ବଲାଙ୍ଗିରରେ ଟେଂଟହାଉସ ନିର୍ମାଣକୁ ନେଇ ଜିଲ୍ଲା ପ୍ରଶାସନର ଅହେତୁକ ଅନୁକମ୍ପା । ଗୋଟିଏ ଟେଂଟ ହାଉସକୁ ଦିଆଯାଇଛି ସାରା ଜିଲ୍ଲାର ଦାୟିତ୍ୱ

80

କନକ ବ୍ୟୁରୋ: ବଲାଙ୍ଗିରରେ କରୋନା କାଳରେ କନଟେନମେଂଟ ଜୋନରେ ବାରିକେଡ ନିର୍ମାଣରେ ଟଙ୍କା ହେରଫେର ଅଭିଯୋଗ ପରେ ଏବେ ଆସିଛି ଆଉ ଏକ ନୂଆ ବିବାଦ । କରୋନା ସମୟରେ ଟେଂଟ ହାଉସ ତିଆରିରେ ଟେଂଟହାଉସ ମାଲିକଙ୍କୁ ଅହେତୁକ ଅନୁକମ୍ପା ଦେଖାଇବାର ଅଭିଯୋଗ ଆସିଛି । ବଲାଙ୍ଗିର ରେଳଷ୍ଟେସନ ଟେଂଟ ନିର୍ମାଣ ସହ ଆହୁରି ଅନେକ ଟେଂଟ ନିର୍ମାଣ ପାଇଁ ଗୋଟିଏ ଟେଂଟହାଉସ ମାଲିକକୁ ଦିଆଯାଇଥିଲା ଦାୟିତ୍ୱ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଏଥିରେ ୧କୋଟି ୧୩ଲକ୍ଷ ୯୮୪ ଟଙ୍କା ଖର୍ଚ୍ଚ ହୋଇଛି । ପ୍ରଶ୍ନ ଉଠୁଛି ସମସ୍ତ କାମ କରିବା ପାଇଁ ଗୋଟିଏ ଟେଂଟହାଉସ ମାଲିକଙ୍କୁ କାହିଁକି ଚିହ୍ନଟ କଲା ବଲାଙ୍ଗିର ପ୍ରଶାସନ ।

ମହାମାରୀ ସମୟରେ ଅବଶ୍ୟ ପ୍ରଶାସନ ପାଖରେ ବେଶି ସମୟ ନଥିଲା । ଟେଣ୍ଡର ଆହ୍ୱାନ କରି କାମ କରିବା ସମ୍ଭବ ନଥିଲା । କିନ୍ତୁ ସହରରେ ଅନେକ ଟେଂଟହାଉସ ଥିବା ବେଳେ ପ୍ରଶାସନ କାହିଁକି କେବଳ ଜଣଙ୍କୁ କାମ ଦେଲା, ତାହା ବୁଝି ହେଉନାହିଁ । ଅନ୍ୟପକ୍ଷରେ ମ୍ୟୁନିସପାଲ ଏକଜିକ୍ୟୁଟିଭ ଅଫିସରଙ୍କ କହିବା ହେଲା ଟେଣ୍ଡର କରିବା ପାଇଁ ସମୟ ନଥିଲା । ତେଣୁ ଜଣେ ଲୋକଙ୍କୁ ସବୁ କାମ ଦିଆଯାଇଥିଲା ।

ଏହାପୂର୍ବରୁ ହାତୀଶାଲପଡାରେ କେବଳ କିଛି ବାଉଁଶ ପୋତି ଅଢେଇ ଲକ୍ଷ ଟଙ୍କାର ବିଲ କରାଯାଇଥିଲା । ଜିଲ୍ଲାର ଆର ଆଣ୍ଡ ବି ଡିଭିଜନ ଏହି କାମ କରିଥିଲା । ଏବେ ଟେଂଟ ହାଉସକୁ ନେଇ କେବଳ ଜଣେ ବ୍ୟବସାୟୀଙ୍କୁ ଏକ କୋଟିରୁ ଉର୍ଦ୍ଧ ଟଙ୍କାର କାମ ଦେବା ପଛରେ କଣ ଉଦ୍ଦେଶ୍ୟ ଥାଇପାରେ, ତାହା ସ୍ପଷ୍ଟ ହେବା ଦରକାର ।