ଚକଖଡିରେ ଲୌହମାନବ । ବିଶ୍ୱର ସବୁଠୁ କ୍ଷୁଦ୍ର ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପ୍ରତିକୃତି ତିଆରି କରି ଚର୍ଚ୍ଚାରେ ଚିତ୍ରଶିଳ୍ପୀ ସଞ୍ଜୟ ରାଉଳ ।

200

କନକ ବ୍ୟୁରୋ: ଚକଖଡିରେ ଲୌହମାନବଙ୍କ ଚମକ୍ରାର ଚିତ୍ର । ଖଡିରେ ଖୋଦେଇ କରି ସମସ୍ତଙ୍କୁ ଚମକାଇଦେଲେ ବାଲେଶ୍ୱରର ଚିତ୍ରଶିଳ୍ପୀ । ସର୍ଦ୍ଦାର ପଟେଲଙ୍କ ପୁଣ୍ୟତିଥିରେ ଯୁବ ଚିତ୍ରଶିଳ୍ପୀ ସଞ୍ଜୟ ରାଉଳ ଚକଖଡିରେ ତାଙ୍କ ପ୍ରତିକୃତି ତିଆରି କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମାତ୍ର ଘଣ୍ଟାଏ ଭିତରେ ମହାପୁରୁଷଙ୍କ କ୍ଷୁଦ୍ର ପ୍ରତିକୃତି କରି ବେଶ ଚର୍ଚ୍ଚାରେ ରହିଛନ୍ତି ସଞ୍ଜୟ । ତେବେ ଏହା ବିଶ୍ୱର ସବୁଠାରୁ ଛୋଟ ପ୍ରତିକୃତି ବୋଲି କୁହାଯାଉଛି ।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ନାମ୍ପୋ ଗାଁର ସଞ୍ଜୟ ପିଲାବେଳୁ ଚିତ୍ର ପ୍ରତି ଆଗ୍ରହୀ ଥିଲେ । ବିଭିନ୍ନ ସମୟରେ ସେ କଳାକୁ ନେଇ ପରୀକ୍ଷା ନିରିକ୍ଷା କରନ୍ତି । ସଂପ୍ରତି ବାଲେଶ୍ୱର ଆର୍ଟ କଲେଜରେ ଅଧ୍ୟାପକ ଥିବା ସଞ୍ଜୟ କେତେବେଳେ ଇଟାରେ ମଣିଷର ପାଦ ତିଆରି କରନ୍ତି ତ କେବେ ବୁଦ୍ଧଙ୍କ ଚିତ୍ରରେ ଭିନ୍ନ ଏକ ବାର୍ତା ଦିଅନ୍ତି । ସର୍ଦ୍ଦାର ପଟେଲଙ୍କ ଏହି କ୍ଷୁଦ୍ର ପ୍ରତିକୃତି କରିବା ପୂର୍ବରୁ ସେ ସର୍ବପଲି ରାଧାକ୍ରିଷ୍ଣଙ୍କର ମଧ୍ୟ ପ୍ରତିକୃତି ଆଙ୍କିଥିଲେ । ଛୁଞ୍ଚି ସାହାଯ୍ୟରେ ଚକ ଖଡିକୁ ଖୋଦେଇ କରି ଓଡିଶାର ୬ ବରପୁତ୍ରଙ୍କର ବି ପ୍ରତିକୃତି ସଞ୍ଜୟ ତିଆରି କରିସାରିଛନ୍ତି । କଥା ସମ୍ରାଟ ଫକୀର ମୋହନ, ଉକ୍ରଳମଣି ଗୋପବନ୍ଧୁ ଦାସ, ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ମଧୁ ବାରିଷ୍ଟରଙ୍କର ଚକଖଡିରେ ଚମକ୍ରାର କଳା ଦେଖାଇ ଚର୍ଚ୍ଚା ସୃଷ୍ଟି କରିଥିବା ସଞ୍ଜୟ ଏବେ ପୁଣି ଚର୍ଚ୍ଚିତ ହୋଇଛନ୍ତି ।