କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଡ଼ିଥିବା ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀଙ୍କ ଘରେ ଏବେବି ଚାଲିଛି ତଲାସି । ଏକ ଘରୋଇ ବସରେ କଟକ ଆସୁଥିବାବେଳେ ଜୟପୁରରୁ ୫ କିଲୋମିଟର ଦୂର ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ଏହାସହ ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା, ଓ ବୈପାରୀଗୁଡା ଥାନାରେ ଥିବା ସୁଶାନ୍ତଙ୍କ ଚାମ୍ବରରୁ ଲକ୍ଷେ ୮୦ ହଜାର ଟଙ୍କା ଜବତ ହୋଇଛି । ଘରେ ଚଢାଉ ବେଳେ ୩ ଲକ୍ଷ ଟଙ୍କା ଜବତ ହୋଇଛି । ଏହିଭଳି ମୋଟ ସାଢେ ୭ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ ।

Advertisment

ଏତେ ଟଙ୍କା ବୈପାରୀଗୁଡା ଥାନା ଆଇଆଇସି କୁଆଡେ ନେଉଥିଲେ ଓ କାହିଁକି ନେଉଥିଲେ ତାହା ସନ୍ଦେହ ଘେରକୁ ଆସିଛି । ଏ ନେଇ ଥାନା ଅଧିକାରୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ । ବୈପାରୀଗୁଡା ଥାନାରେ ସେ ୫ ମାସ ହେଲା ଆଇଆଇସି ଭାବେ ଯୋଗଦେଇଥିଲେ । ଟଙ୍କା କୁଆଡୁ ଆସିଲା ତାର ସନ୍ତୋଷଜନକ ଉତର ଦେଇପାରିନାହାନ୍ତି ଆଇଆଇସି । ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଛି । ଏକମାସ ଧରି ସେ ଭିଜିଲାନ୍ସର ସ୍କାନରରେ ରହିଥିଲେ ।