ବଲାଙ୍ଗୀର ଡାକ ଅଧୀକ୍ଷକଙ୍କୁ ମହଙ୍ଗା ପଡିଲା ଅଦାଲତ ଅବମାନନା : ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ ନମାନିବା ଅଭିଯୋଗରେ ଗିରଫ କଲା ପୋଲିସ୍

170

କନକ ବ୍ୟୁରୋ : ବଲାଙ୍ଗୀର ଡାକ ଅଧୀକ୍ଷକଙ୍କୁ ମହଙ୍ଗା ପଡିଲା ଅଦାଲତା ଅବମାନନା । ଡାକ ଅଧୀକ୍ଷକ ଦେବୀ ପ୍ରସାଦ ନାଏକଙ୍କୁ ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ ନମାନିବା ଅଭିଯୋଗରେ ଗିରଫ କରିଛି ବଲାଙ୍ଗୀର ଟାଉନ୍ ଥାନା ପୋଲିସ୍ । ଡାକ ବିଭାଗରେ ଜମା କରିଥିବା ଜଣେ ଗ୍ରାହକଙ୍କ ବଣ୍ଡ ହଜିଯିବାରୁ ତାଙ୍କ ମ୍ୟାଚ୍ୟୁରିଟୀ ଟଙ୍କା ଅଟାକାଇଦେଇଥିଲା ବିଭାଗ । ଏହି ମାମଲାରେ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ଜମାକାରୀ । ମାମଲାର ଶୁଣାଣି କରି ତୁରନ୍ତ ପ୍ରାପ୍ୟ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଖାଉଟି ଅଦାଲତ ।

ଏହାକୁ ଚ୍ୟାଲେଞ୍ଜ କରି ଉଚ୍ଚ ଫୋରମ ଯାଇଥିଲା ଡାକବିଭାଗ । ହେଲେ ଜମାକାରୀଙ୍କ ବିଜୟ ହୋଇଥିଲା । ତଥାପି କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନଥିବାରୁ ଅଦାଲତ ଅବମାନନା ଅଭିଯୋଗରେ ପୋଷ୍ଟାଲ ଅଧୀକ୍ଷକଙ୍କ ବିରୋଧରେ ୱାରେଂଟ ଜାରି କରିଥିଲେ କୋର୍ଟ । ପୋଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ପରେ ଗ୍ରାହକୁ ତୁରନ୍ତ ୪ଲକ୍ଷ ଟଙ୍କା ଦେବା ସହ ପୋଷ୍ଟାଲ ଅଧୀକ୍ଷକଙ୍କୁ ମାସେ ଜେଲ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । କିନ୍ତୁ ପରେ ତାଙ୍କୁ ଜାମିନ ପ୍ରଦାନ କରିବା ସହ ଉପର କୋର୍ଟରେ ଆବେଦନ କରିବାକୁ ସୁଯୋଗ ଦେଇଛନ୍ତି ।