କନକ ବ୍ୟୁରୋ: ବଙ୍ଗୋପସାଗର ଏବେ ବାଲେଶ୍ୱର ବାଲିଆପାଳବାସୀଙ୍କ ଦୁଃଖ ପାଲଟିଛି । ସମୁଦ୍ର ଉପକୁଳବର୍ତ୍ତୀ ୬ ଟି ପଂଚାୟତର ୩୫ରୁ ଅଧିକ ଗ୍ରାମବାସୀ ଏବେ ଆଶା ଆଶଙ୍କାରେ ରହିଛନ୍ତି । ବିଭିନ୍ନ ସମୟରେ ଆସୁଥିବା ସାମୁଦ୍ରିକ ବାତ୍ୟା ଯୋଗୁଁ ସମୁଦ୍ରର ତଟ କ୍ଷୟ ହେଉଛି । ଏହାସହ ସମୁଦ୍ରତଟବର୍ତ୍ତୀ ଅଞ୍ଚଳରେ ନଷ୍ଟ ହେଉଛି ହେକ୍ଟର ହେକ୍ଟର ଝାଉଁ ଜଙ୍ଗଲ । ଉପକୂଳକୁ ସୁରକ୍ଷା ଦେଉଥିବା ଝାଉଁ ଜଙ୍ଗଲ ସମୁଦ୍ର ଗର୍ଭକୁ ଚାଲି ଯିବା ପରେ ଜନବସତିର ପାଳି ପଡିବା ନେଇ ଆଶଙ୍କା କରୁଛନ୍ତି ଲୋକେ । ତେବେ ଏବେଠାରୁ କିଛି ପଦକ୍ଷେପ ନିଆ ନଗଲେ ପରିସ୍ଥିତି ଭୟଙ୍କର ହେବା ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି ।
ସବଜେଟ୍-ପଥର ବନ୍ଧନଥିବାରୁ ସମୁଦ୍ରର ଢେଉ ମାଡରେ ଭାସିଗଲାଣି ଝାଉଁ ଜଙ୍ଗଲ । ଆଉ ଗାଁ ଆଡକୁ ମାଡି ଆସୁଛି ସମୁଦ୍ର । ବାଲିଆପାଳ ବ୍ଲକର ଜମ୍ଭୀରାଇ, ପଂଚୁପାଲି, ବୋଳଙ୍ଗ, ସାଉଡି, ନୁଆଗାଁ ଏବଂ ସଦର ବ୍ଲକର କଷାଫଳ ପଂଚାୟତ ବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ବଙ୍ଗୋପସାଗରରେ ଉଠୁଥିବା ଜୁଆର ଏବଂ ଢେଉ । ଢେଉ ମାଡରେ ଝାଉଁ ଜଙ୍ଗଲ ନଷ୍ଟ ହେବା ପରେ ସମୁଦ୍ରରେ ଲୀନ ହେବାକୁ ଯାଉଛି ଉପକୂଳବାସୀଙ୍କ ଭିଟାମାଟି । ସ୍ଥାନୀୟ ଲୋକେ କହୁଛନ୍ତି ଏବେ ସମୁଦ୍ର ଯେଉଁଠି, ଆଗରୁ ସେଠାରେ ଝାଉଁ ଜଙ୍ଗଲ ଥିଲା । ସମୁଦ୍ର କୁଳ ଲଙ୍ଘି ଝାଉଁ ଜଙ୍ଗଲକୁ ନେବା ସହ ବାଲି ବନ୍ଧକୁ ନଷ୍ଟ କରି ଦେଇଛି ।
ସମୁଦ୍ରର କରାଳ ରୂପକୁ ଦେଖି ଉପକୂଳବର୍ତ୍ତୀ ୬ ପଂଚାୟତର ୪୦ ହଜାରରୁ ଅଧିକ ଲୋକ ଭୟ ଏବଂ ଆତଙ୍କରେ ଦିନ କାଟୁଛନ୍ତି । ଏକର ଏକର ଚାଷ ଜମି, ପାନ ବରଜ ସମୁଦ୍ର ଗର୍ଭକୁ ଯିବାକୁ ବସିଲାଣି । ସମୁଦ୍ର ଉପକୁଳରେ ଥିବା ବାଲି ବନ୍ଧକୁ ସୁରକ୍ଷିତ ରଖିବା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଥିଲା । ବିଭିନ୍ନ ସମୟରେ ଆସୁଥିବା ସାମୁଦ୍ରିକ ଝଡ ଯୋଗୁଁ ବର୍ଷକୁ ପ୍ରାୟ ୫୦ ଫୁଟରୁ ଅଧିକ ବାଲି ବନ୍ଧ ଧୋଇ ହୋଇଯାଉଛି । ସେପଟେ ତଟ ସୁରକ୍ଷା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ୨୦୧୬ ମସିବାରୁ ୧୧ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତୁତ ହୋଇଛି । ହେଲେ ଅର୍ଥ ମଞ୍ଜୁର ହୋଇ ନପାରିବାରୁ ଶୀତଳ ଭଣ୍ଡାରରେ ପଡି ରହିଛି ପ୍ରକଳ୍ପ । ଆଉ ବିପଦ ମୁହଁରେ ପଡିଛନ୍ତି ଉପକୂଳବାସୀ । ଯଦି ଯୁଦ୍ଧକାଳିନ ଭିତ୍ତିରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ନହୁଏ, ଆଗାମୀ ଦିନରେ କୌଣସି ସାମୁଦ୍ରିକ ବାତ୍ୟା ଆସେ ତେବେ ଉପକୁଳବର୍ତ୍ତୀ ଗାଁ ଗୁଡିକ ପ୍ରଭାବିତ ହେବାର ଆଶଙ୍କା ରହିଛି ।