କନକ ବ୍ୟୁରୋ : ବଲାଙ୍ଗୀରରେ ମଧ୍ୟରାତ୍ରୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଛୁଇଁବନ୍ଧ ନିକଟରେ ରାସ୍ତା କଡରେ ଅନ୍ଧାରରେ ଛିଡା ହୋଇଥିବା ଟ୍ରକକୁ ପିଟିଲା କାର । ଚାଲିଗଲା ୫ ଜୀବନ । ଦୁଇ ଗୁରୁତର ମହିଳା ବୁର୍ଲା ସ୍ଥାନାନ୍ତର । ଆଗରପୁରରୁ ଭୋଜି ଖାଇ ଫେରିବା ବେଳେ ଏହି ଅଘଟଣ ଘଟିଛି । ମୃତକମାନେ ଗୋଟିଏ ପରିବାରର । ରାମଜୀପଡାର ଆୟୁର୍ବେଦିକ ଡାକ୍ତର ଜୟନ୍ତ ନାୟକଙ୍କ ପୁଅ, ଝିଅ, ନାତି, ନାତୁଣୀ ଓ ପୁଅର ଶାଳକ ମୃତକଙ୍କ ମଧ୍ୟରେ ରହିଛନ୍ତି ।

Advertisment

ବଲାଙ୍ଗୀର ପହଞ୍ଚିବାକୁ ଆଉ ମାତ୍ର ୩ କିଲୋମିଟର ଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଜୟନ୍ତ ପ୍ରକାଶ ନାଏକଙ୍କ ପୁଅ ଆତ୍ମଜ ଓରଫ ଅମନ ନାଏକ, ତାଙ୍କ ଭଉଣୀ ତଥା କନ୍ଧପାଲିର ସୀତାକାନ୍ତ ସାଏଙ୍କ ପତ୍ନୀ ଇପ୍ସିତା ସାଏ, ଇପ୍ସିତାଙ୍କ ୬ ବର୍ଷର ଝିଅ ରିୟା ସାଏ, ଆତ୍ମଜଙ୍କ ମାମୁ ତଥା ସଦେଇପାଲିର ସ୍ୱର୍ଗତ ମହେନ୍ଦ୍ର ସାଏଙ୍କ ପୁଅ ଦୀପ୍ତିରଂଜନ ସାଏ ଏବଂ ଦୀପ୍ତିରଂଜନଙ୍କ ଝିଅ ଆନ୍ଭି ଓରଫ ମାହିଙ୍କର ମୃତ୍ୟୁ ହୋଇଛି ।

ଗୁରୁତର ଅବସ୍ଥାରେ କାର ଚାଳକ ଆତ୍ମଜଙ୍କ ମାଆ ଆରତୀ ନାଏକ ଏବଂ ଦୀପ୍ତିରଂଜନଙ୍କ ପତ୍ନୀ ରଶ୍ମିତା ସାଏଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଯାଇଛି । ଖବରପାଇ ବଲାଙ୍ଗୀର ସଦର ପୁଲିସ୍ ଘଟଣାସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତାହତମାନଙ୍କୁ ଉଦ୍ଧାର କରି ବଲାଙ୍ଗୀର ଡାକ୍ତରଖାନାକୁ ଆଣିଥିଲା । ସେଠାରୁ ଦୁଇ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରା ଯାଇଥିବାବେଳେ ମୃତକଙ୍କ ଶବ ବଲାଙ୍ଗୀର ଡାକ୍ତରଖାନାରେ ରଖାଯାଇଛି ।