ବଳଙ୍ଗା ଥାନା ବିସ୍ଫୋରଣରେ ବଳି ପଡିଲେ ଏସଆଇ । ମହିଳା ହାଜତରେ ରଖାଯାଇଥିଲା ଡିନାମାଇଟ୍, ସବ ଇନ୍ସପେକ୍ଟର ତଅପୋଇ ନାୟକ ସସପେଣ୍ଡ ।

224

କନକ ବ୍ୟୁରୋ : ବଳଙ୍ଗା ଥାନାରେ ବିସ୍ଫୋରଣକୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଥାନାର ମହିଳା ହାଜତରେ ରଖାଯାଇଥିଲା ଡିନାମାଇଟ । ଯେଉଁଥିରୁ ହୋଇଥାଇପାରେ ବିସ୍ଫୋରଣ । ଅପରପକ୍ଷରେ ପୁରା ଘଟଣାରେ ମାଲଖାନା ଦାୟିତ୍ୱରେ ଥିବା ମହିଳା ଏସଆଇ ତଅପୋଇ ନାୟକଙ୍କୁ ନିଲମ୍ବିତ କରାଯାଇଛି । କିନ୍ତୁ, ଏତେ ବଡ ଘଟଣା ପାଇଁ କେବଳ ଏସଆଇ କେମିତି ଦାୟୀ ତାକୁ ନେଇ ପ୍ରଶ୍ନ ଉଠିଛି ।

ଡିନାମାଇଟ୍ ଉପରେ ଚାଲିଥିଲା ଥାନା ! ବିସ୍ଫୋରଣ ହେଲା, ଥାନା ଉଡିଲା । ପ୍ରଚଣ୍ଡ ବିସ୍ଫୋରଣ ପରେ ବଳଙ୍ଗା ଥାନାର ଦୃଶ୍ୟ ଦେଖିଲେ ଯେ କେହି ବି କହିବ, ଏତେ ବଡ ବିସ୍ଫୋରଣ କୌଣସି ଛୋଟ ମୋଟ ବିସ୍ଫୋରକ ଦ୍ୱାରା ସମ୍ଭବ ହୋଇନଥିବ? ଥାନା ଭିତରେ କିଛି ଶକ୍ତିଶାଳୀ ବିସ୍ଫୋରକ ରହିଥିଲା । ଯାହାର ବିସ୍ଫୋରଣ ପରେ ଥାନାର ଏମିତି ଅବସ୍ଥା ହୋଇଛି । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଥାନାରେ ଥିଲା ଡିନାମାଇଟ । ଜବତ ଡିନାମାଇଟକୁ ବଳଙ୍ଗା ଥାନା ମାଲଖାନାରେ ରଖିବା ବଦଳରେ କୌଣସି ଅନ୍ୟ ସ୍ଥାନରେ ରଖାଯାଇଥିବା ଅନୁମାନ କରାଯାଉଛି । ଆଉ ସେହି ଡିନାମାଇଟ ବିସ୍ଫୋରଣରେ ଥାନା ଉଡିଯାଇଥିବା କୁହାଯାଉଛି ।

ଡିନାମାଇଟ୍ ଏକ ଶକ୍ତିଶାଳୀ ବିସ୍ଫୋରକ । ଏହାକୁ ସାଧାରଣତଃ ପାହାଡ ଫଟାଇବା, ଖଣି ଖନନ ଓ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । କିନ୍ତୁ ଥାନା ଭିତରେ ଡିନାମାଇଟ୍ ଥିଲା କି ନାହିଁ ତାହା ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ ।

ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଦାୟିତ୍ୱରେ ଥିବା ଏସଆଇ ନିଲମ୍ବିତ । ବିସ୍ଫୋରଣର କାରଣ ଖୋଜିବା ପାଇଁ ଘଟଣାସ୍ଥଳରେ ଅନୁସନ୍ଧାନ କରିଥିଲେ ବରିଷ୍ଠ ପୁଲିସ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ । ଅନୁସନ୍ଧାନ ପରେ ମାଲଖାନା ଦାୟିତ୍ୱରେ ଥିବା ମହିଳା ଏସଆଇ ତଅପୋଇ ନାୟକଙ୍କୁ ନିଲମ୍ବିତ କରାଯାଇଛି । କିନ୍ତୁ, ଏତେ ବଡ ଘଟଣା ପାଇଁ କେବଳ ଏସଆଇ କେମିତି ଦାୟୀ ତାକୁ ନେଇ ପ୍ରଶ୍ନ ଉଠିଛି । ମାର ମାର ଭଣ୍ଡାରିଆକୁ ମାର ନ୍ୟାୟରେ ଏସଆଇଙ୍କୁ ନିଲମ୍ବିତ କରାଯାଇଥିବା ଚର୍ଚ୍ଚା ହେଉଛି ।

ଥାନା ଭିତରେ ବିସ୍ଫୋରକ ଥିବା କଥାକୁ ଆଇଆଇସି ଜାଣିଥିଲେ କି ନାହିଁ ? ଯଦି ଜାଣିଥିଲେ ସେ ବିସ୍ଫୋରକ ନଷ୍ଟ କରିବାକୁ କାହିଁକି ପଦକ୍ଷେପ ନେଇ ନଥିଲେ ଏବଂ ବିସ୍ଫୋରଣ ପାଇଁ କେବଳ ଏସଆଇ କେମିତି ଦାୟୀ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିସ୍ଫୋରଣ ଘଟି କୋଠା ନଷ୍ଟ ହୋଇଯିବା ପରେ ବାହାରେ ଅସ୍ଥାୟୀ ଟେଣ୍ଟ ତଳେ ଚାଲିଛି କାର୍ଯ୍ୟ । ଅଧିକାଂଶ କାଗଜପତ୍ର ନଷ୍ଟ ହୋଇଯାଇଥିବାବେଳେ ଯାହା ଅଛି ତାକୁ ବାହାରକୁ ଆଣି ଟେଣ୍ଟ ପାଖରେ ରଖିଛନ୍ତି ଥାନା କର୍ମଚାରୀ ।