ଅବହେଳିତ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର । ପର୍ଯ୍ୟଟନ ସ୍ଥଳୀର ହୋଇପାରୁନି ରକ୍ଷଣାବେକ୍ଷଣ, ଚାରିଆଡେ ଖାଲି ଅଳିଆ ଆବର୍ଜନା ।

134

କନକ ବୁରୋ : ଅବହେଳିତ ବଲାଙ୍ଗିରର ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବଲାଙ୍ଗିର । ଜିଲ୍ଲାର ଏକ ମୁଖ୍ୟ ପର୍ଯ୍ୟଟନସ୍ଥଳୀ ହେଉଛି ହରିଶଙ୍କର । ସ୍ଥାନଟିର ସୌନ୍ଦର୍ଯ୍ୟରେ ଲୋକେ ଯେତିକି ବିଭୋର ହୁଅନ୍ତି ତାଠାରୁ ଢେର ଅଧିକ ଆକର୍ଷିତ କରି ଏହାର ଆଧ୍ୟାତ୍ମିକ ପୃଷ୍ଟଭୂମି । ହରି ଓ ହର ଏଠାରେ ଏକାକାରରେ ପୂଜା ପାଇଥାନ୍ତି । ତେଣୁ ଏହି ପୀଠରେ ବର୍ଷକ ବାର ମାସ ଲୋକଙ୍କ ଭିଡ ଲାଗିଥାଏ । ହେଲେ ଏବେ ଏହା ଅବହେଳିତ ହୋଇ ପଡିଛି ।

ଓଡିଶାର ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳି ହରିଶଙ୍କର । ବଲାଙ୍ଗିର ସହର ଠାରୁ ୮୦ କିଲୋମିଟର ଦୂରରେ ଥିବା ହରିଶଙ୍କରରେ ଅତ୍ମବିଭୋର ହେବା ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟ । ଚାରି ଆଡେ ବଣ ପାହାଡ, ପାହାଡ ଉପରୁ ବହି ଆସୁଛି ଝରଣା । ସବୁଠୁ ସୁନ୍ଦର ହରିଶଙ୍କରରେ ଥିବା ପ୍ରାକୃତିକ ସ୍ଲାଇଡର, ଯାହା ଝରଣାରେ ଗାଧୋଇବା ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ଆଉ ଝରଣାରେ ଗାଧୋଇବା ପରେ ପାହାଡ ଉପରେ ମନ୍ଦିରରେ ଏକାଠି ପୂଜା ପାଉଥିବା ଶିବ ଓ ବିଷ୍ଣୁଙ୍କ ଦର୍ଶନ କରିଥାନ୍ତି ପର୍ଯ୍ୟଟକ । ଏବେ କରୋନା କଟକଣା ଯୋଗୁଁ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ଥିବାରୁ ପର୍ଯ୍ୟଟକ ହରି-ହରଙ୍କ ଦର୍ଶନ ନକରି ଫେରୁଛନ୍ତି ।

ହରିଶଙ୍କରକୁ ବର୍ଷ ତମାମ ରାଜ୍ୟ ଓ ରାଜ୍ୟ ବାହରରୁ ପର୍ଯ୍ୟଟକ ଆସିଥାନ୍ତି । ପଡୋଶୀ ଝାଡଖଣ୍ଡ ଓ ଛତିଶଗଡରୁ ପ୍ରତିଦିନ ଶ୍ରଦ୍ଧାଳୁ ଆସିଥାନ୍ତି । କିନ୍ତୁ ଏହି ପର୍ଯ୍ୟଟନ ସ୍ଥଳର ରକ୍ଷଣାବେକ୍ଷଣକୁ ନେଇ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚାରିଆଡେ ଅଲିଆ ଅବର୍ଜନା ପଡି ରହୁଛି ।

ଝରଣାରେ ଗାଧୋଇବା ପରେ ମହିଳା ପର୍ଯ୍ୟଟକଙ୍କ ସ୍ନାନଶୌଚ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଅନେକ ସମସ୍ୟା ଯୋଗୁଁ ହରିଶଙ୍କରକୁ ଆସୁଥିବା ଦେଖଣାହାରୀ ମନଦୁଃଖ କରୁଛନ୍ତି । ଇତିହାରରେ ନିଜର ଏକ ସ୍ୱତନ୍ତ୍ର ଛାପ ରଖିଥିବା ହରିଶଙ୍କର ଅବହେଳିତ ଅବସ୍ଥାରେ ଥିବା ବେଳେ ଏହାର ଉନ୍ନତି ପାଇଁ ପର୍ଯ୍ୟଟକ ଦାବି କରିଛନ୍ତି ।