ବିଜୁ ଜନତା ଦଳ ଛାଡିଲେ ବୈଜୟନ୍ତ ପଣ୍ଡା । ଦଳରୁ ନିଲମ୍ବତ ହୋଇଥିବା କେନ୍ଦ୍ରାପଡା ସାଂସଦ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଦଳ ଛାଡିବା କଥା ଘୋଷଣା କରିଛନ୍ତି । ଖାଲି ଏତିକି ନୁହେଁ, ଆଗାମୀ ଦିନରେ ସେ ଲୋକସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେବେ । ଏନେଇ ସେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଚିଠି ଲେଖି ଅବଗତ କରାଇବେ । ବୈଜୟନ୍ତ ଓ ବିଜେଡି ମଧ୍ୟରେ ବଢି ଚାଲିଥିବା ଦୂରତାରେ କିଛି ଏଭଳି ଢଙ୍ଗରେ ପୂର୍ଣ୍ଣଛେଦ ପଡିବ ବୋଲି ସମସ୍ତେ ଆକଳନ ମଧ୍ୟ ପୂର୍ବରୁ କରିଥିଲେ । ଆଉ ଶେଷରେ ଏହି ଚର୍ଚ୍ଚାର ଅବସାନ ହୋଇଛି । ବିଜେଡିରୁ ଇସ୍ତଫା ଦେବା ପରେ ବୈଜୟନ୍ତ ବିଜେପିରେ ସାମିଲ ହେଉଥିବା ନେଇ ଚର୍ଚ୍ଚା ଆହୁରି ସରଗରମ ହୋଇଛି ।
/kanak/media/post_attachments/wp-content/uploads/2018/01/vlcsnap-2018-01-14-19h51m26s286.png)
ଗତ ଜାନୁୟାରୀ ମାସରେ ବୈଜୟନ୍ତ ପଣ୍ଡାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିମ୍ବିତ କରାଯାଇଥିଲା । ଦଳ ବିରୋଧୀ କାର୍ୟ୍ୟରେ ଲିପ୍ତ ଥିବା ଅଭିଯୋଗରେ କେନ୍ଦ୍ରାପଡ଼ା ସାଂସଦଙ୍କୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଥିଲା। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ସାଂସଦ ବୈଜୟନ୍ତଙ୍କ ବିରୋଧରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।
ସେତେବେଳେ ବିଜେଡି ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ସାଂସଦ ବୈଜୟନ୍ତ ପଣ୍ଡା ଦଳକୁ ସମାଲୋଚନା କରିବାକୁ ପଛାଉ ନ ଥିଲେ। ଏଥି ସହ ସେ ଗତ ପଞ୍ଚାୟତ ନିର୍ବାଚନରେ ଦଳ ବିରୋଧୀ ପ୍ରାର୍ଥୀଙ୍କୁ ସହାୟତା କରିଥିଲେ। ସାଂସଦ ବୈଜୟନ୍ତଙ୍କ ବିରୋଧରେ ଏହି ସବୁ ଅଭିଯୋଗ ଆସିବା ପରେ ଦଳର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାରୀ ପ୍ରମିଳା ମଲ୍ଲିକ ଏବଂ କଟକ ଜିଲ୍ଲା ପ୍ରଭାରୀ ଉଷା ଦେବୀଙ୍କୁ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। ଏହି ରିପୋର୍ଟ ପାଇବା ପରେ ଦଳର ସଭାପତି ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।
କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ଲଗାତର ଭାବେ ବୈଜୟନ୍ତଙ୍କ ବିରୋଧରେ ଅଭିଯୋଗ ବଢିଥିଲା । ନେତା ଲିଖିତ ଭାବେ ଜଣାଇଥିଲେ, ରାଜ୍ୟ ସଭାପତିଙ୍କ ଦ୍ୱାରା ମନୋନୀତ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚିତ କରାଯାଇଥିଲା । ମାତ୍ର ନିର୍ବାଚନ ପରଠାରୁ ସେ ନିର୍ବାଚନମଣ୍ଡଳୀର ବିକାଶ ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମରେ କେବେ ବି ଆଲୋଚନା କରିନାହାନ୍ତି । ନିର୍ବାଚିତ ଲୋକପ୍ରତିନିଧିମାନଙ୍କୁ ମଧ୍ୟ ପଚାରୁନାହାନ୍ତି । ଦୁଇ ବର୍ଷ ତଳେ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ନିଜେ ରାଜ୍ୟ ସଭାପତି ନିର୍ଦେଶ ଦେଇଥିଲେ ଯେ ସଂସଦୀୟ କ୍ଷେତ୍ର ଉନ୍ନୟନ ପାଣ୍ଠିର ସୁଷମ ବଣ୍ଟନ କରାଯାଉ । ଏହା ସତ୍ତ୍ୱେ ସାଂସଦ ତାଙ୍କର ଦରମାପ୍ରାପ୍ତ କିଛି କର୍ମଚାରୀଙ୍କ ଦ୍ୱାରା ଅନାବଶ୍ୟକ ସ୍ଥାନରେ ସାଂସଦ ପାଣ୍ଠିର ଦୁରୁପଯୋଗ କରିଛନ୍ତି । ଏପରିକି ଏଥିରେ ଥିବା ନିୟମାବଳୀକୁ ଜଳାଞ୍ଜଳି ଦିଆଯାଇଛି ।
/kanak/media/post_attachments/wp-content/uploads/2017/06/vlcsnap-2017-06-10-20h05m27s874.png)
ଖାଲି ଏତିକି ନୁହେଁ ବୈଜୟନ୍ତଙ୍କ ସତ୍ୟପାଠରେ ତ୍ରୁଟି ଥିବା ଦର୍ଶାଇ ଦଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା । ନୈତିକତା ଦୃଷ୍ଟିରୁ ସାଂସଦ ପଦରୁ ଇସ୍ତଫା ଦେବାକୁ ଆହ୍ୱାନ ଦେଇଥିଲା ଦଳ । ଏସଂପର୍କିତ ମାମଲା ଏବେ କୋର୍ଟରେ ବିଚାରଧୀନ । ସେହିଭଳି ତାଙ୍କୁ ଦଳରୁ ବହିଷ୍କାର କରିବାକୁ ମଧ୍ୟ ଦଳ ଭିତରୁ ଦାବି ଉଠିଥିଲା । ଆଉ ଏହାପରେ ଆଜି ବୈଜୟନ୍ତ ପଣ୍ଡା ଦଳରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି ।
Follow Us
/kanak/media/post_attachments/wp-content/uploads/2018/01/vlcsnap-2018-01-20-20h03m49s107.png)