କନକ ବ୍ୟୁରୋ : ପଞ୍ଚାୟତ ରାଜନୀତିର ରୋଚକ ଦୃଶ୍ୟ । ନିର୍ବାଚନରେ ଦୁଇ ପଡୋଶୀ ମଧ୍ୟରେ ଲଢେଇ । ବଲାଙ୍ଗିର ପାଟଣାଗଡ଼ ବେଲପଡ଼ା ବ୍ଲକର ଗୋଟିଏ ପରିବାରର ୭ ଜଣ ଓ ଆଉ ଏକ ପରିବାରର ୪ ଜଣ ସଦସ୍ୟ ନିର୍ବାଚନ ଲଢୁଛନ୍ତି । ବେଲପଡ଼ାର ଗଣେଶ କୁମ୍ଭାରଙ୍କ ପରିବାରର ୭ ଜଣ ସଦସ୍ୟ ସମିତି ସଭ୍ୟ ପାଇଁ ପ୍ରଚାର ଚଳାଇଛନ୍ତି ।

Advertisment

ସେହିପରି ରୁକୁ ସୁନାଙ୍କ ପରିବାରର ୪ ଜଣ ପ୍ରାର୍ଥୀ ମଧ୍ୟ ଜୋରଦାର ପ୍ରଚାର କରୁଛନ୍ତି । ରୁକୁ ସୁନା ସମ୍ବଲପୁରୀ ଷ୍ଟାର ସିଙ୍ଗର ଭାବେ ବେଶ୍ ଜଣାଶୁଣା । ତେଣୁ ଗୀତ ଗାଇ ସେ ଭୋଟ୍ ଭିକ୍ଷା କରୁଛନ୍ତି । ସେହିପରି ତାଙ୍କ ପରିବାର ଅନ୍ୟ ଜଣେ ସଦସ୍ୟ ମଧ୍ୟ ଜଣେ ଆଲବମ ଅଭିନେତା । ତେଣୁ ଏମାନେ ଭିନ୍ନ ଅନ୍ଦାଜରେ ପ୍ରଚାର ଚଳାଇଛନ୍ତି ।

ସେହିପରି ପଂଚାୟତ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଗାଁ ଦାଣ୍ଡରେ ଦେଖିବାକୁ ମିଳୁଛି ରୋଚକ ଦୃଶ୍ୟ । ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭିନ୍ନ ଧରଣରେ ଭୋଟରଙ୍କୁ ମନାଉଛନ୍ତି ସମିତି ସଭ୍ୟ ପ୍ରାର୍ଥୀ । ବିଷଣୁପୁରବିନ୍ଧା ପଂଚାୟତରେ ସ୍ୱାଭିମାନ ମଂଚର ସମିତି ସଭ୍ୟ ଭାବେ ଧନେଶ୍ୱର ନାଥ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ମିଳିଛି କେଟିଲ ଚିହ୍ନ ।

ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅଭିନବ ଉପାୟ ଆପଣେଇଛନ୍ତି ଧନେଶ୍ୱର । ପ୍ରତିଦିନ ନିଜ ଅଂଚଳରେ କେଟିଲରେ ଚାହା ଧରି ବାଂଟିବା ଦୃଶ୍ୟ ଏବେ ବେଶ ପ୍ରଭାବିତ କରିଛି ଭୋଟରଙ୍କୁ । କେଟିଲ ଚିହ୍ନଟ ହୋଇଥିବାରୁ ଲୋକଙ୍କୁ ତାଙ୍କ ଚିହ୍ନରେ ପରିଚିତ କରିବା ପାଇଁ ଏଭଳି କରୁଥିବା କହିଛନ୍ତି ଧନେଶ୍ୱର ।