ବଲାଙ୍ଗୀର ପୌର ପରିଷଦର ବେଆଇନ ଉଚ୍ଛେଦ ଉପରେ ରହିତାଦେଶ : କୋର୍ଟ କହିଲେ, ପରବର୍ତ୍ତୀ ଶୁଣାଣି ପୂର୍ବରୁ ହୋଇପାରିବନି ଉଚ୍ଛେଦ

138

କନକ ବ୍ୟୁରୋ : ବଲାଙ୍ଗୀର ପୌର ପରିଷଦର ବେଆଇନ ଉଚ୍ଛେଦ ପଦକ୍ଷେପ ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ପରବର୍ତ୍ତୀ ଶୁଣାଣି ପୂର୍ବରୁ କୌଣସି ପ୍ରକାର ଉଚ୍ଛେଦ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ତାଙ୍କ ଅନ୍ତରୀଣ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ଗତ ସେପ୍ଟେମ୍ବର ୨୨ରେ ଉଚ୍ଛେଦ ପାଇଁ ଦିଆଯାଇଥିବା ନୋଟିସକୁ ଚ୍ୟାଲେଞ୍ଜ କରି ଦାୟର ରିଟ୍ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି । ଏହାସହ ବଲାଙ୍ଗୀର ପୌର ପରିଷଦ ନିର୍ବାହୀ ଅଧିକାରୀ, ଅଧ୍ୟକ୍ଷ, ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଛନ୍ତି ।

ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ରଖିବାକୁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅକ୍ଟୋବର ୧୦ ତାରିଖରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ପ୍ରଭାତ କୁମାର ଦାସ ଓ ପ୍ରଦୋଷ କୁମାର ଦାସଙ୍କ ରିଟ୍ ଆବେଦନର ଶୁଣାଣି କରି ଜଷ୍ଟିସ୍ ରାଧାକ୍ରିଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଦର୍ଶାଇଥିଲେ, ସେପ୍ଟେମ୍ବର ୨୨ ତାରିଖର ନୋଟିସକୁ ୨୪ ତାରିଖରେ ଦିଆଯାଇଥିଲା । ୨୪ ଘଣ୍ଟା ଭିତରେ ଉଚ୍ଛେଦ କରାଯିବ ବୋଲି ଆବେଦନକାରୀଙ୍କୁ ଅବଗତ କରାଯାଇଥିଲା ।

ସେପ୍ଟେମ୍ବର ୨୨ ନୋଟିସ୍ ଆଧାରରେ ଏହାର କିଛି ଅଂଶ ଭାଙ୍ଗି ଦିଆଯାଇଛି । ହଠାତ ନୋଟିସ ଦେଇ ଏପରି ଉଚ୍ଛେଦ କରାଯିବା ପଛରେ ମନ୍ଦ ଉଦ୍ଦେଶ୍ୟ ଥିବାରୁ ଏଭଳି ପଦକ୍ଷେପ ସଂପୂର୍ଣ୍ଣ ବେଆଇନ ବୋଲି ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଦର୍ଶାଇଥିଲେ । ଏହା ଆବେଦନକାରୀଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ତେଣୁ ଏଭଳି ବେଆଇନ ଉଚ୍ଛେଦ ପ୍ରକ୍ରିିୟା ଉପରେ ତୁରନ୍ତ ଅଙ୍କୁଶ ଲଗାଯିବା ଆବଶ୍ୟକ ବୋଲି ସେ ଯୁକ୍ତି ବାଢ଼ିଥିଲେ ।