ନେତା ଛାଡ଼ୁଛନ୍ତି, ନେତା ମିଶୁଛନ୍ତି ! ଚାଲିଛି ଆୟାରାମ-ଗୟାରାମ ରାଜନୀତି, ଆଜି ଏଠି…କାଲି ସେଠି

ବିଜେପିରେ ମିଶିଲେ ନବରଙ୍ଗପୁରର ସାଂସଦ ବଳଭଦ୍ର ମାଝି, ସେପଟେ କଂଗ୍ରେସ ଛାଡିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା 

148

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ରାଜ୍ୟରେ ଜୋରଧରିଛି ଯୋଡ଼ତୋଡ ରାଜନୀତି । ପୁରୁଣା ଶିବିର ଛାଡ଼ି ନୂଆ ଶିବିରକୁ ଆପଣାଉଛନ୍ତି କିଛି ନେତା । ଦୁଇ ଦିନ ତଳେ ଶଙ୍ଖ ଛାଡ଼ିବା ପରେ ଆଜି ପଦ୍ମ ଧରିଛନ୍ତି ବଳଭଦ୍ର ମାଝି । ଟିକେଟ୍ ହରାଇବା ଆଶଙ୍କାରେ ବିଜେଡି ଛାଡ଼ିଥିବା ନବରଙ୍ଗପୁର ସାଂସଦ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀରେ ମିଶ୍ରଣ ପରେ ବିଜେଡି ବିରୋଧରେ ବର୍ଷିଛନ୍ତି ବଳଭଦ୍ର । ସେପଟେ ବହୁ ଦିନର କଳ୍ପନା ଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ଛାଡିଛନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା । ଚର୍ଚ୍ଚା ହେଉଛି, କାଲି ବିଜେପିରେ ଯୋଗଦେଇପାରନ୍ତି ପ୍ରକାଶ ।

ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ଆୟାରାମ-ଗୟାରାମ ରାଜନୀତି ସେତିକି ତୀବ୍ର ହେବାରେ ଲାଗିଛି । ଗୁରୁବାର ବିଜେଡି ଛାଡିଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି, ଆଜି ଦିଲ୍ଲୀରେ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ବଳଭଦ୍ର । ବିଜେପିରେ ମିଶିବା ଅବସରରେ ବଳଭଦ୍ର କହିଛନ୍ତି, ଦଳୀୟ ଅଣଦେଖା କାରଣରୁ ସେ ବିଜେଡିରୁ ଦେଇଛନ୍ତି ଇସ୍ତଫା ।

ସେପଟେ ବହୁ ଦିନର କଳ୍ପନା ଜଳ୍ପନାର ଅନ୍ତ ଘଟାଇ ହାତ ଛାଡ଼ି ଦେଇଛନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ପ୍ରକାଶ । ପ୍ରକାଶ ବେହେରା କଂଗ୍ରେସରେ ରହିବେ ନା ବିଜେଡିକୁ ଯିବେ, କିଛି ଦିନ ଧରି ଏ ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା । କୁହାଯାଉଛି, ବିଜେଡିରେ ଟିକେଟ ମିଳିବା ସମ୍ଭାବନା କମ ଥିବାରୁ ଶେଷରେ ପଦ୍ମ ଶିବିର ଆଡକୁ ଢଳିଥିଲେ ପ୍ରକାଶ । ଚର୍ଚ୍ଚା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସେ ଯୋଗାଯୋଗରେ ଅଛନ୍ତି । ସାଲେପୁର ଆସନରୁ ପଦ୍ମ ଚିହ୍ନରେ ଲଢ଼ିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି ।

ତେବେ ନିଜ ନିଜ ସୁବିଧା ଅନୁସାରେ ଦଳ ବଦଳ କରୁଛନ୍ତି ନେତା । କାହାକୁ ଦଳ ଅଣଦେଖା କରୁଛି ତ କାହାକୁ କୋଳେଇ ନେଉଛି ଦଳ ।