ବଲାଙ୍ଗୀରରେ ଚାଞ୍ଚଲ୍ୟ । ଆତ୍ମହତ୍ୟା କରିଛନ୍ତି ୪ ଯୁବକ ଓ ଯୁବତୀ, ହେଲେ କାହିଁକି?

1,304

କନକ ବ୍ୟୁରୋ : ସମସ୍ତେ ନୂଆବର୍ଷ ଉତ୍ସବରେ ମସଗୁଲ ଥିବା ବେଳେ ବଲାଙ୍ଗୀର ଜିଲ୍ଲାର ଦୁଇଟି ସ୍ଥାନରୁ ଗୋଟିଏ ଦିନରେ ଦୁଇ ଯୋଡ଼ା ପ୍ରେମିକ-ପ୍ରେମିକାଙ୍କ ଶବ ଉଦ୍ଧାର ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଜିଲ୍ଲାର ତୁରେକେଲା ଥାନା ଭରୁଆକାନି ଗାଁ ଜଙ୍ଗଲରୁ ଦୁଇଜଣଙ୍କ ଏବଂ ରିନବଚନ ନିକଟ ବଲାଙ୍ଗୀର-ସମ୍ବଲପୁର ରେଳଲାଇନ୍ରୁ ଦୁଇଜଣଙ୍କ ଶବ ଉଦ୍ଧାର କରାଯାଇଛି। ତେବେ ସେମାନେ ଆତ୍ମହତ୍ୟା କରିଛନ୍ତି କି ସେମାନଙ୍କୁ ହତ୍ୟା କରାଯାଇଛି ସେ ନେଇ ପୁଲିସ କିଛି ସ୍ପଷ୍ଟ ସୂଚନା ପାଇପାରୁନାହିଁ। ଉଭୟ ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ ଆରମ୍ଭ ହୋଇଛି। ବଲାଙ୍ଗୀର ଜିଲ୍ଲାରେ ଏହା ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ଭରୁଆକାନି ଜଂଗଲର ଦୁଇଟି ପାଖାପାଖି ଗଛରୁ ମିଳିଥିବା ଯୁବକ ଯୁବତୀଙ୍କ ଶବ ସେହି ଗାଁର ସୁଶାନ୍ତ ମିର୍ଦ୍ଧା (୨୬) ଓ ସେବତୀ ହଂସ (୨୫)ଙ୍କର ବୋଲି ଚିହ୍ନଟ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୁଶାନ୍ତ ଓ ସେବତୀଙ୍କ ମଧ୍ୟରେ ୪ ବର୍ଷ ହେଲା ପ୍ରେମ ସଂପର୍କ ରହିଥିଲା। ମାତ୍ର ଉଭୟେ ଭିନ୍ନ ଜାତିର ହୋଇଥିବାରୁ ସେମାନଙ୍କ ପରିବାର ଲୋକେ କୁଆଡ଼େ ଏହି ସଂପର୍କକୁ ଗ୍ରହଣ କରୁନଥିଲେ। ଗାଁ ନିକଟ ଜଙ୍ଗଲର ଗୋଟିଏ ଗଛରେ ସେବତୀଙ୍କ ଶବ ଓ ଅନ୍ୟ ଗଛରେ ସୁଶାନ୍ତଙ୍କ ଶବ ଝୁଲୁଥିବା ଦେଖିଥିଲେ। ତୁରେକେଲା ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ସୁଶାନ୍ତଙ୍କ ବାହାଘର ଅନ୍ୟ ସ୍ଥାନରେ ଠିକ୍ ହୋଇଥିଲା। ଜାନୁଆରିରେ ନିର୍ବନ୍ଧ ଓ ଫେବ୍ରୁଆରିରେ ବିବାହ ହେବାର ଥିଲା। ଏଥିପାଇଁ ପୁଅ ଘର ଲୋକମାନେ ପ୍ରସ୍ତୁତି ସାରିଥିଲେ। ବରଯାତ୍ରୀ ଯିବା ପାଇଁ ଗାଡ଼ି ମଧ୍ୟ ଠିକ୍ ହୋଇସାରିଥିଲା। ପ୍ରେମରେ ବିଫଳ ହେବାରୁ ଦୁହେଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ଅନ୍ୟପକ୍ଷରେ ଉଭୟ ପରିବାର ଲୋକ ଏମାନଙ୍କ ପ୍ରେମ ସଂପର୍କ ବିଷୟରେ ଜାଣିନଥିବା କଥା କହୁଛନ୍ତି। କିଛି ଲୋକ ଏହା ହତ୍ୟା କି ଅନର୍ କିଲିଂ ବି ହୋଇଥାଇପାରେ ବୋଲି ଆଲୋଚନା କରୁଥିବାରୁ ପୁଲିସ ସେ ଦିଗରେ ମଧ୍ୟ ତଦନ୍ତ କରୁଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ରିନବଚନ ନିକଟ ରେଳଲାଇନ୍ରୁ ଉଦ୍ଧାର ଯୁବକ ଓ ଯୁବତୀଙ୍କ ଶବ ଚିହ୍ନଟ ହୋଇପାରିନାହିଁ। ପରିଚୟ ମିଳି ନଥିବାରୁ ବ୍ୟବଚ୍ଛେଦ ପରେ ଶବ ଦୁଇଟିକୁ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ଶବାଗାରରେ ରଖାଯାଇଛି। ପ୍ରାଥମିକ ତଦନ୍ତ ପରେ ଉଭୟେ ରେଳଧାରଣାରେ ଆତ୍ମହତ୍ୟା କରିଥିବା ପୁଲିସ କହୁଛି। ଜିଆର୍ପି ସୂଚନା ଅନୁସାରେ, ଗୁରୁବାର ସକାଳେ ରେଳ ଲାଇନରେ ଦୁଇଟି ଶବ ପଡ଼ିଥିବା ଖବର ପାଇ ରେଳବାଇ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା। ମୃତ ଯୁବତୀଙ୍କ ବୟସ ପ୍ରାୟ ୨୦ ବର୍ଷ ଓ ଯୁବକଙ୍କ ବୟସ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଶବ ଦୁଇଟି ପ୍ରାୟ ୫୦ ମିଟର ବ୍ୟବଧାନରେ ପଡ଼ିରହିଥିଲା। ଯୁବତୀଙ୍କ ମୁଣ୍ଡ ସଂପୂର୍ଣ୍ଣ ଛେଚି ହୋଇ ଯାଇଥିବାରୁ ଚିହ୍ନି ହେଉନାହିଁ। ଯୁବକଙ୍କ ମୁଣ୍ଡ ଫାଟିବା ସହ ହାତ, ଗୋଡ଼ର ବିଭିନ୍ନ ସ୍ଥାନ ଭାଙ୍ଗି ଯାଇଛି। ବାମ ଗୋଡ଼ କଟିଯାଇଛି। ଉଭୟେ ପ୍ରେମିକ ପ୍ରେମିକା ଓ ସେମାନେ ଆତ୍ମହତ୍ୟା କରିଥିବା ରେଳବାଇ ପୁଲିସ କହୁଥିଲେ ମଧ୍ୟ କେହି ସେମାନଙ୍କୁ ମାରି ରେଳଲାଇନରେ ପକାଇ ଦେଇଥିବା କଥାକୁ ମଧ୍ୟ ଏଡ଼ାଇ ଦେଇ ହେବ ନାହିଁ ବୋଲି ଆଲୋଚନା ହେଉଛି। ଏ ନେଇ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।