ଭୀମାକୋରେଗାଁଓ ମାମଲାରେ ତେଲୁଗୁ କବି ୱାରାୱାରା ରାଓଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ବମ୍ବେ ହାଇକୋର୍ଟ । ୬ ମାସ ପାଇଁ ମିଳିଲା ଅନ୍ତରୀଣ ଜାମିନ

45

କନକ ବ୍ୟୁରୋ : ଭୀମାକୋରେଗାଁଓ ହିଂସା ମାମଲାର ଅଭିଯୁକ୍ତ ତଥା ବଶିଷ୍ଠ ତେଲୁଗୁ କବି ୱାରାୱାରା ରାଓଙ୍କୁ ସୋମବାର ବମ୍ବେ ହାଇକୋର୍ଟ ସତ୍ତର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ଏହି ଅନ୍ତରୀଣ ଜାମିନ ୬ ମାସ ପାଇଁ ପ୍ରଦାନ କରିଛନ୍ତି । ୱାରାୱାରା ରାଓଙ୍କୁ ସ୍ୱାସ୍ଥ୍ୟଗତ କାରଣରୁ ଜାମିନ୍ ପ୍ରଦାନ କରାଯାଇଥିବା କୋର୍ଟ କହିଛନ୍ତି । ୱାରାୱାରାଙ୍କ ଅତ୍ୟାଧିକ ବୟସ ଓ ସ୍ୱାସ୍ଥ୍ୟଗତ କାରଣକୁ ନେଇ ତାଙ୍କୁ ଜାମିନ ପ୍ରଦାନ କରାଯିବା ଆବଶ୍ୟକ ବୋଲି ଜଷ୍ଟିସ୍ ଏସ.ଏସ୍ ସିନେ୍ଧ ଓ ଜଷ୍ଟିସ୍ ମନୀଷ ପିଟାଲେଙ୍କ ଖଣ୍ଡପୀଠ କହିଥିଲେ ।

ଜାମିନ୍ ପ୍ରଦାନ ବେଳେ ବିଚାରଧିନ ବନ୍ଦୀଙ୍କ ସାମ୍ବିଧାନିକ ଅଧିକାର ସଂପର୍କରେ ୭ ଟି ପ୍ରଶ୍ନକୁ ବିଚାରକୁ ନେଇଥିଲେ ଖଣ୍ଡପୀଠ । ସେଗୁଡିକ ମଧ୍ୟରେ ମୁଖ୍ୟତ ୱାରାୱାରାଙ୍କୁ ଏଲଗାର ପରିଷଦ ମାମଲାରେ ଅଭିଯୁକ୍ତ କରାଯାଇଥିଲେ ବି ଏନଆଇଏ କୋର୍ଟ ଦ୍ୱାରା ଏପର୍ଯ୍ୟନ୍ତ ଚାର୍ଜଫ୍ରେମ ହୋଇ ନାହିଁ । ଅଭିଯୋଗ ପକ୍ଷ ୨ ଶହ ସାକ୍ଷୀଙ୍କ ଯାଂଚ କରିବାକୁ ଚାହୁଁଥିବା ବେଳେ ଏହା କେତେଦିନ ଲାଗିବ ଓ କେବେ ବିଚାର ଶେଷ ହେବ ତାହା କୁହାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ ।  ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟଙ୍କ ରାୟକୁ ଅବତାରଣା କରି ଖଣ୍ଡପୀଠ କହିଥିଲେ କି ଜେଲରେ ଥିବା ବିଚାରଧିନ ବନ୍ଦୀଙ୍କୁ ସମ୍ବିଧାନର ଅନୁଚ୍ଛେଦ ୨୧ ରେ ଥିବା ମୌଳିକ ଅଧିକାରରୁ ବଞ୍ଚିତ କରାଯାଇ ପାରିବ ନାହିଁ   ।
ୱାରାୱାରା ରାଓଙ୍କୁ ଜାମିନ ପ୍ରଦାନ ବେଳେ ଖଣ୍ଡପୀଠ କିଛି ସର୍ତ୍ତ ରଖିଛନ୍ତି । ଯେଭଳିକି ମାମଲା ଚାଲିଥିବା ବେଳେ ସେ ମୁମ୍ବାଇ ଛାଡି ଅନ୍ୟ କେଉଁଠିକି ଯିବାକୁ ହେଲେ କୋର୍ଟର ଅନୁମତି ଆବଶ୍ୟକ । ଆବଶ୍ୟକ ସମୟରେ କୋର୍ଟରେ ହାଜର ହେବାକୁ ପଡିବ । କହିରଖୁ କି ଭୀମାକୋରେଗାଁଓ ମାମଲାରେ ସଂପୃକ୍ତି ଅଭିଯୋଗରେ ୱାରାୱାରା ରାଓଙ୍କୁ ୨୦୧୮ ମସିହାରେ ଗିରଫ୍ କରାଯାଇଥିଲା । ତାଙ୍କ ଉପରେ ଅଭିଯୋଗ ଥିଲା କି ସେ ଏଲଗାର ପରିଷଦ ନାମରେ ଏକ ସଂଗଠନ କରି ଭୀମାକୋରେଗାଓଁ ହିଂସାକୁ ପ୍ରୋତ୍ସାହିତ କରୁଥିଲେ ।