image courtesy - www.nytimes.com
କନକ ବ୍ୟୁରୋ : ଗୋଟିଏ ଦିନରେ ବାଲେଶ୍ବର ଜିଲ୍ଲାରୁ ପ୍ରାୟ ୨ କୋଟି ୩୦ ଲକ୍ଷର ବ୍ରାଉନ୍ସୁଗାର ଜବତ। ବୁଧବାର ଏସ୍ଟିଏଫ୍ ଓ ପୁଲିସ ଟିମ୍ ଚଢ଼ଉ କରି ନୀଳଗିରି ଅଞ୍ଚଳରୁ ୨ କୋଟି ଓ ଜଳେଶ୍ବରରୁ ୩୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ କରିଛି। ଚଢ଼ଉ ବେଳେ ନୀଳଗିରି ଅଞ୍ଚଳରୁ ଦୁଇଜଣ ଧରାପଡ଼ିଥିବା ବେଳେ ଜଳେଶ୍ବରରେ କିନ୍ତୁ ପୁଲିସକୁ ଚକ୍ମା ଦେଇ ଖସିଯାଇଛନ୍ତି ନିଶା ବେପାରୀ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବାରମ୍ବାର ଚଢ଼ଉ ପରେ ବି ନିଶା ବେପାରୀଙ୍କର ନା ପୁଲିସ ନା ଏସଟିଏଫ୍, କାହା ପ୍ରତି ଖାତିର ନାହିଁ।
ନୀଳଗିରି ରାସ୍ତା ଦେଇ ବ୍ରାଉନସୁଗାର ଚାଲାଣ ହେଉଥିବା ଖବର ପାଇବା ପରେ ଏସ୍ଟିଏଫ୍ର ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ କରିବାକୁ ଗତକାଲିଠୁ ପ୍ରସ୍ତୁତ ହୋଇ ରହିଥିଲା। ରାତି ପ୍ରାୟ ୩ଟାରେ ମିତ୍ରପୁର ଅଞ୍ଚଳର ପ୍ରଦୀପ ଦାସ ଓ କଲ୍ୟାଣୀ ଗ୍ରାମର ଲକି ବେହେରାଙ୍କୁ ମାଡ଼ି ବସିଥିଲା ଏସ୍ଟିଏଫ ଏବଂ ନୀଳଗିରି ପୁଲିସ। ସେମାନେ ବିବାହ ଭୋଜିରୁ ଫେରୁଥିବା ବେଳେ ଧରାପଡ଼ିଯାଇଥିଲେ। ଉଭୟଙ୍କଠାରୁ ୨ କୋଟିର ବ୍ରାଉନସୁଗାର ଜବତ କରିବା ପରେ ଏସ୍ଟିଏଫ୍ ସେମାନଙ୍କୁ ଭୁବନେଶ୍ବର ନେଇ ଯାଇଥିବା ସୂଚନା ମିଳିଛି।
ସେପଟେ ଜଳେଶ୍ବର ଥାନା ଝାଡ଼େଶ୍ବପୁରରେ ବ୍ରାଉନସୁଗାର କାରବାର ନେଇ ଖବର ପାଇବା ପରେ ଏସଟିଏଫ୍ ଓ ପୁଲିସ ଟିମ୍ ଗ୍ରାମର ସେକ୍ ଏକଲାକଙ୍କ ଘରେ ଚଢ଼ଉ କରିଥିଲା। ଟାର୍ଗେଟ୍ରେ ଥିଲେ ସେକ୍ ଏକଲାକ ଓ ତାର ଦୁଇ ଭାଇ। ଏସ୍ଟିଏଫ୍ ସେଠାରୁ ୩୦୦ ଗ୍ରାମ ବ୍ରାଉନ୍ସୁଗାର ଜବତ କରିଥିଲେ ମଧ୍ୟ ତିନିଭାଇ ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ଜବତ ବ୍ରାଉନ୍ସୁଗାରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି।
Follow Us