୂର୍ଣ୍ଣ ଲୋକସଭା କ୍ଷେତ୍ର ବାଲେଶ୍ବର ଆସନ ହାତେଇବା ପାଇଁ ଏଥର ସଂଭ୍ରାନ୍ତ ତଥା ସମାନ୍ତରାଳ ଲଢ଼େଇ ଦେଖିବାକୁ ମିଳିବ। ୧୩ ଜଣ ଆଶାୟୀ ଦୌଡ଼ରେ ଥିବା ବେଳେ ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବା ନିଶ୍ଚିତ। ବିଜେଡିରୁ ବର୍ତ୍ତମାନର ସାଂସଦ ରବୀନ୍ଦ୍ର କୁମାର ଜେନା, କଂଗ୍ରେସରୁ ଯୁବନେତା ନବଜ୍ୟୋତି ପଟ୍ଟନାୟକ ଏବଂ ବିଜେପିରୁ ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରାର୍ଥୀ ହୋଇଥିବାବେଳେ ମଇଦାନରେ କିଏ କାହାକୁ ଟକ୍କର ଦେବେ ସେନେଇ ଜୋରଦାର ଚର୍ଚ୍ଚା ଚାଲିଛି। ପ୍ରଭାବ, ପ୍ରତିଷ୍ଠା ଓ ପ୍ରତିପତ୍ତି ଦୃଷ୍ଟିରୁ କେହି କାହାଠାରୁ କମ୍ ନଥିବା ବେଳେ ବିଜୟ ମୁକୁଟ କିଏ ପିନ୍ଧିବ, ଏବେଠାରୁ ଅନୁମାନ ଲଗାଇବା କାଠିକାର ପାଠ।

ରବୀନ୍ଦ୍ର କୁମାର ଜେନା, ୨୦୧୪ ନିର୍ବାଚନରେ ବିଜେଡିରୁ ନିର୍ବାଚନ ଲଢ଼ି ୪୩୩୭୬୮ ଖଣ୍ଡ ଭୋଟ୍ ପାଇଥିବାବେଳେ ବିଜେପିର ପ୍ରତାପ ଷଡ଼ଙ୍ଗୀ ଓ କଂଗ୍ରେସର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ପଛରେ ପକାଇ ଦେଇଥିଲେ। ଗତ ୫ ବର୍ଷର କାର୍ଯ୍ୟକାଳ ଭିତରେ ସେ ଉଭୟ ସଂସଦ ଓ ସଂସଦୀୟ କ୍ଷେତ୍ରରେ ନିଜର ପତିଆରା ବଢ଼ାଇଛନ୍ତି। ଶ୍ରୀ ଜେନା ଦୁଇ ଦୁଇଥର ଶ୍ରେଷ୍ଠ ସାଂସଦ ପୁରସ୍କାର ପାଇଥିବା ବେଳେ ସୁବର୍ଣ୍ଣରେଖା ବନ୍ଦର, ରିଂ-ରୋଡ, ଇଡକୋ ଟାୱାର, ବାଙ୍କତିରା ଜଳପ୍ରକଳ୍ପ ଭଳି ବଡ଼ ବଡ଼ ପ୍ରସ୍ତାବିତ ପ୍ରକଳ୍ପ ବାଲେଶ୍ବରବାସୀକୁ ଭେଟି ଦେଇଛନ୍ତି। କହିବାକୁ ଗଲେ, ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ କରି ସେ ଲୋକଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି।

ସେହିପରି ସାଂଗଠନିକ ଦୃଷ୍ଟିକୋଣରୁ ଶ୍ରୀ ଜେନା ସଫଳତା ହାସଲ କରିଥିବା ବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ସଭାପତି ଦାୟିତ୍ବ ମଧ୍ୟ ଦେଇଛନ୍ତି। ଜଣେ ଶିଳ୍ପପତି ଭାବେ ମଧ୍ୟ ତାଙ୍କ ପାଖରେ ଯଥେଷ୍ଟ ଅର୍ଥବଳ ରହିଛି। ତେଣୁ ଏଥର ଶ୍ରୀ ଜେନା ତାଙ୍କର ଦକ୍ଷତା ଓ ପ୍ରତିପତ୍ତିକୁ ଆଧାର କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କୁହାଯାଉଛି। ଏହାଛଡ଼ା ବାଲେଶ୍ବରର ପୂର୍ବତନ ସାଂସଦ ତଥା ପୂର୍ବତନ ପିସିସି ସଭାପତି ସ୍ବର୍ଗତ ଚିନ୍ତାମଣି ଜେନାଙ୍କ ପୁତୁରା ଭାବେ ରବୀନ୍ଦ୍ର ବାଲେଶ୍ବରେ କିପରି ଅଧିକ ସଂଖ୍ୟକ ବିଜେଡି ପ୍ରାର୍ଥୀ ବିଧାନସଭାକୁ ନିର୍ବାଚିତ କରାଇବେ, ସେ ନେଇ ଅଙ୍କ କଷୁଛନ୍ତି। ଯାହାଦ୍ବାରା ଦଳରେ ତାଙ୍କର ମଧ୍ୟ ସ୍ଥିତି ସୁଦୃଢ଼ ହୋଇପାରିବ।

ସେହିପରି ବାଲେଶ୍ବର ପାଇଁ ନୂଆ ହୋଇଥିଲେ ବି କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ପଛରେ ପଡ଼ିନାହାନ୍ତି। ନିଜର ଶାନ୍ତ ସ୍ବଭାବ ଓ ଯୁବସୁଲଭ ଉଦ୍ଦାମତା ତାଙ୍କୁ ଲୋକଙ୍କ ପାଖରେ ଅଳ୍ପଦିନ ମଧ୍ୟରେ ବେଶ୍ ପରିଚିତ କରାଇପାରିଛି। ତା’ଛଡ଼ା ପିସିସି ସଭାପତିଙ୍କ ପୁଅ ଭାବେ ମଧ୍ୟ ସେ ଲୋକଙ୍କ ନିକଟତର ହୋଇ ପାରିଛନ୍ତି। ପୂର୍ବରୁ ବାଲେଶ୍ବର କଂଗ୍ରେସର ଗଡ଼ ଥିବା ବେଳେ ଇତିହାସକୁ ଦୋହରାଇବା ସହଜ ହେବ ବୋଲି ଭାବି କଂଗ୍ରେସ ବାଲେଶ୍ବର ଆସନ ପାଇଁ ନବଜ୍ୟୋତିଙ୍କୁ ବାଛିଥିବା କୁହାଯାଉଛି।

image courtesy – en.wikipedia.org

୧୯୫୧, ୧୯୫୭, ୧୯୬୨, ୧୯୭୧, ୧୯୮୦, ୧୯୮୪, ୧୯୯୧, ୧୯୯୬ ଓ ୨୦୦୯ ମସିହାରେ ବାଲେଶ୍ବର ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀମାନେ ଜିତିଥିବା ବେଳେ ଏଥର ଜିତ୍ ଦୋହରାଇବା ପାଇଁ ନବଜ୍ୟୋତି କର୍ମୀଙ୍କ ଭିତରେ ବିଶ୍ବାସ ସୃଷ୍ଟି କରାଉଛନ୍ତି ଏବଂ ଦଳୀୟ ସ୍ଥିତିକୁ ମଜବୁତ କରିବାକୁ ଉଦ୍ୟମ ଚଳାଇଛନ୍ତି। ତାଛଡ଼ା ଦଳ ଜଳେଶ୍ବର ବିଧାନସଭା ଆସନରେ ସୁଦର୍ଶନ ଦାସ, ଭୋଗରାଇ ବିଧାନସଭା ଆସନରେ ସତ୍ୟଶିବ ଦାସ, ସଦର ବିଧାନସଭା ଆସନରେ ମାନସ ଦାସପଟ୍ଟନାୟକ ଓ ବସ୍ତା ବିଧାନସଭା ଆସନରେ ବିଜନ ନାୟକଙ୍କ ଭଳି ଦକ୍ଷ ଓ ଯୁବ ପ୍ରାର୍ଥୀ ଦେଇଥିବାରୁ ନବଜ୍ୟୋତି ଏହାର ସିଧାସଳଖ ଲାଭ ପାଇବେ ବୋଲି ଆକଳନ କରାଯାଉଛି। ମୋଟାମୋଟି ଭାବେ କହିବାକୁ ଗଲେ ନବଜ୍ୟୋତି ତାଙ୍କର ପ୍ରଭାବ, ସ୍ବଭାବ ଓ ପ୍ରତିପତ୍ତିକୁ ଅସ୍ତ୍ର କରି ନିର୍ବାଚନ ଲଢ଼ୁଥିବା ଜଣାପଡ଼ିଛି।

ସେହିପରି ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ ମଧ୍ୟ ନିଜ ବିଜୟ ନେଇ ବେଶ୍ ଆଶାବାଦୀ ଅଛନ୍ତି। ନିର୍ମଳ ଭାବମୂର୍ତି ସାଙ୍ଗକୁ ମୋଦି ହାୱା ତାଙ୍କୁ ସୁହାଇବ ବୋଲି ଆଲୋଚନା ହେଉଛି। ଜିଲ୍ଲାରେ ଦଳୀୟ ସଂଗଠନକୁ ସମ୍ଭାଳିବାରେ ପ୍ରତାପ ବିଗତ ୫ ବର୍ଷ ମଧ୍ୟରେ ଏତେଟା ସଫଳ ହୋଇନଥିଲେ ବି ତାଙ୍କ ପ୍ରତି କର୍ମୀମାନଙ୍କ ସମର୍ଥନ ରହିଥିବା କୁହାଯାଉଛି। ରାଜ୍ୟରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ବ ଭାବେ ପ୍ରତାପ ସ୍ବତନ୍ତ୍ର ପରିଚୟ ଅର୍ଜିଛନ୍ତି। ଏକଦା ରାଜ୍ୟ ରାଜନୀତିର ମଙ୍ଗ ଧରିବା ନେଇ ମଧ୍ୟ ତାଙ୍କ ନାମ ଚର୍ଚାରେ ରହିଥିଲା। ସେହିପରି ଦଳ ବାଲେଶ୍ବର ଲୋକସଭା ଆସନରେ ପୂର୍ବରୁ ଭଲ ପ୍ରଦର୍ଶନ କରିଛି। ୧୯୯୮, ୧୯୯୯, ୨୦୦୪ ମସିହାରେ ଖାରବେଳ ସ୍ବାଇଁ ନିର୍ବାଚନ ଲଢ଼ି ଲଗାତର ଦଳକୁ ବିଜୟୀ କରିଥିବା ବେଳେ ଏଥର ପୁଣି ଥରେ ବିଜୟ ଧାରା ଫେରିବ ବୋଲି ବୋଲି ବିଜେପି ଶିବିର ଆଶା ବାନ୍ଧିଛି। ଏପରି ସମୟରେ ପ୍ରଭାବ ଓ ପ୍ରତିଷ୍ଠାକୁ ସମ୍ବଳ କରି ଅଭିଜ୍ଞ ତଥା ବରିଷ୍ଠ ପ୍ରତାପ ଦୁଇ ଯୁବନେତୃତ୍ବଙ୍କୁ ଟକ୍କର ଦେବା ପାଇଁ ଏକଦମ୍ ପ୍ରସ୍ତୁତ ଥିବା ଭଙ୍ଗୀରେ ନଜର ଆସୁଛନ୍ତି।

ତେବେ ମୋଟାମୋଟି କହିବାକୁ ଗଲେ ବାଲେଶ୍ବରରେ ଏଥର ରବୀନ୍ଦ୍ର, ନବଜ୍ୟୋତି ଓ ପ୍ରତାପଙ୍କ ମଧ୍ୟରେ ସାଂସଦ ପଦ ପାଇଁ ଜୋରଦାର ଲଢ଼େଇ ହେବା ଏକ ପ୍ରକାର ସ୍ପଷ୍ଟ। ହେଲେ ମଇଦାନରେ କିଏ କେତେ ପାଣିରେ ଅଛନ୍ତି, ସେ ନେଇ କିନ୍ତୁ ଚିତ୍ର ଏବେ ବି ଅସ୍ପଷ୍ଟ। ବିଜୟ ପାଇଁ ଯେ ଯାହାର ରଣ କୌଶଳ ଆପଣେଇଥିବା ବେଳେ କିଏ ବାଜି ମାରୁଛି ଆଉ କିଏ ପଛରେ ପଡୁଛି, ତା’ ଉପରେ ରାଜ୍ୟବାସୀଙ୍କ ନଜର କେନ୍ଦ୍ରୀଭୂତ ହୋଇଛି।