କନକ ବ୍ୟୁରୋ: ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଟ ସହଯୋଗୀ ସଞ୍ଜୟ ସିଂ ଭାରତୀୟ କୁସ୍ତି ସଙ୍ଘର ଅଧକ୍ଷ ଭାବେ ନିର୍ବାଚିତ ହେବା ପରେ ଘନେଇବାରେ ଲାଗିଛି ବିବାଦ । ଏହି ଘୋଷଣା ପରେ ଅସନ୍ତୋଷ ବ୍ୟକ୍ତ କରି ପଦ୍ମଶ୍ରୀ ଫେରାଇ ଦେଇଛନ୍ତି ଜଣାଶୁଣା ରେସଲର ବଜରଙ୍ଗ ପୁନିଆ । ସୋସିଆଲ ମିଡିଆ ଏକ୍ସରେ ସେ ପୋଷ୍ଟ କରି ଏନେଇ ଘୋଷଣା କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖି ମନର କଥା ବଖାଣିବା ସହ କୁସ୍ତି ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ବଜରଙ୍ଗ ପୁନିଆ ।
ସେହିପରି ଗୁରୁବାର କୁସ୍ତିରୁ ଅବସର ନେଇଛନ୍ତି ରିଓ ଅଲମ୍ପିକରେ ଦେଶ ପାଇଁ ପଦକ ଜିତିଥିବା ସାକ୍ଷୀ ମଲ୍ଲିକ । ସଞ୍ଜୟ ସିଂ କୁସ୍ତିସଙ୍ଘର ଅଧକ୍ଷ ହେବା ପରେ ସାମ୍ବାଦିକ ସମ୍ମିଳନୀ କରି ସେ କୁସ୍ତିରୁ ସନ୍ୟାସ ଘୋଷଣା କରିଛନ୍ତି । ବିଜେପି ସାଂସଦ ତଥା କୁସ୍ତି ମହାସଙ୍ଘର ପୂର୍ବତନ ଅଧକ୍ଷ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୁସ୍ତି ଖେଳାଳି ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ । ଏବେ ତାଙ୍କ ଘନିଷ୍ଠ ସହଯୋଗୀ କୁସ୍ତି ମହାସଙ୍ଘର ଅଧକ୍ଷ ହେବା ପରେ ଏହାକୁ ବିରୋଧ କରିଛନ୍ତି ରେସଲର ।