ବାଲେଶ୍ୱର : ବାଣ ତିଆରି ବେଳେ ବିସ୍ଫୋରଣ, ୮ ମୃତ ଏବଂ ୮ ଗୁରୁତର

47

କନକ ବ୍ୟୁରୋ : ଦୀପାବଳି ପୂର୍ବରୁ ବଡ଼ ଅଘଟଣ । ବାଣ ଭିଡୁଥିଲେ ବେଳେ ବାଲେଶ୍ୱର ସଦର ବ୍ଳକର ବାହାବଳିପୁରରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ୮ ଜଣ ଜଳିଯାଇ ମୃତ୍ୟୁବରଣ କରିଥିବା ବେଳେ ଆଉ ୮ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ଘଟଣାସ୍ଥଳରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଡାକ୍ତରଖାନା ଯିବା ବାଟରେ ଏବଂ ଡାକ୍ତରଖାନାରେ ଆଉ ଚାରି ଜଣଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି ।

ଗୁରୁତର ଆହତ ହୋଇଥିବା ୮ ଜଣଙ୍କ ଅବସ୍ଥା ସଙ୍କଟପନ୍ନ ରହିଛି । ସେମାନଙ୍କ ଶରୀର ୫୦ ଭାଗରୁ ଅଧିକ ପୋଡି ଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । ନିଆଁକୁ ଆୟତ କରିବାକୁ ଦମକଳବାହିନୀ ନାକେଦମ ହୋଇଥିଲା । ସେପଟେ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆହତଙ୍କ ଚିକିତ୍ସାକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ସେପଟେ ପିପିଲି ବିଲିପଡା ଭୋଇ ସାହିରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଛି । ଏଥିରେ ୪ ଜଣ ଗୁରୁତର ହୋଇଥିବା ବେଳେ ୨ଅସୁସ୍ଥ ହୋଇପଡିଛନ୍ତି । ୪ ଗୁରୁତରଙ୍କୁ କ୍ୟାପିଟାଲ ହସପିଟାଲରୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ୪ଜଣଙ୍କ ଆଖି ନଷ୍ଟ ହୋଯାଇଥିବା ଡାକ୍ତର କହିଛନ୍ତି । ଏମସରେ ବର୍ଣ ୱାର୍ଡ ନଥିବାରୁ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି ।

ଏହା ବ୍ୟତୀତ ଆଜି ରାଉରକେଲା ବାଣ ବଜାରରେ ନିଆଁ ଲାଗି ଯାଇଛି । ସହରର ପାୱାର ହାଉସ ରୋଡରେ ଥିବା ବାଣ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ରାତି ପ୍ରାୟ ୩ଟାରେ ହୋଇଥିବା ଏହି ଅଗ୍ନିକାଣ୍ଡରେ ଭସ୍ମିଭୂତ ହୋଇଛି ୪୮ଟି ବାଣ ଦୋକାନ । ବାଣ ଦୋକାନରେ ଶୋଇଥିବା ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ମୃତ ଯୁବକର ନାଁ ବିଶ୍ୱଜିତ ଜେନା ବୋଲି ଜଣାପଡିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । କୋଟିଏରୁ ଅଧିକ ମୂଲ୍ୟର ବାଣ ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଂଚି ନିଆଁକୁ ଆୟତ କରିଛନ୍ତି । ଅଗ୍ନିକାଣ୍ଡରେ ୧୮ରୁ ବାଇକ ବି ପୋଡି ନଷ୍ଟ ହୋଇଯାଇଛି ।