ଆତଙ୍କୀ ଦେଶକୁ ଏୟାରଷ୍ଟ୍ରାଇକ୍ ଭୟ । ମଝି ରାତିରେ ପାକିସ୍ତାନରେ ଖେଳିଲା ‘ଭାରତ’ ଭୟ, ଡରିଗଲେ ପାକିସ୍ତାନୀ ।

1,715

କନକ ବ୍ୟୁରୋ : ପାକିସ୍ତାନକୁ ଏୟାରଷ୍ଟ୍ରାଇକ୍ ଭୟ । ଟ୍ୱିଟରରେ ଦେଖିବାକୁ ମିଳିଲା ପାକିସ୍ତାନୀଙ୍କ ଡର । ପୁଲୱାମା ଆତଙ୍କବାଦୀ ଆକ୍ରମଣର କଡା ଜବାବ ଦେବା ପାଇଁ ପାକିସ୍ତାନରେ ଭାରତ ଯେଉଁ ଏୟାରଷ୍ଟ୍ରାଇକ୍ କରିଥିଲା, ତାର ଭୟ ପାକିସ୍ତାନୀଙ୍କ ହୃଦୟରେ ଆଜି ବି ଜୀବିତ ହୋଇରହିଛି ।

ପାକିସ୍ତାନ କରାଚି ନିକଟ ସୀମାରେ ମଙ୍ଗଳବାର ରାତିରୁ କିଛି ଲଢୁଆ ବିମାନର ଶବ୍ଦ ଏବଂ କ୍ରମାଗତ ଭାବେ ଉଡୁଥିବା ବିମାନ ପାକିସ୍ତାନରେ ଆତଙ୍କ ସୃଷ୍ଟି କରିଛି । ଏପରିକି ବୁଧବାର ସକାଳ ଟ୍ୱିଟରରେ ପାକିସ୍ତାନ ଲୋକଙ୍କ କିଛି ଟ୍ୱିଟ୍ ମଧ୍ୟ ଦେଖିବାକୁ ମିଳିଥିଲା । ଯେଉଁଥିରେ ଲେଖାଯାଇଥିଲା, ପୁଣି ଥରେ ରାତିରେ ଭାରତ କିଛି ଗୋଟେ ବଡ ଯୋଜନା କରୁଛି ।

ପାକିସ୍ତାନର ଟ୍ୱିଟର ୟୁଜର୍ସଙ୍କ କହିବାଅନୁଯାୟୀ, ମଙ୍ଗଳବାର କରାଚି ପୂରା ଅନ୍ଧାର ହୋଇଯାଇଥିଲା । ଏବଂ ଆକାଶରେ ଲଢୁଆ ବିମାନ ଉଡୁଥିଲା । ପାକିସ୍ତାନୀ ଲେଖିଛନ୍ତି, ‘ରାତିରେ ଆମକୁ ଏମିତି ଲାଗିଲା, ଯେମିତି ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ଭଳି ଆଉ ଏକ ଆକ୍ରମଣ କରିପାରେ ଭାରତ’ ।

ଏପରିକି ପାକିସ୍ତାନର ଜଣେ ପତ୍ରକାର ମଧ୍ୟ ଲେଖିଛନ୍ତି ଯେ, ଉଭୟ ଭାରତ ଏବଂ ପାକିସ୍ତାନ ସଫେଇ ଦେବାର ଆବଶ୍ୟକତା ରହିଛି । କାରଣ କରାଚିରେ ଅନେକ ଗୁଜବ ହେଉଥିବା ବେଳେ ଲୋକଙ୍କ ମନରେ ବି ଭୟ ସୃଷ୍ଟି ହେଉଛି ।

ତେବେ ପୁଲୱାମା ଆତଙ୍କବାଦୀ ଆକ୍ରମଣର କଡା ଜବାବ ଦେବାକୁ ଫେବୃଆରୀ ୨୬ ତାରିଖରେ ପାକିସ୍ତାନରେ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତୀୟ ବାୟୁସେନା । ବାୟୁସେନାର ଯବାନଙ୍କ ବୀରତ୍ୱରେ ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା ପାକିସ୍ତାନର ଆତଙ୍କୀ ଶିବିର । ଆଉ ନିପାତ ହୋଇଥିଲେ ୩୦୦ରୁ ଅଧିକ ଆତଙ୍କବାଦୀ ।