ଟୁଲକିଟ୍ ମାମଲା : ପଟିଆଲା ହାଉସ୍ କୋର୍ଟରୁ ଦିଶା ରବିଙ୍କୁ ଜାମିନ

96

କନକ ବ୍ୟୁରୋ : ଟୁଲକିଟ୍ ମାମଲାରେ ଗିରଫ ହୋଇଥିବା ପରିବେଶ କର୍ମୀ ଦିଶା ରବିଙ୍କୁ ପଟିଆଲା ହାଉସ୍ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ୧ ଲକ୍ଷ ଟଙ୍କା ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ଆଜି କୋର୍ଟରେ ଶୁଣାଣି ବେଳେ ପୋଲିସ ଦିଶା ରବିଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେବାକୁ ଅପିଲ କରିଥିବା ବେଳେ ଏହାକୁ ଖାରଜ କରିଦେଇଥିଲେ କୋର୍ଟ ।

ସୋମବାର ଦିନ ଦିଶା ରବିଙ୍କୁ ପଟିଆଲା ହାଉସକୋର୍ଟରେ ହାଜର କରିଥିଲା ପୋଲିସ । ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ସେଲ କୋର୍ଟରେ କହିଥିଲେ କି ଦିଶାରବିଙ୍କ ସହ ଏହି ମାମଲାରେ ଶାନ୍ତୁନ ଓ ନିକିତା ଜାକବ ବି ଅଭିଯୁକ୍ତ ଅଟନ୍ତି । ଦିଶାରବି ବି ପଚରା ଉଚରା ବେଳେ ଶାନ୍ତୁନ ଓ ନିକିତାଙ୍କ ନାମ କହିଥିଲା । ଏହାକୁ ନେଇ ପୋଲିସ କହିଥିଲା କି ଏହି ୩ ଜଣଙ୍କୁ ଏକା ସାଙ୍ଗରେ ଜେରା କରିବାର ଆବଶ୍ୟକତା ରହିଛି । ହେଲେ ଶାନ୍ତୁନଙ୍କୁ ପଟିଆଲା କୋର୍ଟ ୧୦ ଦିନିଆ ଟ୍ରାନଜିଟ୍ ବେଲ ଦେଇଥିବା ବେଳେ ନିକିତା ଜାକବଙ୍କୁ ହାଇକୋର୍ଟ ୩ ସପ୍ତାହ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ।

କହିରଖୁ କି ଟୁଲକିଟ୍ ମାମଲାରେ ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବେଙ୍ଗାଲୁରରୁ ୨୧ ବର୍ଷୀୟ ପରିବେଶବିତ୍ ଦିଶାରବିଙ୍କୁ ଫେବୃଆରୀ ୧୪ ତାରିଖରେ ଗିରଫ୍ କରିଥିଲା । ସୂଚନା ଥାଉକି ଫେବୃଆରୀ ୪ ତାରିଖରେ ଦିଲ୍ଲୀ ପୋଲିସ ଟୁଲକିଟ୍ କୁ ନେଇ ମାମଲା ଦାୟର କରିଥିଲା । ଅଭିଯୋଗ ଥିଲା କି ଦିଶାରବି କୃଷକ ଆନ୍ଦୋଳନ ସହିତ ଜଡିତ ଟୁଲକିଟ୍ କୁ ଏଡିଟ୍ କରି ସେଥିରେ କିଛି କଥା ଯୋଡିଥିଲେ ।