କନକ ବ୍ୟୁରୋ : ସତା ହରାଉଛି ବ୍ରିଟିସ୍ ଅମଳର କୋଷ୍ଟ କେନାଲ । ଦିନେ ନୌବାଣିଜ୍ୟ ସହ ହଜାର ହଜାର ହେକ୍ଟର ଜମିକୁ ଜଳସେଚିତ କରୁଥିବା କେନାଲ ଏବେ ନିଜର ପରିଚୟ ଖୋଜୁଛି । ଜବରଦଖଲକାରୀଙ୍କ କବଜାରେ ଥିବାରୁ ସଠିକ୍ ଭାବରେ ହୋଇପାରୁନାହିଁ ରକ୍ଷଣାବେକ୍ଷଣ । ତେଣୁ ପୋତି ହୋଇଗଲାଣି ବାଲେଶ୍ୱର ବାଲିଆପାଳ ଦେଇ ଯାଇଥିବା କୋଷ୍ଟ କେନାଲ ।

ଅସ୍ତିତ୍ୱ ଖୋଜୁଛି ବାଲେଶ୍ୱର ବାଲିଆପାଳର କୋଷ୍ଟ କେନାଲ । ଜବରଦଖଲକାରୀଙ୍କ କବଜାରେ ଓଡ଼ିଶା ନୌବାଣିଜ୍ୟର ପ୍ରମୁଖ ସ୍ଥାନ କୋଷ୍ଟ କେନାଲ । ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ସ୍ଥାନ ଏବେ ପୋତି ହୋଇଗଲାଣି । କେତେକ ସ୍ଥାନ ଦଳ ଏବଂ ବଣବୁଦାରେ ଭର୍ତି ହୋଇଗଲାଣି । ହଜାର ହଜାର ହେକ୍ଟର ଜମିକୁ ପାଣି ଯୋଗାଇବା ସହ ବନ୍ୟା ସମୟରେ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଏହି କେନାଲ ଏବେ ଚାଷ ଅନୁପଯୋଗୀ ହୋଇଯାଇଛି । ଜବରଦଖଲକାରୀଙ୍କ ଦଖଲରେ ଥିବାରୁ ଜଳ ଯୋଗାଣ ଓ ଜଳ ନିଷ୍କାସନରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି ।

ନଅଙ୍କ ଦୁର୍ଭିକ୍ଷ ପରେ ଖାଦ୍ୟ ବଦଳରେ ଶ୍ରମକୁ ଆଧାର କରି କୋଷ୍ଟ କେନାଲ ଖୋଳିଥିଲେ ବ୍ରିଟିଶ ସରକାର । ୧୮୮୦ରେ ପଶ୍ଚିମବଙ୍ଗର ଗୋଏନାଖାଲି ନିକଟ ହୁଗୁଳି ନଦୀରୁ ଓଡିଶାର ଭଦ୍ରକ ଜିଲ୍ଲା ତାରବାଟିଆ ନିକଟରେ ଥିବା ମନ୍ତେଇ ନଦୀ ପର୍ଯ୍ୟନ୍ତ ପ୍ରାୟ ୨୧୭ କିଲୋମିଟର ବ୍ୟାପି ଏହି କେନାଲ ଖନନ କରାଯାଇଥିଲା । ସେତେବେଳେ ଇଷ୍ଟ ଇଣ୍ଡିଆ କମ୍ପାନୀର ବଡ ବଡ ଜାହାଜ ମାନଙ୍କର ଆମଦାନି ଠାରୁ ରପ୍ତାନୀ ପର୍ଯ୍ୟନ୍ତ ସବୁ କିଛିର ମୁଖ୍ୟ ମାଧ୍ୟମ ଥିଲା ଏହି କେନାଲ । ଐତିହାସିକ କୋଷ୍ଟ କେନାଲ ପୁନଃରୁଦ୍ଧାର ପାଇଁ ଦାବି ହେଉଛି । ସ୍ଥାନୀୟ ବୁଦ୍ଧିଜୀବୀମାନେ ମେଂଟ ଗଠନ କରି କୋଷ୍ଟ କେନାଲର ପୁନଃରୁଦ୍ଧାର ଓ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି ।