ଦୁଃଖ ବଖାଣିଲେ ବଲାଙ୍ଗୀରର ବିଏ ପାସ ଦାଦନ: ପାଠ ପଢି ଚାକିରି ନମିଳିବାରୁ ରାଜ୍ୟ ବାହାରେ ଇଟ୍ଟା ଭାଟିରେ କାମ କରୁଥିଲେ ବଲାଙ୍ଗୀରର ସୁଷମା: କହିଲେ, ନିଯୁକ୍ତି ନାହିଁ, ପରିବାର ଚଳିବ କେମିତି

1,063

କନକ ବ୍ୟୁରୋ: ଦାଦନ ଓ ଯନ୍ତ୍ରଣାକୁ ନେଇ ବେଶ ଚର୍ଚିତ ବଲାଙ୍ଗିର । ଜିଲ୍ଲାରେ ଶିଳ୍ପ ଓ ଜଳ ସେଚନର ଅଭାବ ଯୋଗୁଁ ପ୍ରତିବର୍ଷ ବଲାଙ୍ଗୀରରୁ ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଆନ୍ତି । ମୁଖ୍ୟତଃ ସେମାନେ ଇଟାଭାଟିରେ କାମ କରିବାକୁ ଯାଆନ୍ତି । ହେଲେ ଏଠି କେବଳ ଗରିବ ଅପାଠୁଆ ଦାଦନ ହୁଅନ୍ତି ନାହିଁ, ଏଠି ବିଏ ପଢି ଚାକିରିର ସ୍ୱପ୍ନ ଦେଖୁଥିବା ଯୁବପିଢି ବି ଦାଦନ ଖଟନ୍ତି ।

ବଲଙ୍ଗିର ସଦର ମହୁକମା ନିକଟ ଲକ୍ଷପାଲି ଗାଁରେ ଏକ ଗରିବ ପରିବାରରେ ସୁଷମାଙ୍କ ଜନ୍ମ । ବାପା ଇନ୍ଦ୍ର ନାଗଙ୍କ ଗୋଟିଏ ବୋଲି ଝିଅ । ଗରିିବୀ ସୀମା ରେଖା ତଳେ ଥିବା ପରିବାରକୁ ସରକାରଙ୍କ ଇନ୍ଦିରା ଆବାସ ମିଳିଛି । ସରକାରୀ ଚାଉଳ ବି ମିଳେ । ବାପା-ମାଆ ଦୁହେଁ ଦାଦନ ଖଟି ସୁଷମାଙ୍କୁ ପାଠ ପଢାଇଲେ । ସୁଷମା ବିଏ ପଢି ଚାକିରି କଲେ ବାପା ଗରିବୀ ଦୂର ହେବ ବୋଲି ଆଶା ରଖିଥିଲେ । ହେଲେ ସେମିତି କିଛି ହେଲା ନାହିଁ । ଝିଅ ବି ଦାରିଦ୍ର୍ୟର ଯନ୍ତ୍ରଣା ଭିତରେ ଜୁଝି ହେଲା । ଚାକିରି ନପାଇ ବାପା-ମାଆଙ୍କ ସହ ସେହି ଇଟାଭାଟିରେ ଦାଦନ ଖଟିଲା ।

ଚାକିରି ଆଶା ମଉଳି ଯିବା ପରେ ସବୁ ସ୍ୱପ୍ନକୁ କବର ଦେଇ ଦାଦନ ଖଟିବାକୁ ଯାଇଥିଲେ ସୁଷମା । ସେ ରାଜ୍ୟ ବାହାରେ ସେଇ ଇଟା ଭାଟିରେ ଖଟୁଥିଲେ, ଯେଉଁଠି ରକ୍ତକୁ ପାଣି କରି ତାଙ୍କ ପାଠ ପଢା ପାଇଁ ଟଙ୍କା ରୋଜଗାର କରୁଥିଲେ ତାଙ୍କ ବାପା-ମାଆ । ଏବେ ଯଦିଓ କରୋନା କଟକଣା ଯୋଗୁଁ ସୁଷମା ଏବେ ଘରକୁ ଫେରି ଆସିଛନ୍ତି । ହେଲେ ଏବେ ବି ତାଙ୍କ ମନରେ ଅନେକ ଅବଶୋଷ ରହି ଯାଇଛି । ତେବେ କେବଳ ସୁଷମା ନୁହଁନ୍ତି, ତାଙ୍କ ଭଳି ଆହୁରି ଅନେକ ଯୁବକ ଯୁବତୀ ଅଛନ୍ତି, ଯେଉଁମାନେ ପାଠକୁ ଅଧାରେ ଛାଡି ଦାଦନ ଖଟୁଛନ୍ତି ।