ପଥର ଫଟେଇଲେ ପୁରିବ ପେଟ । ଟିଟଲାଗଡ ସବଡିଭିଜନ ସିନେ୍ଧକେଲା ବ୍ଳକରୁ ଆସିଛି ଦାଦନ ଶ୍ରମିକଙ୍କ କରୁଣ କାହାଣୀ : ଶ୍ରମକଙ୍କ ମୁହଁରେ ଥୋପ ପକାଇ ଲାଭ ଖାଉଛି ଦଲାଲ

134

କନକ ବ୍ୟୁରୋ : ପଥର ନ ଫଟାଇଲେ ଖାଇବୁ କଣ । କେମିତି ଚଳିବ ଆମ ପରିବାର । କାମ ଅଭାବରୁ ପେଟପାଟଣା ପାଇଁ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ଶ୍ରମିକ । ଆଉ ଶ୍ରମିକଙ୍କ ମାନବିକତାକୁ ଶୋଷଣ କରୁଥିବା ମାଫିଆଙ୍କ କବଳରେ ପଡି କଲବଲ ହେଉଛନ୍ତି ଟିଟଲାଗଡ ସବଡିଭିଜନ ସିନେ୍ଧକେଲା ବ୍ଳକର ଦାଦନ ଶ୍ରମିକ ।

ଅନେକ ଥର ବଲାଙ୍ଗିର ଜିଲ୍ଲାର ଦାଦନଙ୍କ ସମସ୍ୟା ଓ ସେମାନଙ୍କ ନିର୍ଯାତନାର କାହାଣୀ ଗଣମାଧ୍ୟମରେ ପ୍ରସାରଣ ହୋଇଛି । ଟିଟିଲାଗଡ ସବଡିଭିଜନ ସିନେ୍ଧକେଲା ବ୍ଲକର ଶ୍ରମିକଙ୍କ ଦୁଃଖର କାହାଣୀ । ଏଠିକାର ଅଧିକାଂଶ ଲୋକ ଦିନ ମଜରୁରିଆ । ଏମାନଙ୍କ ପାଖରେ ନା ଜମି ଅଛି ନା ଜୀବିକା ନିର୍ବାହ କରିବାର ଅନ୍ୟପନ୍ଥା । ସିନେ୍ଧକେଲାର ଚାରିଆଡେ କେବଳ ପଥରର ପାହାଡ । ତେଣୁ ଚାଷ ବାସ କଥା ନକହିବା ଭଲ । କିଛି ଶ୍ରମିକ ପଥର ପାହାଡ ଫଟାଇ ପେଟ ପୋଶୁଥିବା ବେଳେ ଅନେକ, ଶ୍ରମିକ ଦଲାଲ ସହ ଦାଦନ ଖଟିବାରୁ ରାଜ୍ୟ ବାହାରକୁ ଯାଇଥାନ୍ତି ।

କିଛି ସରକାରୀ କର୍ମଚାରୀଙ୍କୁ ହାତ କରି ସିନେ୍ଧକେଲା ଅଂଚଳର ପଥର ପାହାଡକୁ ଫଟାଇ ପଥର ବିକ୍ରି କରୁଛନ୍ତି । ମାଫିଆମାନେ ଟ୍ରକ ଯୋଗେ ପଥର ଆଣି ସ୍ଥାନୀୟ ଅଂଚଳର ଲୋକଙ୍କୁ ଟ୍ରିପ ପିଛା ୧୨ଶହରୁ ୧୫ଶହ ଟଙ୍କାରେ ବିକ୍ରି କରିଥାନ୍ତି । ଆଉ ଶ୍ରମିକ ଶ୍ରେଣୀର ଏହି ଲୋକମାନେ ଏହାକୁ ହାତୁଡି ପିଟିପିଟି ଛୋଟ ଚିପ୍ସ କରିଥାନ୍ତି । ଗୋଟିଏ ଟ୍ରିପ ଚିପ୍ସ କରିବା ପାଇଁ ୧୫ରୁ ୨୫ ଦିନ ଲାଗେ । ଆଉ ଏହାକୁ ୪ ହଜାର ୪ଶହ ଟଙ୍କାରେ ବିକ୍ରି କରିଥାନ୍ତି ।

ଏବଂ ମୁଣ୍ଡ ପିଛା ଆୟ ହିସାବରେ ଦୈନିକ ୮୦ ଟଙ୍କା ମିଳିଥାଏ । ପଥର ଫଟେଇ ଚିପ୍ସ କରିବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହେଉଥିବା ଜାଣି ବି ଏଠାକାର ଲୋକ ଏହି କାମକୁ ଆପଣାଇଛନ୍ତି । କାରଣ ଏଠି କାମ ନକଲେ ଦାଦନ ଖଟି ଯିବାକୁ ପଡିବ । ଆଉ ଦଲାଲର ଶିକାର ହେବାକୁ ପଡିବ ।

ସିନେ୍ଧକେଲା ଅଂଚଳର ଶ୍ରମିକଙ୍କ ସମସ୍ୟା ଦେଖିଲେ ଲାଗେ, ସରକାର ଓ ସରକାରୀ ଯୋଜନା କ’ଣ ଏମାନଙ୍କ ପାଇଁ ନାହିଁ? ନା ଏମାନଙ୍କ ସମସ୍ୟା ବୁଝିବା ପାଇଁ ଏଠାରେ ଜନପ୍ରତିନିଧି ନାହାନ୍ତି? ନା ସିନେ୍ଧକେଲାର ଶ୍ରମିକ ଶ୍ରେଣୀର ଭୋଟର ଭୋଟ ଦେଇ ନେତା ବାଛି ନାହାନ୍ତି?