ଭୋଟ୍ ଦେଲେ ଜନତା, ଇଭିଏମରେ ସିଲ ହେଲା ନେତାଙ୍କ ଭାଗ୍ୟ: କୋଭିଡ୍ କଟକଣା ଭିତରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ପଡ଼ିଲା ଭୋଟ୍

ସନ୍ଧ୍ୟା ୬ଟା ସୁଦ୍ଧା ବାଲେଶ୍ୱରରେ ୭୧ ଓ ତିର୍ତୋଲରେ ୬୯.୯ ପ୍ରତିଶତ ମତଦାନ

70

କନକ ବ୍ୟୁରୋ: ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପାଇଁ ଭୋଟ ଦେଇଛନ୍ତି ଜନତା । ଆଉ ଇଭିଏମରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । କୋଭିଡ କାଳରେ ହୋଇଥିବା ମତଦାନରେ ବିପୁଳ ପରିମାଣରେ ମତ ସାବ୍ୟସ୍ତ କରିଛନ୍ତି ଭୋଟର । ରାଜ୍ୟ ନିର୍ବାଚନ ଅଧିକାରୀ ଦେଇଥିବା ସୂଚନା ଅନୁସାରେ, ସଂଧ୍ୟା ୬ଟା ସୁଦ୍ଧା ବାଲେଶ୍ୱର ୭୧ ପ୍ରତିଶତ ଓ ତିର୍ତୋଲରେ ୬୯.୯ ପ୍ରତିଶତ ମତଦାନ ହୋଇଛି ।

ଗଣତନ୍ତ୍ରର ପ୍ରବାହକୁ ଅଟକାଇ ପାରିନି ମହାମାରୀ । କୋଭିଡ୍ କଟକଣା ଭିତରେ ଭୋଟ୍ ଦେବାକୁ ସ୍ୱତଃବୃତ ଭାବରେ ଆଗେଇ ଆସିଛନ୍ତି ଭୋଟର୍ । ମତଦାନକୁ ନେଇ ଜନତାଙ୍କ ଭିତରେ ଆଗ୍ରହର ବି ବଢ଼ିଛି, ଯାହା ନିର୍ବାଚନର ଭୋଟ୍ ପ୍ରତିଶତ ପ୍ରମାଣ କରୁଛି । ପ୍ରଶାସନର ପ୍ରସ୍ତୁତି ଜନତାଙ୍କ ଆଗ୍ରହକୁ ଆହୁରି ବଢ଼ାଇ ଦେଇଛି । କାରଣ, ସବୁ ମତଦାନ କେନ୍ଦ୍ରରେ ଥର୍ମାଲ ସ୍କ୍ରିନିଂ, ସାମାଜିକ ଦୁରତା, ହାତ ଧୋଇବା ପାଇଁ ବ୍ୟବସ୍ଥା, ଗ୍ଲୋଭସ ଲଗାଇ ମତଦାନ କରିବାର ବ୍ୟବସ୍ଥା କରାଯାଇଛି ।

ପରିବର୍ତିତ ପରିବେଶରେ ହେଉଥିବା ନିର୍ବାଚନରେ ଜନତାଙ୍କ ସହ ନେତା ଓ ରାଜନୈତିକ ଦଳର କର୍ମୀମାନେ ମଧ୍ୟ ପ୍ରଶାସନର ଏହି ନିୟମ ପାଳନ କରି ନିଜ ନିଜ ମତ ସାବ୍ୟସ୍ତ କରିଛି । ଆଉ ମତଦାନକୁ ନେଇ ଆଶାୟୀ ଅଛନ୍ତି ମୈଦାନରେ ଥିବା ପ୍ରାର୍ଥୀ । ତେବେ କାଁ-ଭା ଗୋଟିଏ ଦୁଇଟି ବୁଥକୁ ଛାଡ଼ି ଦେଲେ ଉଭୟ ବାଲେଶ୍ୱର ସଦର ଏବଂ ତିର୍ତୋଲ ଉପ-ନିର୍ବାଚନରେ ଅତି ଶୃଙ୍ଖଳିତ ଭାବେ ମତ ସାବ୍ୟସ୍ତ କରିଛନ୍ତି ଭୋଟର୍ । ପ୍ରଥମରୁ ମତଦାନ ପ୍ରକ୍ରିୟା ସାମାନ୍ୟ ମନ୍ଥର ଥିଲେ ମଧ୍ୟ, ପରେ ବିପୁଳ ମତଦାନ ହୋଇଛି ।

ମତଦାନକୁ ନେଇ ଜନତାଙ୍କ ଆଗ୍ରହ ଏବଂ ବିପୁଳ ପରିମାଣ ହୋଇଥିବା ମତଦାନ, ଭୋଟର୍ଙ୍କ ମୁଡ୍କୁ ସୂଚାଇ ଦେଉଛି । ତେବେ ତିର୍ତୋଲରେ ପ୍ରାର୍ଥୀ ଥିବା ତିନି ପ୍ରମୁଖ ଦଳର ନେତାଙ୍କ ଦାବି ହେଉଛି, ସେମାନଙ୍କ ସପକ୍ଷରେ ଯିବ ଜନମତ । ଜନତାଙ୍କ ଉତ୍ସାହ ଓ ନେତାଙ୍କ ଦୃଢ଼ୋକ୍ତି ଭିତରେ ବାଲେଶ୍ୱରରେ କିଏ ମାରୁଛି ବାଜି? ଏବଂ କାହାକୁ ବାଛୁଛି ତିର୍ତ୍ତୋଲ? ଆସନ୍ତା ୧୦ ତାରିଖରେ ସ୍ପଷ୍ଟ ହୋଇଯିବ, ଯେତେବେଳେ ବିଧିବଦ୍ଧ ଭାବରେ ଘୋଷଣା ହେବ ନିର୍ବାଚନ ଫଳାଫଳ ।