ସୀମାରେ ଉତ୍ତେଜନା କମାଇବାକୁ ଭାରତୀୟ ରାଷ୍ଟ୍ରଦୂତଙ୍କ କଡ଼ା ତାଗିଦ । ଏଲଏସିରୁ ପଛକୁ ହଟିବା ପାଇଁ କହିଲେ ବିକ୍ରମ ମିସ୍ତ୍ରୀ । ସେପଟେ ସାମନାକୁ ଆସିଲା ଚୀନକୁ ପ୍ରତିବାଦର ବାଜପେୟୀ ଫର୍ମୁଲା

୧୯୬୫ରେ ଚୀନ ଦୂତାବାସରେ ଛାଡିଥିଲେ ୮୦୦ ମେଣ୍ଢା

1,189

କନକ ବ୍ୟୁରୋ: ସୀମାରେ ଚୀନର ଉତ୍ପାତ ପ୍ରସଙ୍ଗରେ କଡା ପ୍ରତିକ୍ରିୟା ରଖିଛି ଭାରତ । ଚୀନରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିଶ୍ରି ଏଥିପାଇଁ ଚୀନକୁ ତାଗିଦ କରିଛନ୍ତି । ସୀମାରେ ଉତେଜନା କମ୍ କରିବା ପାଇଁ ଏଲଏସରୁ ଚୀନ ସେନା ତୁରନ୍ତ ହଟିବାକୁ କହିଛି ଭାରତ । ପ୍ରକୃତ ନିୟନ୍ତ୍ରଣ ରେଖା ଡେଇଁ ଚୀନ ସେନା ଭରତ ପଟରେ ଜମା ହେବା ସହ ନିର୍ମାଣ ଚଳାଇଥିବାରୁ ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇଛି । ଏକ ଦାୟିତ୍ୱବାନ ଦେଶ ଭାବରେ ଅନ୍ତର୍ଜାତୀୟ ନିୟମକୁ ମାନି ଚୀନ ସେନା ପଦକ୍ଷେପ ନେବ ବୋଲି ସେ ଆଶା ରଖିଥିବା କହିଛନ୍ତି । ଦ୍ୱିପାକ୍ଷୀକ ସଂପର୍କକୁ ସମ୍ମାନ ଦେଇ ଚୀନ ତାର ଏକପାଖିଆ କାରବାର ବନ୍ଦ କରିବ ଓ ସୀମାରେ ସ୍ଥାତାବସ୍ଥା ବଜାୟ ରଖିବ ବୋଲି ସେ କଡା ଭାଷାରେ ଶୁଣାଇ ଦେଇଛନ୍ତି ।

ଏପଟେ ଭାରତ ପ୍ରତିବାଦର ବାଜପେୟୀ ଫର୍ମୁଲାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୧୯୬୫ ମସିହାରେ ଚୀନ କ୍ରୁର ବୁଦ୍ଧିର ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ । ୧୯୬୨ ଯୁଦ୍ଧରେ ଭାରତ ପରାଜିତ ହୋଇଥିବାବେଳେ ବାରମ୍ବାର ଦାଉ ସାଧିବା ପାଇଁ ପ୍ରୟାସ ଚଳାଇଥିଲା ଚୀନ । ଏପରିକି ୧୯୬୫ରେ ସିକିମ ସୀମା ଭିତରକୁ ପସିଆସି ବ୍ୟାପକ ଅଂଚଳ ଦଖଲ କରିବାକୁ ପ୍ରୟାସ କରିଥିଲା । ହେଲେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭାରତୀୟ ସେନା ଏହାର କଡା ଜବାବ ଦେଇଥିଲା । ତେବେ ଏଥିରେ ଚୀନର କ୍ଷୟକ୍ଷତି ସଂପର୍କିତ ଏକ ହାସ୍ୟାସ୍ପଦ ରିପୋର୍ଟ ଚୀନ କର୍ତୃପକ୍ଷ, ଭାରତ ସରକାରଙ୍କୁ ଦେଇଥିଲେ ।

 

ଭାରତୀୟ ସୈନ୍ୟମାନେ ଚୀନର ୮୦୦ ମେଣ୍ଢା ଓ ୫୯ଟି ଚମରୀ ଗାଈ ଚୋରାଇ ନେଇଥିବା ଉଲ୍ଲେଖ କରିଥିଲା ଚୀନ । ସ୍ୱାଭାବିକ ଭାବେ ଭାରତ ସରକାର ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ । କିନ୍ତୁ ଜନସଂଘ ଦଳର ତତକାଳୀନ ଯୁବନେତା ୪୨ ବର୍ଷୀୟ ଅଟଳ ବିହାରୀ ବାଜପେୟୀଙ୍କ ନିଆରା ପ୍ରତିବାଦ ଚୀନର ଧୁଆଁ ବାହାର କରିଦେଇଥିଲା । ସେହିବର୍ଷ ସେପ୍ଟେମ୍ବର ବେଳକୁ ବାଜପେୟୀ ଦିଲ୍ଲୀରେ ଥିବା ଚୀନ ଦୂତାବାସକୁ ୮୦୦ ମେଣ୍ଢା ଛାଡିଥିଲେ । ମେଣ୍ଢାଙ୍କ ବେକରେ ଲେଖା ଯାଇଥିଲା ମୋତେ ଖାଅ ପଛେ ପୃଥିବୀକୁ ବଂଚାଅ । ଏଭଳି ଅଭିନବ ପ୍ରଚାର ସେତେବେଳେ ବିଶ୍ୱବ୍ୟାପୀ ଚର୍ଚ୍ଚା ସାଉଁଟିଥିଲା । ଆମେରିକାରୁ ପ୍ରକାଶିତ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଥିଲା ।