ବାଲେଶ୍ୱରରେ ବିଜେଡ଼ି ଆଣିଲା ନୂଆ ଚେହେରା । ସ୍ୱରୁପ କୁମାର ଦାସଙ୍କ ନାଁରେ ମୋହର : ସମ୍ବେଦନାର ଭୋଟ ପାଇଁ ବାଲେଶ୍ୱରରେ ମାନସ ଦତଙ୍କ ପ୍ରଚାର ଆରମ୍ଭ

112

କନକ ବ୍ୟୁରୋ : ଅନେକ ନେତା ଓ ଏକାଧିକ ଆଶାୟୀଙ୍କ ଭିତରେ, କିଏ ହେବ ବିଜେଡିର ବାଲେଶ୍ୱର ଚେହେରା, ତାକୁ ନେଇ ଯେତେ ବଡ଼ ଜଟିଳତା ସୃଷ୍ଟି ହୋଇଥିଲା, ସମାଧାନର ସୂତ୍ର ବି ସେତେ ସରଳତାର ସହ ବାହାର କରିଛନ୍ତି ବିଜେଡି ସୁପ୍ରିମୋ । ଆଉ ଚିରାଚରିତ ଢ଼ଙ୍ଗରେ ସମସ୍ତଙ୍କୁ ଚମକାଇ ଦେଲା ଚେହେରାଙ୍କୁ ମୈଦାନକୁ ଓହ୍ଲାଇଛନ୍ତି ନବୀନ ପଟ୍ଟନାୟକ ।

ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ସ୍ୱରୂପ କୁମାର ଦାସଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ତୃଣମୂଳ ସ୍ତରରେ ଦଳ ସହ ଜଡ଼ିତ  ସ୍ୱରୂପଙ୍କ ପାଇଁ ଭୁବନେଶ୍ୱର ଆସି ଟିକେଟ୍ ନେଇ ଯାଇଛନ୍ତି ବାଲେଶ୍ୱରର ପୂର୍ବତନ ସାଂସଦ ତଥା ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା । ଆଉ ଏପଟେ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଜୀବନ ପ୍ରଦୀପ ଦାସ, ସୁପ୍ରିମୋଙ୍କ ନିଷ୍ପତିକୁ ପ୍ରଶଂସା କରିଥିବା ବେଳେ ସ୍ୱରୂପଙ୍କ ସମର୍ଥନରେ ଅଛନ୍ତି ବୋଲି କହିଛନ୍ତି ।

ଏପଟେ ନାଁ ଘୋଷଣା ହେବା ପରଠାରୁ ପ୍ରଚାର ମୈଦାନକୁ ଓହ୍ଲାଇ ସାରିଛନ୍ତି ବିଜେପି ପ୍ରାର୍ଥୀ ମାନସ ଦତ । କରୋନା କଟକଣା ଭିତରେ ହେଉଥିବା ଏହି ପ୍ରଚାର ଅଭିଯାନରେ ଭାବପ୍ରବଣତାର ସ୍ରୋତ ବୁହାଇବାକୁ ଉଦ୍ୟମ କରିଛନ୍ତି ମାନସ । ନିଜ ବାପା ତଥା ବାଲେଶ୍ୱରର ଦିବଂଗତ ବିଧାୟକ ମଦନ ମୋହନ ଦତଙ୍କ ଫଟୋ ଚିତ୍ର ଧରି ଭାଟ୍ ମାଗୁଛନ୍ତି ବିଜେପିର ଏହି ଯୁବ ଚେହେରା ।

ଆଉ ଏହି ପ୍ରଚାର ଅଭିଯୋନରେ ଦିବଂଗତ ବିଧାୟକ ମଦନ ମୋହନ ଦତଙ୍କ ପତ୍ନୀ ପ୍ରେମଲତା ଦତ ମଧ୍ୟ ପୁଅ ପାଇଁ ଭୋଟ୍ ମାଗୁଥିବାର ଦେଖିବାକୁ ମିଳିଛି । ପ୍ରେମଲତା ଦେତ, ପଣତକାନୀ ଖୋଲି ପୁଅ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି । ଆଉ ଏପଟେ ବିଜେପିର ହାତ ମୁଠାକୁ ଟାଣ କରିବା ପାଇଁ ପ୍ରଚାର ମୈଦାନରେ ସାମିଲ ହୋଇଛନ୍ତି, ବାଲେଶ୍ୱରର ବରିଷ୍ଠ ନେତା ତଥା ବିଜେପି ପ୍ରଚାର କମିଟି ଅଧ୍ୟକ୍ଷ ରୁଘୁନାଥ ମହାନ୍ତି ।
ବାଲେଶ୍ୱର ସଦର ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରି ଲଢ଼େଇ ପାଇଁ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି । ଆଉ ଏହାରି ଭିତରେ କଂଗ୍ରେସ ପ୍ରାର୍ଥୀଙ୍କ ନାଁକୁ ଅପେକ୍ଷା କରାଯାଇଛି ।