ଭାଇରାଲ ଭିଡିଓରେ ବାଲାକୋଟର ବଡ ସତ !  ପାକ୍ ସେନା ଅଧିକାରୀ କହିଲେ, ଭାରତର ଏୟାରଷ୍ଟ୍ରାଇକରେ ମରିଛନ୍ତି ୨ଶହ ଆତଙ୍କୀ ।

962

କନକ ବ୍ୟୁରୋ : ସୋସିଆଲ ମିଡିଆରେ ବାଲାକୋଟର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁ ଭିଡିଓରେ ପାକିସ୍ତାନ ସେନା ଅଧିକାରୀ ଭାରତର ଏୟାର ଷ୍ଟ୍ରାଇକରେ ୨ଶହ ଆତଙ୍କୀ ମରିଥିବା ନେଇ କହୁଥିବା ଶୁଣିବାକୁ ମିଳୁଛି । ଏହି ଭିଡିଓକୁ ଟ୍ୱିଟରରେ ସେୟାର କରିଛନ୍ତି ଆମେରିକାର ଜଣେ ନାଗରିକ । ଏହାସହ ପାକିସ୍ତାନ ସତ ଲୁଚାଉଥିବା ସେ ଦାବି କରିଛନ୍ତି । ତେବେ ଭିଡିଓଟି କେତେ ସତ, କେତେ ମିଛ ତାହା ଅସ୍ପଷ୍ଟ ରହିଛି ।

ବାଲାକୋଟର ଭାଇରାଲ ଭିଡିଓ । ୨୦୦ ଆତଙ୍କବାଦୀ ମୃତ ଅନୁମାନ । ପାକିସ୍ତାନ ବାଲାକୋଟ୍ ଅଂଚଳରେ, ଆତଙ୍କବାଦୀଙ୍କ ଏକାଧିକ ଠିକଣା ଉପରେ ମିଜାଇଲ ମାଡ କରିଥିଲା ଭାରତୀୟ ବାୟୁସେନା । ଆଉ ଏହି ଫଟୋରୁ ଜଣାପଡିଛି ଏମାନେ ସମସ୍ତେ ମୃତ ଆତଙ୍କବାଦୀଙ୍କ ସଂପର୍କୀୟ । ଭାଇରାଲ ହୋଇଥିବା ଭିଡିଓରୁ ଜଣାପଡୁଛି ଭାରତୀୟ ଲଢୁଆ ବିମାନର ଆକ୍ରମଣ ପରେ ପରିଜନଙ୍କୁ ହରାଇ ଏମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଭୟ ଓ ଆତଙ୍କରେ ଥିବା ଆତଙ୍କବାଦୀଙ୍କ ସଂପର୍କୀୟଙ୍କୁ ସାନ୍ତ୍ୱନା ଦେଉଛନ୍ତି ପାକିସ୍ତାନ ସେନା ଯବାନ ।

୨ ମିନିଟ୍ ୨୦ ସେକେଣ୍ଡର ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ପାକିସ୍ତାନ ଗିଲଗିଟରେ ରହୁଥିବା ଆମେରିକୀୟ ନାଗରିକ ସେଙ୍ଗ ହସନ୍ ସେରିଙ୍ଗ । ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଭିଡିଓକୁ ପୋଷ୍ଟ କରିବା ସହ, ଭାରତୀୟ ବାୟୁସେନା ଆକ୍ରମଣରେ ପାକିସ୍ତାନରେ ୨୦୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସେ ଦାବି କରିଛନ୍ତି । କାରଣ ଭିଡିଓରେ ପରିଜନଙ୍କୁ ସାନ୍ତ୍ୱନା ଦେଇ ସେନା ଅଧିକାରୀ ୨୦୦ ଆତଙ୍କବାଦୀଙ୍କ ମୃତ୍ୟୁକଥା କହୁଛନ୍ତି । ଆସନ୍ତୁ ଜାଣିବା, କଣ କହୁଛନ୍ତି ସେନା ଅଧିକାରୀ ଜଣକ । ‘ଆମେ ଏଥିପାଇଁ ଆସିଛୁ ଯେ, ସରକାରଙ୍କ ସହ ଛିଡା ହୋଇ ଯିଏ ଲଢେଇ କରେ ତାକୁ ଜିହାଦ୍ କୁହାଯାଏ । ଏଭଳି ସମ୍ମାନ ଭଗବାନଙ୍କ କିଛି ଖାସ ଲୋକଙ୍କୁ ମିଳିଥାଏ । ସମସ୍ତଙ୍କୁ ମିଳିନଥାଏ । ଆପଣଙ୍କୁ କହିରଖୁଛୁ କାଲି ୨୦୦ ଜଣ ଉପରକୁ ଚାଲିଗଲେ । ଏଭଳି ବଳିଦାନ ସେମାନଙ୍କ ଭାଗ୍ୟରେ ଲେଖା ହୋଇଥିଲା । ଆମେ ସବୁଦିନ ଲଢୁଛୁ, କିନ୍ତୁ ଆମ ଭାଗ୍ୟରେ ଏଭଳି ସମ୍ମାନ ନାହିଁ । ତେଣୁ ଭଗବାନଙ୍କର ଯିଏ ଖାସ୍ ଲୋକ, ଯାହାଙ୍କ ଉପରେ ଭଗବାନଙ୍କ କୃପାଦୃଷ୍ଟି ଥାଏ ସେମାନଙ୍କୁ ହିଁ ଏଭଳି ସୌଭାଗ୍ୟ ମିଳେ । ଆମେ ସମସ୍ତେ ତୁମ ସହିତ ଅଛୁ । ତୁମ ବାପା ମରିନାହାନ୍ତି, ସିଏ ସହିଦ ହୋଇଛନ୍ତି । ସହିଦଙ୍କୁ ମରିଗଲେ ବୋଲି କୁହାଯାଏନି ।’

ଭାଇରାଲ ହେଉଥିବା ଭିଡିଓରେ ଆତଙ୍କବାଦୀଙ୍କ ସଂପର୍କୀୟଙ୍କୁ ପାକିସ୍ତାନୀ ସେନା ଅଧିକାରୀ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ, ଏଭଳି ବିପତି ସମୟରେ ପାକିସ୍ତାନ ସରକାରଙ୍କ ସହ ଛିଡା ହେବା ଉଚିତ୍ । ଆତଙ୍କବାଦୀଙ୍କୁ ସହିଦ ହେବାର ଗୌରବ ମିଳିଥିବା କହୁଛନ୍ତି ଅଧିକାରୀ ଜଣକ । ଅର୍ଥାତ ଜିହାଦ ପାଇଁ ଏଭଳି ଜୀବନ ଦେବାକୁ ପଡେ । ତେବେ ଏହି ଭିଡିଓର ବୈଧତା ନେଇ କିଛି ସ୍ପଷ୍ଟ କରିନାହାନ୍ତି ସେରିଙ୍ଗ । ହେଲେ ଏକଥା ସୂଚାଇ ଦେଇଛନ୍ତି ଯେ, ପାକିସ୍ତାନରେ କିଛି ବଡ ଘଟଣା ଘଟିଛି, ଯାହା ଲୁଚାଇବାକୁ ଚାହୁଁଛନ୍ତି ସେଠାକାର ସରକାର ଓ ସେନା । ଯେଉଁଥିପାଇଁ ପାକିସ୍ତାନ ବାଲାକୋଟର ଯେଉଁ ସ୍ଥାନରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ କରିଥିଲା ସେହି ଅଂଚଳକୁ ସ୍ଥାନୀୟ କିମ୍ବା ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ଛଡାଯାଉ ନାହିଁ । ଏପରିକି ୨୬ ଫେବ୍ରୁଆରୀ ପରଠାରୁ ଏହି ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ସେନା ଛାଉଣୀ ଭିତରେ ରହିଛି ସାରା ଅଂଚଳ ।

ବୋଧହୁଏ ଉଚ୍ଚପଦସ୍ଥ ସେନା ଅଧିକାରୀ ମୃତକଙ୍କ ପରିବାର ସଦସ୍ୟଙ୍କ ସହ ବସିଛନ୍ତି । ସେମାନଙ୍କୁ ସାନ୍ତ୍ୱନା ଦେବା ସହ ୨୦୦ ଆତଙ୍କବାଦୀ ମରିଥିବା କହୁଛନ୍ତି । ସରକାରଙ୍କ ସହ ରହି ଶତ୍ରୁ ବିରୋଧରେ ଲଢୁଥିବାରୁ ପ୍ରଶଂସା କରୁଛନ୍ତି । ଏହି ଭିଡିଓର ବୈଦ୍ଧତା ନେଇ କିଛି ସ୍ପଷ୍ଟ ହୋଇନାହିଁ । କିନ୍ତୁ ନିଶ୍ଚିତ ବାଲାକୋଟ ବାବଦରେ ପାକିସ୍ତାନ କିଛି ଗୁରୁତ୍ୱପୂର୍ଣ୍ଣ କଥା ଲୁଚାଇବାକୁ ଚେଷ୍ଟା କରୁଛି । ଅନ୍ତର୍ଜାତୀୟ ଏବଂ ସ୍ଥାନୀୟ ମିଡିଆକୁ ଘଟଣାସ୍ଥଳରେ ଅନୁଧ୍ୟାନ କରିବା ପାଇଁ ଅନୁମତି ଦିଆଯାଉ ନାହିଁ ।

ଫେବ୍ରୁଆରୀ ୧୪ରେ ଜାମ୍ମୁ-କାଶ୍ମୀର ପୁଲୱାମାରେ ଆତଙ୍କୀ ହମଲା ପରେ ୨୬ ତାରିଖରେ ପାକିସ୍ତାନରେ ପଶି ଏକାଧିକ ଆତଙ୍କୀ ଲଂଚପ୍ୟାଡ୍ ଓ ଟ୍ରେନିଂ କ୍ୟାମ୍ପକୁ ଉଡାଇ ଦେଇଥିଲା ଭାରତୀୟ ବାୟୁସେନା । ହେଲେ ଭାରତର ଲଢୁଆ ବିମାନ କେବଳ ପାହାଡ, ଜଙ୍ଗଲ ଭିତରେ ବୋମା ପକାଇଥିବା ଦାବି କରୁଛି ପାକିସ୍ତାନ । ଭାରତର ଏୟାର ଷ୍ଟ୍ରାଇକରେ କେବଳ କେତେକ ଗଛ ନଷ୍ଟ ହୋଇଥିବା ମିଛ କହିଆସୁଛି । ଏବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ପାକିସ୍ତାନର ମିଛ ଉପରୁ ପରଦା ହଟିଛି ।