ସୁକତେଲ ସେତୁ ଭୁଶୁଡ଼ିବା ଘଟଣା : ‘ଭାଙ୍ଗିବା ବେଳେ ବି ନିୟମ ପାଳନ ହୋଇନଥିଲା’ : ଅଭିଯୋଗ ଫର୍ଦ୍ଦ ବି କିଛି କମ ନଥିଲା

303

କନକ ବ୍ୟୁରୋ : ନିମ୍ନମାନର କାମ ନେଇ ସବୁ ଜାଣିଥିଲେ। ଅଭିଯୋଗ ଫର୍ଦ୍ଦ କମ୍‌ ନଥିଲା। ତଦନ୍ତ ହୋଇଥିଲା। ଦିଲ୍ଲୀରୁ ବିଶେଷଜ୍ଞ ଦଳ ଆସି ତଦନ୍ତ କରି ରିପୋର୍ଟ ଦେଇଥିଲେ। ସେତୁରେ ଫାଟ ଥିଲା ବୋଲି ରିପୋର୍ଟ ଦେଇଥିଲା ଟିମ୍‌। ଦୁର୍ନୀତି ପରିମାଣ ଏତେ ଥିଲା ଯେ, ମରାମତି ହେବାର ସମ୍ଭବ ନଥିଲା। ଏଣୁ ସେତୁର ଗୋଟିଏ ଭାଗ ଭାଙ୍ଗିବାକୁ ଯୋଜନା ହୋଇଥିଲା। ଯେଉଁ ଠିକା ସଂସ୍ଥା ନିମ୍ନମାନର କାମ କରିଥିଲା, ତାକୁ ହିଁ ଦିଆଯାଇଥିଲା ସେହି ସେତୁ ଭାଙ୍ଗିବା ଓ ତାର ପୁନଃନିର୍ମାଣ କାମ। ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ଏବେ ପଦାକୁ ଆସିଛି। ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମ‌େ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ ସତ୍ୟଜିତ ଚକ୍ରବର୍ତ୍ତୀ, ଅଧୀକ୍ଷଣ ଯନ୍ତ୍ରୀ ହେମନ୍ତ ଦତ୍ତ ଭୁଶୁଡ଼ିଥିବା ପୋଲ ସଂପର୍କରେ ଗଣମାଧ୍ୟମକୁ ଦେଇଥିବା ସୂଚନାରୁ ଏହା ସ୍ପଷ୍ଟ ହୋଇଛି।

ସୂଚନାଯୋଗ୍ୟ ଯେ ପାଟଣାଗଡ଼ ତମିଆଁରୁ ମୁଦୁଲସରକୁ ସଂଯୋଗ କରୁଥିବା ପୁରସ୍କାରପ୍ରାପ୍ତ ସେତୁ ଭୁଶୁଡ଼ିବା ପରେ ଘଟଣାସ୍ଥଳକୁ ଯାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ ଇଂ ଚକ୍ରବର୍ତ୍ତୀ ତଦନ୍ତ କରିଥିଲେ। ଏଥିପାଇଁ ସେ ସଂପୃକ୍ତ ଠିକା ସଂସ୍ଥାକୁ ଦାୟୀ କରିଥିଲେ। ନିୟମ ପାଳନ ନକରି କାମ କରାଯାଉଥିଲା ଓ ଏଥିପାଇଁ ଦୁଇଟି ମୂଲ୍ୟବାନ ଜୀବନ ଯାଇଥିବା ନେଇ ଦୁଃଖ ପ୍ରକାଶ କରିଥିଲେ। ମୁଖ୍ୟଯନ୍ତ୍ରୀ ଇଂ ଚକ୍ରବର୍ତ୍ତୀ ଗଣମାଧ୍ୟମକୁ କହିଥିଲେ, ସେତୁ ଭୁଶୁଡ଼ିବା ଦୁଃଖଦ ଘଟଣା। ଏଥିରେ ଯେଉଁମାନେ ସବୁ ଦାୟୀ କାର୍ଯ୍ୟାନୁଷ୍ଠାନ ହେବ। ସେତୁ କାମ ନିମ୍ନମାନର ହୋଇଛି ବୋଲି ଅଭିଯୋଗ ପୂର୍ବରୁ ବିଭାଗ ନିକଟକୁ ଆସିଥିଲା। ଏହାପରେ ଭାରତ ସରକାରଙ୍କ ପକ୍ଷରୁ ବିଶେଷଜ୍ଞ ଟିମ୍‌ ଆସି ତଦନ୍ତ କରିଥିଲେ। ଦିଲ୍ଲୀରୁ ରାଇମନ ସାରଙ୍କ ସହ ଆସିଥିବା ଟିମ୍‌ ତଦନ୍ତ କରିଥିଲେ। ରିପୋର୍ଟରେ ସେମାନେ ଦବିଯାଇଥିବା ପୋଲ ମରାମତି ହୋଇପାରିବ ନାହିଁ ଏବଂ ତାକୁ ନୂଆ ତିଆରି କରିବାକୁ ପଡ଼ିବ ବୋଲି ଉଲ୍ଲେଖ କରିଥିଲେ। ପୋଲର ଯେଉଁ ଭାଗ ଦବିଛି, ସେହି ଭାଗ ଭାଙ୍ଗି ନୂଆ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ। ସେହିକ୍ରମରେ ପୋଲ ଭଙ୍ଗା କାମ ଚାଲିଥିଲା। ହେଲେ ପୋଲ ଭାଙ୍ଗିବା ନେଇ ଯେଉଁ ନିୟମ ସବୁ ରହିଛି ତାହା ପାଳନ କରାଯାଇନଥିବା ସେ ତଦନ୍ତରେ ଜାଣିବାକୁ ପାଇଥିବା କହିଛନ୍ତି।

ନିମ୍ନମାନର କାମ ନେଇ ମୁଖ୍ୟ ଯନ୍ତ୍ରୀଙ୍କୁ ପଚରାଯିବାରୁ ଦିଲ୍ଲୀ ଟିମ୍‌ ତାଙ୍କ ରିପୋର୍ଟରେ ତାହା ଉଲ୍ଲେଖ କରିନଥିବା ପ୍ରକାଶ କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି, ୭କୋଟି ବ୍ୟୟ ଅଟକଳର ଏକ ପୋଲ କାମ ହେବାର ୫ ବର୍ଷ ପୂରିନଥିବା ବେଳେ କେମିତି ଦବିଲା? ଯଦି ଦିଲ୍ଲୀ ଟିମ୍‌ ରିପୋର୍ଟରେ ସେତୁର ମରାମତି ହେଲେ ଚଳିବ ନାହିଁ ଏବଂ ନୂଆ ନିର୍ମାଣ ପାଇଁ ପରାମର୍ଶ ଦେଇଥିଲା ତାହାହେଲେ କାର୍ୟ୍ୟାନୁଷ୍ଠାନ ହେଲା ନାହିଁ କାହିଁକି? ପୁଣି ଯେଉଁ ଠିକା ସଂସ୍ଥା ନିମ୍ନମାନର କାମ କରିଥିଲା, ତାକୁ ହିଁ ଦିଆଯାଇଥିଲା ସେହି ସେତୁ ଭାଙ୍ଗିବା ଓ ତାର ପୁନଃନିର୍ମାଣ କାମ। ଏହା ପଛରେ ରହସ୍ୟ କଣ ବୋଲି ପ୍ରଶ୍ନ ଉଠିଲାଣି।