ରାଜ୍ୟରେ ଗଡ଼ୁନି ଘରୋଇ ବସ୍ : ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ; ଏପଟେ ଧର୍ମଘଟରେ ସାମିଲ ହୋଇନି ବାଲେଶ୍ୱର ସଂଘ

648

କନକ ବ୍ୟୁରୋ : ରାଜ୍ୟରେ ଗଡ଼ୁନି ଘରୋଇ ବସ୍ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରୁଛି ଘରୋଇ ବସ୍ ମାଲିକ ସଂଘ । ଜିଦରେ ଅଟଳ ରହିଛନ୍ତି ବସ୍ ମାଲିକ ସଂଘ । ବସ୍ ଚଳାଚଳ ନହେବାରୁ ଯାତାୟତ ପାଇଁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ନିଷ୍ପତ୍ତି ନେଇଛି । ଆଜି ରାଜ୍ୟ ବ୍ୟାପି ୧୪ ହଜାର ଘରୋଇ ବସ ଚଳାଚଳ ବନ୍ଦ ରହିବ ।

ଘରୋଇ ବସ୍ ମାଲିକ ସଂଘ ସଫେଇ ରଖି କହିଛି, ଲକ୍ଷ୍ମୀ ଯୋଜନା ନେଇ ସରକାର ଘରୋଇ ବସ ମାଲିକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରିନାହାନ୍ତି । ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ ଦର କମ ରହୁଛି । ସମାନ ସମୟରେ ଲକ୍ଷ୍ମୀ ଓ ଘରୋଇ ବସ ଚଳାଚଳ କରୁଛି । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡୁଛି । ଏହା ସରକାରଙ୍କ ପ୍ରତିଶ୍ରୁତିର ବିରୁଦ୍ଧାଚରଣ କରୁଛି ବୋଲି ସଂଘ ଅଭିଯୋଗ କରିଛି ।

ସେପଟେ ବସ ମାଲିକ ସଂଘ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ବାଲେଶ୍ୱର ଘରୋଇ ବସ ମାଲିକ ସଂଘ ଧର୍ମଘଟରୁ ଓହରିଛି । ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ବାଲେଶ୍ୱର ବସ ମାଲିକ ସଂଘର ସଭାପତି ବାଦଲ ଦାସ । ସେ କହିଛନ୍ତି ଦଶହରା ପର୍ବରେ ବା ଦଶହରା ଛୁଟିରେ ଛାତ୍ରଙ୍କ ଠାରୁ ଆରମ୍ଭ କରି କର୍ମଜୀବୀ ଘରକୁ ଫେରିଥାନ୍ତି ।

ଏପରି ସମୟରେ ବସ ଧର୍ମଘଟ କଲେ ସାଧାରଣ ଲୋକେ ହଇରାଣ ହେବ । ତେଣୁ ବାଲେଶ୍ୱର ଘରୋଇ ବସ ମାଲିକ ସଂଘ ନିଷ୍ପତ୍ତି କ୍ରମେ, ଲୋକଙ୍କ ସ୍ୱାର୍ଥକୁ ଆଖିରେ ରଖି କାଲି ବାଲେଶ୍ୱର ଜିଲ୍ଲାରେ ଘରୋଇ ବସ ଚଳାଚଳ ସ୍ୱାଭାବିକ ରହିବ ବୋଲି କହିଛନ୍ତି ବାଦଲ ଦାସ ।