କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାର ଦର୍ଶନୀୟ ତଥା ଛତିଶଗଡର ଗଙ୍ଗା ଭାବରେ ବେଶ ପରିଚିତ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ନୃସିଂହନାଥ ପୀଠ । କାହିିଁ କେଉଁ କାଳରୁ ଆଦିବାସୀ ସଂପ୍ରଦାୟର କନ୍ଧ ମାନେ ନୃସିଂହନାଥଙ୍କୁ ପୂଜା କରିଆସୁଥିଲେ । ମହାପ୍ରଭୂଙ୍କ ସ୍ୱପ୍ନାଦେଶ ପରେ ଅବିବାହିତ ବ୍ରାହ୍ମଣ ବାଳକଙ୍କ ଦ୍ୱାରା ପୂଜା ପାଇ ଆସୁଛନ୍ତି ପ୍ରଭୁ ମର୍ଜାରକେଶରୀ । ବୈଶାଖ ମାସର ଚତୁର୍ଦ୍ଦଶୀରେ ଗନ୍ଧମାର୍ଦ୍ଧନ ପର୍ବତରୁ କନ୍ଦ ଖୋଳୁଥିବା ବେଳେ ନୃସିଂହ ପ୍ରଭୁଙ୍କୁ ପାତାଳି ଅବସ୍ଥାରେ ପାଇଥିବାରୁ ଏହି ଦିନକୁ ମହା ଆଡମ୍ବର ସହ ପାଳନ କରାଯାଉଛି ।

Advertisment

ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପାପନାଶିନୀ ଘାଟରେ ସ୍ନାନ କରି ପାପ କ୍ଷୟ ପାଇଁ ବୈଶାଖ ମେଳାରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଲାଗିଥାଏ । ଏଠାରେ ଥିବା ଚିରସ୍ରୋତା ଝରଣାର ପିଲାଠୁ ବୁଢା ସମସ୍ତେ ଝରଣା ପାଣିରେ ସ୍ନାନ କରନ୍ତି । ଏଠାକାର ପରିବେଶ ଶ୍ରଦ୍ଧାଳୁଙ୍କୁ ବେଶ ଆକର୍ଷଣ କରୁଥିବାରୁ ରାଜ୍ୟ ବାହାରୁ ମଧ୍ୟ ଭକ୍ତଙ୍କ ଭିଡ ଏଠାରେ ଦେଖିବାକୁ ମିଳେ । ମେଳାରେ ମୀନା ବଜାରଠୁ ଆରମ୍ଭ କରି ମନୋରଞ୍ଜନ ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥାଏ । ଭକ୍ତମାନେ ଭଗବାନଙ୍କ ଦର୍ଶନ କରିବା ସହ ମେଳାକୁ ମନଭରି ଉପଭୋଗ କରିଥାନ୍ତି । ବୈଶାଖ ମେଳାକୁ ଆଖି ଆଗରେ ରଖି ମନ୍ଦିର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।