କ୍ୟାନସରରେ ପୀଡିତ ବାପାଙ୍କୁ ଭୁବନେଶ୍ୱରରେ ଚିକିତ୍ସା କରାଇବା ୨ ଭାଇଙ୍କୁ ପଡିଲା ମହଙ୍ଗା: ବାଲେଶ୍ୱରକୁ ଫେରିବା ପରେ ଘରେ ପୁରାଇଲେନି ଘର ମାଲିକ

କଥା ପହଂଚିଲା ଥାନାରେ; ଏବେ ବନ୍ଧୁଙ୍କ ଆଉଟହାଉସରେ କଟୁଛି ଦିନ

437

କନକ ବ୍ୟୁରୋ: ବାପାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ନେବା ମହଙ୍ଗା ପଡିଲା ୨ ଭାଇଙ୍କୁ । କରୋନା ଭୟରେ ଘରେ ପୁରାଇଲନେି ଘର ମାଲିକ । ଭୁବନେଶ୍ୱରରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ବାଲେଶ୍ୱରରେ ଭଡାଘରେ ପହଂଚିବା ପରେ ସେମାନଙ୍କ ପାଇଁ ଗେଟରେ ପଡିଯାଇଥିଲା ତାଲା । ସ୍ଥିତି ଏପରି ହୋଇଥିଲା ଯେ ପୋଲିସ ଓ ପ୍ରଶାସନର ହସ୍ତ କ୍ଷେପ କରିବାକୁ ପଡିଥିଲା । ପ୍ରାୟ ୮ ଘଂଟା ପରେ  କେବଳ ବାପା ମା ଘରକୁ ଆସିପାରିଥିଲେ  ହେଲେ ଦୁଇଭାଇଙ୍କୁ ମିଳିନଥିଲା ଅନୁମତି ।

ସାରା ଦେଶରେ ତାଲା ବନ୍ଦ ଚାଲିଥିବା ବେଳେ, କରୋନାର ଭୟ ଓ ଆଶଙ୍କା ଭିତରେ ବାଲେଶ୍ୱରର ଏହି ଦୁଇଭାଇଙ୍କ ପାଇଁ ଭଡାଘର କବାଟ ବନ୍ଦ । ଏହି ଦୁଇ ଭାଇ ଅମିତ ଓ ଚନ୍ଦନଙ୍କ ଦୋଷ ହେଲା ଏତିକି, କ୍ୟାନସରରେ ପିଡିତ ବାପାଙ୍କୁ ପ୍ରଶାସନର ଅନୁମତି ନେଇ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସା କରାଇଥିଲେ । ଚିକିତ୍ସା ସାରି ବାଲେଶ୍ୱର ଫେରିବା ବେଳକୁ ଭଡାଘର ମାଲିକ ସେମାନଙ୍କୁ ଘରେ ପୁରାଉନାହାନ୍ତି ।

ଘରେ ନପୁରାଇବା ପରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ ୨ ଭାଇ । ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ବାପା ମାଙ୍କୁ ଘରେ ରହିବାକୁ ଅନୁମତି ମିଳିଲା । କିନ୍ତୁ ୮ଘଂଟାର କସରତ ପରେ । ହେଲେ ୨ ଭାଇଙ୍କୁ ଘରେ ସ୍ଥାନ ମିଳିଲା ନାହିଁ । ଶେଷରେ ଜଣେ ବନ୍ଧୁଙ୍କ ଏହି ଆଉଟହାଉସରେ ରହିଲେ ଦୁଇ ଭାଇ । ନା ଖାଇବା ପାଇଁ କିଛି ଅଛି ନା ଅଛି ପାଣିର ବ୍ୟବସ୍ଥା । ସାଙ୍ଗସାଥି ଯାହା ଆଣି ଦେଲେ ସେଥିରେ ଦିନ ବିତୁଛି ରାତି କଟୁଛି ।