କନକ ବ୍ୟୁରୋ : ମତଦାନର ୪ ଦିନ ଆଗରୁ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକର ବହୁଚର୍ଚ୍ଚିତ ବିଲେଇସର୍ଡା ସରପଂଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆଙ୍କୁ ଲାଗିଛି ଜୋରଦାର ଝଟକା । କାରଣ ସରପଂଚ ପଦବୀ ନିଲାମ ଘଟଣାରେ ସୁଶାନ୍ତଙ୍କ ନାଁରେ ଏତଲା ଦେବାପାଇଁ ଜିଲ୍ଲାପାଳ ଚଚଂଳ ରଣା ପୁଇଁତଳା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏତଲା ପାଇବା ପରେ ପୁଇଁତଳା ଥାନା ପୋଲିସ ମାମଲା ରୁଜୁ କରିଥିବା ଜଣାପଡିଛି । ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ବିଳାସିନୀ ଶର୍ମା ପ୍ରଶାସନକୁ ଦେଇଥିବା ପ୍ରମାଣକୁ ଜବତ କରି ତଦନ୍ତ ଆଗେଇବ ବୋଲି ଆଇଆଇସି କହିଛନ୍ତି ।

Advertisment

ପୁଇଁତଳା ବ୍ଲକ ବିଲେଇସର୍ଡା ପଂଚାୟତର ସରପଂଚ ପଦବୀ ପାଇଁ ଗାଁର ଜଗନ୍ନାଥ ମନ୍ଦିର ପୂଜା କମିଟି ବୈଠକ ନିଲାମ ହୋଇଥିବା ଅଭିଯୋଗ ହୋଇଥିଲା । ସରପଂଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିୟା ୪୪ ହଜାର ଟଙ୍କାରେ ନିଲାମ ଜିତିଥିଲେ । ହେଲେ ୪୪ ହଜାର ନୁହେଁ ସରପଂଚ ପଦବୀ ୪୪ ଲକ୍ଷରେ ନିଲାମ ହୋଇଥିବା ଅଭିଯୋଗ କରିଥିଲେ କିଛି ଲୋକ । ଏପରିକି କନକ ନ୍ୟୁଜ କ୍ୟାମେରାରେ ଏନେଇ ଅଭିଯୋଗ କରିଥିଲେ ବିଲେଇସର୍ଡା ବାସିନ୍ଦା ତଥା ସମାଜସେବୀ ବିରେନ୍ଦ୍ର କୁମାର ପଣ୍ଡା । ଗତକାଲି ସେ ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଭୋଟ ହାତେଇବା ପାଇଁ କସୁରପାଲି ଗାଁର ପାଟଣେଶ୍ୱରୀ ମନ୍ଦିର ପୂଜା କମିଟିକୁ ସୁଶାନ୍ତ ୪ ଲକ୍ଷ ୨୦୦ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି । ଏ ସଂପର୍କୀତ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ନିଜେ ମନ୍ଦିର ପୂଜକ ଚକ୍ରଧର ପଣ୍ଡା, ମନ୍ଦିରକୁ ସୁଶାନ୍ତ ୪ ଲକ୍ଷ ଟଙ୍କା ଦେଇଥିବା କଥା କହୁଛନ୍ତି ।

ପ୍ରଶ୍ନ କରୁଥିବା ବ୍ୟକ୍ତି-
ହାରିଗଲେ ସିଏ ପଇସା ମାଗିବ ?
ମନ୍ଦିର ପୂଜାରୀ ଚକ୍ରଧର ପଣ୍ଡା-
ସିଏ ମାଗୁ, ପଇସା କୋଉଠୁ ଆଣିବୁ । ଆମେ ତ ମନ୍ଦିରରେ ଲଗାଇ ଦେଇଛୁ । ଆମେ ଖାଇ ଦେବୁ କି ଏଇଟା? ଆମେ ତ ମନ୍ଦିରରେ ଲଗାଇବାକୁ ମାଗିଛୁ । ସିଏ ହାରୁ କି ଜିତୁ । ଆମେ କ’ଣ ଜିତାଇବୁ ?
ପ୍ରଶ୍ନ କରୁଥିବା ବ୍ୟକ୍ତି-
ବିଲେଇସର୍ଡାରେ ତମର କଣ ମତଲବ?
ମନ୍ଦିର ପୂଜାରୀ ଚକ୍ରଧର ପଣ୍ଡା-
ଆମର କ’ଣ ଅଛି ବିଲେଇସର୍ଡାରେ?
ପ୍ରଶ୍ନ କରୁଥିବା ବ୍ୟକ୍ତି-
ମାନେ କସୁରପାଲିରେ ୨୦୦ ଭୋଟ୍ ପାଇଁ ତାକୁ ଜବାବ ଦେଇଛ?
ମନ୍ଦିର ପୂଜାରୀ ଚକ୍ରଧର ପଣ୍ଡା-
ହଁ ଆମେ ଦେବୁ ତତେ ୪ ଲକ୍ଷ ପାଇଁ । ଆମର ମନ୍ଦିର ହେଉ । ଯିଏ ସରପଂଚ ହେଉ ଆମର କ’ଣ ଅଛି । ସେଥିରୁ ବି ଆମେ ୫୦/୧୦୦ କାଟିଦେବୁ ।