କନକ ବ୍ୟୁରୋ : ବଲାଙ୍ଗୀର ମେଡିକାଲ କଲେଜର ହଷ୍ଟେଲ ଛାତରୁ ଖସିପଡି ଡାକ୍ତର ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ନିଶାନ୍ତ କୁମାର, ଯିଏ ୧୦ ଦିନ ତଳେ ଡାକ୍ତରୀ ପଢିବାକୁ ଅନେକ ସ୍ୱପ୍ନ ନେଇ ହରିୟାଣାରୁ ବଲାଙ୍ଗିର ଆସିଥିଲେ । ହଷ୍ଟେଲ ଛାତରୁ ଡେଇଁ ନିଶିକାନ୍ତ ଆତ୍ମହତ୍ୟା କଲେ ନାଁ ମୃତ୍ୟୁ ପଛରେ ରହସ୍ୟ ରହିଛି ସେ ନେଇ ଖୋଳତାଡ ଚଲାଇଛି ପୁଲିସ । ସେପଟେ ତାଙ୍କ ପୁଅକୁ ରାଗିଂ କରି ସିନିୟର ଛାତ୍ରମାନେ ମାରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ।
ନିଶାନ୍ତ କୁମାର । ଆଖିରେ ଆଖିଏ ସ୍ୱପ୍ନ ନେଇ ଡାକ୍ତର ହେବାର ନିଶାରେ ହରିୟାଣାରୁ ଓଡିଶା ଆସିଥିଲେ ଏହି ଯୁବକ । ନିଟ୍ ଏଟ୍ରାନ୍ସରେ ଉତ୍ତୀର୍ଣ୍ଣ ହେବା ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ନାମ ଲେଖାଇଥିଲେ ଓ ନ୍ୟୁ-ବଏଜ ହଷ୍ଟେଲରେ ରହୁଥିଲେ । ହେଲେ, ଶୁକ୍ରବାର ଅଚାନକ ହଷ୍ଟେଲ ଛାତରୁ ପଡି ତାଙ୍କର ଜୀବନ ଯାଇଛି । ପୁଅର ମୃତ୍ୟୁ ଖବର ପାଇବା ପରେ କଲେଜରେ ପହଁଚିଛନ୍ତି ତାଙ୍କ ବାପା, ମା ଓ ସମ୍ପର୍କୀୟ ।
ଅନ୍ୟପଟେ ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ପରିବାର ଲୋକ । ନାମ ଲେଖାଇବା ପରେ ପୁଅକୁ ସିନିୟର ଛାତ୍ରମାନେ ରାଗିଂ କରୁଥିବା ଅଭିଯୋଗ ଆଣିଛନ୍ତି ନିଶାନ୍ତଙ୍କ ବାପା ଓ ମା । ନିଶାନ୍ତଙ୍କ ମା କହିଛନ୍ତି, ଶୁକ୍ରବାର ପୁଅ ସହ ଶେଷ ଥର ପାଇଁ କଥା ହେବା ସମୟରେ ତାଙ୍କୁ ସିନିୟର ଛାତ୍ରମାନେ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ନିର୍ଯାତନା ଦେଉଥିବା ଜଣାଇଥିଲେ । କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପୁଅକୁ, ମା ପରାମର୍ଶ ଦେଇଥିଲେ । ହେଲେ, କାଳେ ଟାର୍ଗେଟ ହୋଇଯିବେ ସେଥିପାଇଁ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଚାହୁଁନଥିଲେ ନିଶାନ୍ତ ।
ହଷ୍ଟେଲ ଛାତରୁ ପଡି ନିଶାନ୍ତଙ୍କର ମୃତ୍ୟୁ ହେବା ପରେ ଏହାର କାରଣ ଖୋଜୁଛି ପୁଲିସ୍ । ମାମଲାର ଗୁରୁତ୍ୱ ଦୃଷ୍ଟିରୁ ବଲାଙ୍ଗୀର ଏସପି ନିଜେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ପହଁଚି ଛାନଭିନ୍ କରିଛନ୍ତି । ନିଶାନ୍ତଙ୍କ ଫୋନ, ଲ୍ୟାପଟପ୍, ଡାଏରୀ, ଏକ ବଂଇଶୀ, ଜବତ କରିଛି ପୁଲିସ । ଅନ୍ୟପଟେ ବାପା ମା ଆଣିଥିବା ରାଗିଂ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମେଡିକାଲ କଲେଜର ଡିନ୍ । ନିଶାନ୍ତଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ପ୍ରଶ୍ନ ଉଠୁଛି, ନିଶାନ୍ତ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଛାତ ଉପରୁ ଠେଲି ହତ୍ୟା କରାଯାଇଛି ? ଯଦି ଆତ୍ମହତ୍ୟା କରିଛନ୍ତି, ତାହେଲେ ଆତ୍ମହତ୍ୟାର କାରଣ କଣ? ଯିଏ ମାତ୍ର ଦଶ ଦିନ ତଳେ ଡାକ୍ତରୀ ପଢ଼ିବାକୁ ଆସିଥିଲେ ସେ କାହିଁକି ଚରମ ନିଷ୍ପତି ନେଲେ? ବାପା ମା ଆଣିଥିବା ଅଭିଯୋଗ ସତ ନୁହେଁ ତ? ଏସବୁ ଦିଗରୁ ତଦନ୍ତ ହେବାର ଆବଶ୍ୟକତା ରହିଛି ।