କନକ ବ୍ୟୁରୋ : ବଲାଙ୍ଗୀର ଫେକ୍ ସାର୍ଟିଫିକେଟ୍ ମାମଲାରେ ଗୁମର ଖୋଲିବାରେ ଲାଗିଛି । ଏକ ବଡ଼ ନେଟ୍ୱର୍କ ଏହି କାରବାର ପଛରେ ଥିବା ସ୍ପଷ୍ଟ ହେଲାଣି । ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦଗାତା ଧରାପଡ଼ିବା ପରେ ଦଲାଲମାନଙ୍କୁ ଟାର୍ଗେଟ୍ କରୁଛି ପୋଲିସ । ବଲାଙ୍ଗିର ପୋଲିସର ଏକାଧିକ ଟିମ୍ ଆଖପାଖ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।

Advertisment

ମନୋଜ ଓ ଆଲୋକଙ୍କ ଲିଙ୍କରେ ଥିବା ଦଲାଲଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପୋଲିସ ମନୋଜଙ୍କୁ ଗିରଫ କରିବା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ବିବରଣୀ ସଂଗ୍ରହ କରିଥିଲା । ରାଜ୍ୟ ବାହାରର କିଛି ଲୋକଙ୍କୁ ଏହି ଆକାଉଣ୍ଟରୁ ଟଙ୍କା ଯାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ମନୋଜଙ୍କ କୋଚିଂ ସେଂଟରରୁ ଜବତ ହୋଇଥିବା ହାର୍ଡ ଡିସ୍କ ଓ କମ୍ପ୍ୟୁଟରକୁ ଟିମ୍ ଯାଂଚ କରିବ ।

ଗୋଟିଏ ଟିମ୍‌ ମନୋଜଙ୍କ ବ୍ୟାଙ୍କ ଆକାଉଣ୍ଟର କାରବାର ଦିଗରେ ତଥ୍ୟ ଯୋଗାଡ଼ କରୁଥିବା ବେଳେ ଅନ୍ୟ ଟିମ୍‌ ଜିଲ୍ଲା ଓ ଜିଲ୍ଲା ବାହାରକୁ ଯାଇ ମନୋଜଙ୍କ ନେଟୱର୍କ ତଥା ସିଣ୍ଡିକେଟ୍‌ରେ ଥିବା ଦଲାଲଙ୍କୁ ଧରିବ। ଅନ୍ୟ ଗୋଟିଏ ଟିମ୍‌ ବାହାର ରାଜ୍ୟକୁ ଯାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି। ଏହା ଭିତରେ ଆଉ ଏକ ତଥ୍ୟ ପୁଲିସ ହାତରେ ଲାଗିଛି। ମନୋଜ ବହୁ ପରିମାଣର ଜମି କିଣିଛି। ନକଲି ସାର୍ଟିଫିକେଟ କାରବାର ରୋଜଗାରରୁ ସେ ଜମି କିଣିଥିବା ପୁଲିସ ସନ୍ଦେହ କରୁଛି। ତେଣୁ ଜବତ ହୋଇଥିବା ଜମିର କାଗଜପତ୍ରକୁ ଟିକିନିକି ଯାଞ୍ଚ କରାଯାଉଥିବା ନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।