ସଂପତି ଲଗାଇଲା ପରିବାରରେ କଳି : ଧାନ କଟାକୁ କେନ୍ଦ୍ର କରି ଦୁଇ ଭାଇ ମଧ୍ୟରେ ଗଣ୍ଡଗୋଳ

131

କନକ ବ୍ୟୁରୋ : ସଂପତି ଲଗାଇଲା ପରିବାରରେ କଳି । ଧାନ କଟାକୁ କେନ୍ଦ୍ର କରି ଦୁଇ ଭାଇ ମଧ୍ୟରେ ଗଣ୍ଡଗୋଳ । ସାନ ପୁଅକୁ ସମର୍ଥନ କରି ଧାନବିଲରେ ବଡ ପୁଅକୁ ରଶିରେ ବାନ୍ଧି ପକାଇଲା ବାପା । ସେପଟେ ଭାଉଜକୁ ଧାନ ବିଲରେ ତଂଟି ଚିପି ଗୋଡେଇ ଗୋଡେଇ ପିଟିଲା ଦିଅର । ବାଲେଶ୍ୱର ଜିଲ୍ଲା ନହରା ପଂଚାୟତର କଣ୍ଠାଳି ଗାଁରେ ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ଅନୁସାରେ, କଣ୍ଠାଳି ଗାଁର ଗଙ୍ଗା ନାରାୟଣ ପଢିଆରିଙ୍କ ଦୁଇ ପୁଅ ତପନ ଓ ବିଜୁ ମଧ୍ୟରେ ଦୀର୍ଘ ଦିନ ଧରି ଜମି ବିବାଦ ଲାଗି ରହିଥିଲା । ଆଜି ତପନ ଘରେ ନଥିବା ସୁଯୋଗ ଦେଖି ବାପା ଓ ସାନ ପୁଅ ମିଶି ବିଲରେ ଧାନ କାଟୁଥିଲେ । ଖବର ପାଇ ସପନ ଓ ବୋହୁ ରଂଜିତ ପଢିଆରୀ ପହଂଚି ବାଧା ଦେବାରୁ ରାଗିଯାଇଥିଲେ ବାପା ଓ ସାନ ପୁଅ । ଏହି ଗଣ୍ଡଗୋଳ ସମୟରେ ଭାଉଜକୁ ଦିଅର ଗୋଡେଇ ଗୋଡେଇ ବିଲରେ ମାଡ ମାରିଥିବା ଦେଖିବାକୁ ମିଳିଛି । ସେହିପରି ବାପା ବଡ ପୁଅ ତପନକୁ ବିଲରେ ରଶିରେ ବାନ୍ଧି ପକାଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖବର ପାଇ କମର୍ଦ୍ଧା ପୁଲିସ ଘଟଣାସ୍ଥଳରେ ପହଂଚି ତପନ ଓ ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଗଣ୍ଡଗୋଳ ସମୟର ଭିଡିଓକୁ କେହି ମୋବାଇଲରେ ଉଠାଇ ସୋସିଆଲ ମିଡିଆରେ ଛାଡିଦେବା ପରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି ।