ଭୋଟ୍ ଦେଲେ ଜନତା, ଇଭିଏମରେ ସିଲ ହେଲା ନେତାଙ୍କ ଭାଗ୍ୟ । କୋଭିଡ୍ କଟକଣା ଭିତରେ ବାଲେଶ୍ୱର ଓ ତିର୍ତୋଲ ଉପ-ନିର୍ବାଚନ ପାଇଁ ପଡ଼ିଲା ଭୋଟ୍

128

କନକ ବ୍ୟୁରୋ : ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପାଇଁ ଭୋଟ ଦେଇଛନ୍ତି ଜନତା । ଆଉ ଇଭିଏମରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । କୋଭିଡ କାଳରେ ହୋଇଥିବା ମତଦାନରେ ବିପୁଳ ପରିମାଣରେ ମତ ସାବ୍ୟସ୍ତ କରିଛନ୍ତି ଭୋଟର । ରାଜ୍ୟ ନିର୍ବାଚନ ଅଧିକାରୀ ଦେଇଥିବା ସୂଚନା ଅନୁସାରେ, ସଂଧ୍ୟା ୬ଟା ସୁଦ୍ଧା ବାଲେଶ୍ୱର ୭୧ ପ୍ରତିଶତ ଓ ତିର୍ତୋଲରେ ୬୯.୯ ପ୍ରତିଶତ ମତଦାନ ହୋଇଛି । ଏବେ ବି ବାଲେଶ୍ୱରର ୩୦ଟି ବୁଥ୍ରେ ମତଦାନ ଜାରି ରହିଛି । ସଂଧ୍ୟା ୬ଟା ପୂର୍ବରୁ ମତଦାନ କେନ୍ଦ୍ରରେ ପହଂଚିଥିବା ଭୋଟରମାନେ ଭୋଟ ଦେଉଛନ୍ତି ।

ଗଣତନ୍ତ୍ରର ପ୍ରବାହକୁ ଅଟକାଇ ପାରିନି ମହାମାରୀ । କୋଭିଡ୍ କଟକଣା ଭିତରେ ଭୋଟ୍ ଦେବାକୁ ସ୍ୱତଃବୃତ ଭାବରେ ଆଗେଇ ଆସିଛନ୍ତି ଭୋଟର୍ । ମତଦାନକୁ ନେଇ ଜନତାଙ୍କ ଭିତରେ ଆଗ୍ରହର ବି ବଢ଼ିଛି, ଯାହା ନିର୍ବାଚନର ଭୋଟ୍ ପ୍ରତିଶତ ପ୍ରମାଣ କରୁଛି ।

ପ୍ରଶାସନର ପ୍ରସ୍ତୁତି ଜନତାଙ୍କ ଆଗ୍ରହକୁ ଆହୁରି ବଢ଼ାଇ ଦେଇଛି । କାରଣ, ସବୁ ମତଦାନ କେନ୍ଦ୍ରରେ ଥର୍ମାଲ ସ୍କ୍ରିନିଂ, ସାମାଜିକ ଦୁରତା, ହାତ ଧୋଇବା ପାଇଁ ବ୍ୟବସ୍ଥା, ଗ୍ଲୋଭସ ଲଗାଇ ମତଦାନ କରିବାର ବ୍ୟବସ୍ଥା କରାଯାଇଛି । ପରିବର୍ତିତ ପରିବେଶରେ ହେଉଥିବା ନିର୍ବାଚନରେ ଜନତାଙ୍କ ସହ ନେତା ଓ ରାଜନୈତିକ ଦଳର କର୍ମୀମାନେ ମଧ୍ୟ ପ୍ରଶାସନର ଏହି ନିୟମ ପାଳନ କରି ନିଜ ନିଜ ମତ ସାବ୍ୟସ୍ତ କରିଛି । ଆଉ ମତଦାନକୁ ନେଇ ଆଶାୟୀ ଅଛନ୍ତି ମୈଦାନରେ ଥିବା ପ୍ରାର୍ଥୀ ।

କାଁ-ଭା ଗୋଟିଏ ଦୁଇଟି ବୁଥ୍କୁ ଛାଡ଼ି ଦେଲେ ଉଭୟ ବାଲେଶ୍ୱର ସଦର ଏବଂ ତିର୍ତୋଲ ଉପ-ନିର୍ବାଚନରେ ଅତି ଶୃଙ୍ଖଳିତ ଭାବେ ମତ ସାବ୍ୟସ୍ତ କରିଛନ୍ତି ଭୋଟର୍ । ପ୍ରଥମରୁ ମତଦାନ ପ୍ରକ୍ରିୟା ସାମାନ୍ୟ ମନ୍ଥର ଥିଲେ ମଧ୍ୟ, ପରେ ବିପୁଳ ମତଦାନ ହୋଇଛି ।