କେନ୍ଦ୍ରାପଡା ସାଂସଦଙ୍କୁ ବାଏ ବାଏ କଲେ ରାଜନୈତିକ ସଂଯୋଜକ, ଖୋଲିଲେ ବୈଜୟନ୍ତଙ୍କ ଗୁମର କଥା ! ବୈଜୟନ୍ତଙ୍କ ରାଜନୈତିକ ସଚିବ କହିଲେ, କୌଣସି ପ୍ରଭାବ ପଡିବନି

36

କନକ ବ୍ୟୁରୋ : ବୈଜୟନ୍ତଙ୍କୁ ବାଏ ବାଏ । କେନ୍ଦ୍ରାପଡା ସାଂସଦଙ୍କୁ ଲାଗିଲା ଆଉ ଏକ ଝଟକା । ବୈଜୟନ୍ତଙ୍କ ରାଜନୈତିକ ସଂଯୋଜକ ଦେବାଶିଷ ମଲ୍ଲିକ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଦୀର୍ଘ ୧୦ ବର୍ଷ ଧରି ବୈଜୟନ୍ତଙ୍କ ରାଜନୈତିକ ସଂଯୋଜକ ଭାବେ କାମ କରୁଥିବା ଦେବାଶିଷ ଆଜି ସାମ୍ବାଦିକ ସମ୍ମିଳନୀରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହାସହ ବୈଜୟନ୍ତଙ୍କ ବିରୋଧରେ ଦେବାଶିଷ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଯାହା ବିଜେଡି ବିରୋଧରେ ବୈଜୟନ୍ତଙ୍କ ଅର୍ନ୍ତଘାତି କାର୍ଯ୍ୟକୁ ପଦାରେ ପକାଇଛି । ଦେବାଶିଷଙ୍କ ଅଭିଯୋଗ ଅନୁଯାୟୀ, ବୈଜୟନ୍ତ ଏବେ ବିଜେପି ମୁହାଁ ହୋଇଛନ୍ତି । ଯାହା ବୈଜୟନ୍ତଙ୍କ ବିଜେପି ଲିଙ୍କକୁ ପୁଣିଥରେ ପଦାରେ ପକାଇଛି ।

bjd vs baijayantaଏହାସହ ବିଜେଡିରେ ରହି ବୈଜୟନ୍ତ ଯେଉଁଭଳି ଦଳବିରୋଧୀ କାମ କରିଛନ୍ତି ସାମ୍ବାଦିକ ସମ୍ମିଳନୀରେ ତାହାର ଖୁଲାସା କରିଛନ୍ତି ଦେବାଶିଷ । ଗତ ପଞ୍ଚାୟତ ନିର୍ବାଚନ ଓ ବିଜେପୁର ଉପନିର୍ବାଚନରେ ବୈଜୟନ୍ତ ଦଳ ବିରୋଧରେ ଅର୍ନ୍ତଘାତୀ କାର୍ଯ୍ୟ କରୁଥିଲେ । ଯାହା ଦଳକୁ କ୍ଷତି ପହଞ୍ଚାଉଥିଲା ଏହା ଜଣା ପଡିବା ପରେ ବୈଜୟନ୍ତଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଦିନକୁ ଦିନ ବିଜେଡି ଓ ବୈଜୟନ୍ତଙ୍କ ସର୍ମ୍ପକ ତିକ୍ତ ହେଉଥିବା ବେଳେ ଦେବାଶିଷ ସାଂସଦଙ୍କ ଆଉ ଏକ ଗୁମର ଖୋଲିଛନ୍ତି । ଯାହା ବୈଜୟନ୍ତଙ୍କ ପ୍ରକୃତ ଚେହେରାକୁ ପଦାରେ ପକାଇଛି । ଦେବାଶିଷଙ୍କ ଅଭିଯୋଗ ଅନୁଯାୟୀ, ବୈଜୟନ୍ତଙ୍କୁ ସଂସଦର ଫାଇନାନ୍ସ କମିଟିରେ ନ ରଖିବା ଯୋଗୁଁ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଅପପ୍ରଚାର କରିଥିଲେ କେନ୍ଦ୍ରାପଡା ସାଂସଦ । ଏହାଛଡା ନିଜ ସ୍ୱାର୍ଥ ପାଇଁ ଏବେ ପାଣ୍ଡିଆନ ଓ ତୃତୀୟ ମହଲାକୁ ବୈଜୟନ୍ତ ଟାର୍ଗେଟ କରୁଛନ୍ତି ବୋଲି କହିଛନ୍ତି ଦେବାଶିଷ । ବିଜୁ ପରିବାରରେ ରହି ବୈଜୟନ୍ତ ଯେଉଁଭଳି ଭାବେ ବିଜେଡି ବିରୋଧରେ ଅର୍ନ୍ତଘାତୀ କାର୍ଯ୍ୟ କରୁଛନ୍ତି ତାହା ତାଙ୍କ ବିବେକକୁ ବେଶ ବାଧିଛି ତେଣୁ ସେ ସଂଯୋଜକ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ଦେବାଶିଷ । ଏହାଛଡା ସେ ଏବେ ମଧ୍ୟ ନବୀନଙ୍କ ନେତୃତ୍ୱକୁ ସମର୍ଥନ କରୁଛନ୍ତି ଓ ବିଜୁ ଜନତା ଦଳରେ ରହିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

Baijayanta pandaଦେବାଶିଷଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବୈଜୟନ୍ତଙ୍କ ରାଜନୈତିକ ସଚିବ ଜ୍ୟୋତି ଘୋଷ । ସେ କହିଛନ୍ତି, ବୈଜୟନ୍ତଙ୍କ ବିରୋଧରେ ସଂଯୋଜକ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ । ଏହାଛଡା ଦେବାଶିଷ ନିଜର ନ୍ୟସ୍ତସ୍ୱାର୍ଥ ପାଇଁ କାହା ଇଙ୍ଗିତରେ ହୁଏତ ଏଭଳି ନିଷ୍ପତି ନେଇଛନ୍ତି ଯାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।ତେବେ ଏଥିରେ ଆଦୌ ବିଚଳିତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଜ୍ୟୋତି ପ୍ରକାଶ ଘୋଷ । ଗୋଟିଏ ପଟେ ବିଜେଡ଼ି ଓ ବୈଜୟନ୍ତ ବିବାଦ ବଢୁଥିବା ବେଳେ ଦେବାଶିଷଙ୍କ ଅଭିଯୋଗକୁ ନେଇ ଏବେ ରାଜନୈତିକ ମହଲରେ ଜୋର ଚର୍ଚ୍ଚା ଧରିଛି ।